ସୁରତକୁ ଟ୍ରେନ ଓ ବିମାନ ସେବା ପାଇଁ ନବୀନଙ୍କ ଦାବି

ଭୁବନେଶ୍ୱର () ଆସନ୍ତା 17 ତାରିଖରେ ସୁରତରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଆ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହା ପୂର୍ବରୁ ସୁରତରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ତିନୋଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ଚିଠି ଲେଖିଛନ୍ତି ।

କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ବ୍ରହ୍ମପୁରରୁ ସୁରତ ଦୈନିକ ଦୁଇଟି ଟ୍ରେନ ଚଳାଚଳ ପାଇଁ ଦାବି କରିଛନ୍ତି । ରାଜ୍ୟର ପ୍ରାୟ 7 ଲକ୍ଷ ଲୋକ ସୁରତର ବିଭିନ୍ନ ସୂତା କଳ ଓ ପାୱାରଲୁମରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଓଡିଶାରୁ । ଏହି ଦୃଷ୍ଟିରୁ ବ୍ରହ୍ମପୁରରୁ ସୁରତକୁ ଦୈନିକ ଦୁଇଟି ଟ୍ରେନ ଚଳାଚଳ କରିବାକୁ ଗତ ଅଗଷ୍ଟ ମାସରେ ଚିଠି ଲେଖିଥିଲେ ।
ସେହିଭଳି ସୁରତକୁ ସିଧାସଳଖ ବିମାନ ସେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ନବୀନ । ସୁରତରେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ରହୁଥିବା ବେଳେ ଜରୁରୀକାଳୀନ ସ୍ଥିତିରେ ଓଡିଶା ଆସିବାକୁ ବିମାନ ସେବା ନାହିଁ । ଏହିଦୃଷ୍ଟିରୁ ଏୟାର ଇଣ୍ଡିଆ ଓ ଅନ୍ୟାନ୍ୟ ଘରୋଇ ବିମାନ ସଂସ୍ଥା ସହ ଆଲୋଚନା କରି ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ବିମାନସେବା ପାଇଁ ଦାବି କରିଛନ୍ତି । ଏସମ୍ପର୍କରେ ଗତ ଅଗଷ୍ଟ ମାସରେ ମଧ୍ୟ ନବୀନ ଚିଠି ଲେଖିଥିଲେ ।
ସେହିପରି ସୁରତରେ ରହୁଥିବା ଓଡ଼ିଆମାନେ ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ କମ୍ୟୁନିଟି ସେଣ୍ଟର କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ସୁରତରେ ଆବଶ୍ୟକ ଜମି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଚିଠି ଲେଖିଛନ୍ତି ନବୀନ ।
Share

Leave a Reply

Your email address will not be published. Required fields are marked *

5 + 14 =