ରାଜଧାନୀ ପୋଲିସର ନିଦ ହଜେଇଲେଣି ନିଶା ବେପାରୀ

ଭୁବନେଶ୍ୱର : ରାଜଧାନୀରେ ବେପାର ଜମାଇଥିବା ନିଶାବେପାରୀଙ୍କୁ ତଡିପାର କରିବାପାଇଁ ପୁଲିସ୍‍ କରିଥିବା ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ । କେଉଁ ୟୁନିଟ୍‍ରେ କେତେ ନିଶା ବେପାରୀ ଅଛନ୍ତି ସେମାନଙ୍କ ସୂଚନା ସଂଗ୍ରହ ପାଇଁ ଗୁଇନ୍ଦା ପୁଲିସକୁ କୁହାଯାଇଥିବାବେଳେ ସେମାନେ ସୂଚନା ଦେଇଛନ୍ତି । ତେବେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରୁ ନାହିଁ ତାହାକୁ ନେଇ ଏବେ ଆଶ୍ଚର୍ଯ୍ୟ ପ୍ରକାଶ ପାଇାବରେ ଲାଗିଛି ।

ଗତ କିଛିଦିନ ହେଲା ଚୋରା ନିଶାବେପାରୀମାନେ କମିଶନରେଟ ପୁଲିସ୍‍ର ନିଦ ହଜାଇ ଦେଲେଣି । ପ୍ରତିଦିନ କେଉଁଠୁ ନା କେଉଁଠୁ ଡ୍ରଗ୍ସ ଓ ଗଞ୍ଜେଇ ବେପାରୀମାନେ ଧରାପଡୁଛନ୍ତି । ସପ୍ତାହକ ମଧ୍ୟରେ ନୂଆପଲ୍ଲୀ ଅଞ୍ଚଳରୁ ଗଞ୍ଜାମ ପୁଲିସ୍‍ ଚଢଉ କରି ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀକୁ ଧରିଥିବାବେଳେ ଚାରିନମ୍ବର ହାଟ ନିକଟରୁ ଜଣେ ଡ୍ରଗ୍ସ ବେପାରୀକୁ ଗୁଇନ୍ଦା ପୁଲିସ୍‍ ଠାବ କରିବାପରେ ଧରାଯାଇଥିଲା । ତାହାର ସୂଚନା ଆଧାରରେ ପୁଲିସ୍‍ ରାତି ଅଧିଆ ଚଢଉକରି ୬ନମ୍ବର ସଡକ ବସ୍ତିରୁ ଆଉଜଣେ କୁଖ୍ୟାତ ଡ୍ରଗ୍ସ ବେପାରୀକୁ ଗିରଫ କରିଛି । ସେହିଭଳି ଡ୍ରଗ୍ସ କାରବାର ପାଇଁ ହଳଦୀପଡିଆ ପ୍ରସିଦ୍ଧିଲାଭ କରିଥିବାବେଳେ ରାଜଧାନୀର ପ୍ରତ୍ୟେକ ଅଞ୍ଚଳରେ ଏବେ ଡ୍ରଗ୍ସ ସହିତ ଗଞ୍ଜେଇ ବେପାରୀମାନେ ଅତ୍ୟନ୍ତ ସକ୍ରିୟ ହୋଇ ଉଠିଛନ୍ତି ।

ଏମାନଙ୍କୁ ଧରି ତଡିପାର କରିବାପାଇଁ କମିଶନରେଟ ପୁଲିସ୍‍ ସ୍ଥିର କରିଥିଲା । ସେଥିପାଇଁ କେଉଁଠି କେତେ ନିଶା ବେପାରୀ କାୟାବିସ୍ତାର କରିଛନ୍ତି ତାହାର ଗୁଇନ୍ଦା ତଥ୍ୟ ସଂଗ୍ରହପାଇଁ କୁହାଯାଇଥିଲା । ଗୁଇନ୍ଦା ପୁଲିସ୍‍ମାନେ ଲମ୍ବା ତାଲିକା ବି ଧରାଇଥିଲେ । ହେଲେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳୁଛି । ଏହି ସୂଚନା ଅନୁଯାୟୀ ନିଶାବେପାରୀ ତାଲିକାରେ କେତେକ ଅଞ୍ଚଳର କୁଜିନେତାମାନେ ସମ୍ପୃକ୍ତ ଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି । କିଏ ବସ୍ତି ନେତା ତ ଆଉ କିଏ ଗାଡିରେ ଦଳୀୟ ପତାକାମାରି ବୁଲୁଛି । ତେଣୁ ଏମାନଙ୍କୁ ଧରିଲେ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ପୁଲିସ୍‍ ବାବୁମାନେ ପଛଘୁଞ୍ଚା ଦେଉଥିବା ଶୁଣିବାକୁ ମିଳୁଛି ।

ଅତୀତରେ ହଳଦୀପଡିଆ ବସ୍ତିରେ ଡ୍ରଗ୍ସ ମାଫିଆଙ୍କୁ ତଡିବାପାଇଁ ପୁଲିସ୍‍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବୁଲଡ୍ରୋଜର ଲଗାଇ ସେମାନଙ୍କ ଘର ଭାଙ୍ଗିବା ସହିତ ରାଜଧାନୀ ଛାଡି ଚାଲିଯିବାକୁ କଡା ଚେତାବନୀ ଦେଇଥିଲା । ପୁଲିସ୍‍ର ଏଭଳି ପଦକ୍ଷେକୁ ସବୁ ସ୍ତରରୁ ସାବାସୀ ମିଳିଥିଲାବେଳେ ନିଶାବେପାରୀଙ୍କ ଭିତରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହେଉଥିଲା । ତେବେ ଏହାପରେ କଣ ହେଲା କେଜାଣି କମିଶନରେଟ ପୁଲିସ୍‍ ଏକ ପ୍ରକାର ଶୋଇ ପଡିଲା । ରାଜଧାନୀବାସୀ ଆଶା କରିଥିଲେ ପୁଲିସ୍‍ ଅନ୍ୟ ୟୁନିଟ୍‍ରେ ବି ଏଭଳି ପଦକ୍ଷେପ ନେବ । ହେଲେ ସେମିତି କିଛି ହେଲାନାହିଁ । ପୁଲିସ୍‍ର କୋହଳ ପଣ ଦେଖି ଏବେ ନୂଆପଲ୍ଲୀ, ଛଅ ନମ୍ବର, ଚାରିନମ୍ବର, ଦୁଇ ନମ୍ବର ଭଳି ଅଞ୍ଚଳରେ ଡ୍ରଗ୍ସ ଓ ଗଞ୍ଜେଇ ବେପାରୀମାନେ ଅତ୍ୟନ୍ତ ସକ୍ରିୟ ହୋଇ ଉଠିଥିଲାବେଳେ କେବେ ପୁଲିସ୍‍ ସେମାନଙ୍କୁ ତଡିପାର କରିବ ଓ ତାଙ୍କର ବେଆଇନ୍‍ ଘରକୁ ଭାଙ୍ଗିବ ତାହାକୁ ରାଜଧାନୀବାସୀ ଅପେକ୍ଷା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + seven =