୨୪ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ସୋମବାରଠାରୁ ତିନି ଦିନିଆ ଯଜ୍ଞ ଆରମ୍ଭ ହୋଇଛି। ରବିବାର ଅଙ୍କୁରାରୋପଣ, ଅଧିବାସ ବିଧି ସମ୍ପର୍ଣ୍ଣ ହେବା ପରେ ସକାଳୁ ଯଜ୍ଞ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ନରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯଜ୍ଞ ଆରମ୍ଭ ହୋଇଛି। 

ମନ୍ତ୍ର ଧ୍ବନିରେ ଫାଟି ପଡୁଛି ଶ୍ରୀମନ୍ଦିର ଉତ୍ତର ଦ୍ଵାର ଐଶାନ୍ୟ କୋଣ। ଉତ୍ତର ପାର୍ଶ୍ବ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଓ ପୁରାଣ ଶାସ୍ତ୍ର ଅନୁଯାୟୀ ପବିତ୍ର ଯଜ୍ଞ କାର୍ଯ୍ୟ ନିଷ୍ଠା ଓ ପବିତ୍ରତାର ସହ କରାଯାଇଛି। ଯଜ୍ଞ ମଣ୍ଡପ ସମ୍ମୁଖ ଭାଗରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ଅତ୍ୟନ୍ତ ଧାର୍ମିକ ପରିବେଶ ମଧ୍ୟରେ ଏହି ତିନିଦିନିଆ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯଜ୍ଞ ବେଦୀର ପରିବେଶ ତଥା ଅଙ୍ଗ ସଜ୍ଜାରେ କଳିଙ୍ଗ କଳାର ପରିପ୍ରକାଶ ଦେଖିବାକୁ ମିଳିଛି। 

ସକାଳୁ ରାଜଗୁରୁ ଓ ଆଚାର୍ଯ୍ୟଙ୍କ ଦ୍ଵାରା ଯଜ୍ଞ ମଣ୍ତପରେ ପଞ୍ଚକର୍ମ, ସୂର୍ଯ୍ୟ ପୂଜା ପରେ  ଯଜ୍ଞ ମଣ୍ଡପର ଚାରି ଦ୍ଵାରରେ ପୂଜା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୨.୩୦ ରେ ଯଜ୍ଞ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ସୁରକ୍ଷା କରିଡର ପରିକଳ୍ପନାର ପ୍ରଥମ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ। ଏହି କାରଣରୁ ପ୍ରକଳ୍ପର ସଫଳତା ପାଇଁ ମହାପ୍ରଭୁଙ୍କ କୃପା ପ୍ରାର୍ଥନା କରିବାକୁ ପ୍ରଶାସନ ପକ୍ଷରୁ ଏଭଳି ଯଜ୍ଞର ଆୟୋଜନ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ଟାଟା ପ୍ରୋଜେକ୍ଟକୁ ଏହି ପ୍ରକଳ୍ପର ଟେଣ୍ଡର ଦିଆଯାଇଛି। ପ୍ରସ୍ତାବିତ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ସୁବିଧା ଓ ଧର୍ମ ଭାବନା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା କରାଯାଉଛି। ଆସନ୍ତା ୨୪ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ଦୁଇ ଘଣ୍ଟା ସମୟ ଅତିବାହିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପ ମଡେଲର ଶିଳାନ୍ୟାସ ସ‌ହିତ ପ୍ରକଳ୍ପ ପାଇଁ ଜମିଦାନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିବେ। ୫ଟି ସଚିବ ଭିକେ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ, ଏସପି ଯଜ୍ଞ ସ୍ଥଳକୁ ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। 

ଯଜ୍ଞ ସରିବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ। ଆସନ୍ତା ଦେଢବର୍ଷ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଉତ୍ତର ଦ୍ଵାର ପରିବର୍ତ୍ତେ ଶିଳାନ୍ୟାସ ସମୟରେ ଭକ୍ତ ମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

10 − 8 =