ଯୁକ୍ତ ଦୁଇ କଳା, ବାଣିଜ୍ୟ, ଧନ୍ଦାମୂଳକରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପ୍ରଦର୍ଶନ ଭଲ

କଳା ଓ ଧନ୍ଦାମୂଳକରେ କମୁଛି ପାସ ହାର

ଯୁକ୍ତ ଦୁଇ ଶିକ୍ଷାରେ ନବରଙ୍ଗପୁର ପଛୁଆ

ଭୁବନେଶ୍ବର () ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ  । ଏଥିରେ ଝିଅମାନଙ୍କ ପ୍ରଦର୍ଶନ ପୁଅଙ୍କ ତୁଳନାରେ ଭଲ ରହିଛି । ତିନୋଟି ଯାକ ଷ୍ଟ୍ରିମରେ ଝିଅଙ୍କ ପାସ ହାର ପୁଅଙ୍କ ତୁଳନାରେ ଅଧିକ  । କିନ୍ତୁ ସାମଗ୍ରୀକ ଭାବେ ଦେଖିଲେ ବାଣିଜ୍ୟରେ ଛାତ୍ରଛାତ୍ରୀଙ୍କ ପାସ ହାର ବଢୁଥିବା ବେଳେ କଳା ଓ ଧନ୍ଦାମୂଳକ ଶିକ୍ଷାରେ ପାସ ହାର କମୁଛି  ।

ରାଜ୍ୟର 1171ଟି କଳା, 408ଟି ବାଣିଜ୍ୟ ଏବଂ 215ଟି ଧନ୍ଦାମୂଳକ ମହାବିଦ୍ୟାଳୟର ମୋଟ 3ଲକ୍ଷ 57ହଜାର 717ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 3ଲକ୍ଷ 52 ହଜାର 286ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ  । ସେମଧ୍ୟରୁ ସାମଗ୍ରୀକ ଭାବେ 2ଲକ୍ଷ 51ହଜାର 805ଜଣ ଅର୍ଥାତ 71.47 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି  । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 2046ଜଣ କପି କରୁଥିବା ବେଳେ ଧରାପଡିଥିବା ବେଳ 217 ଜଣଙ୍କ ପରୀକ୍ଷା ଫଳ ୱିଥେଲଡ କରାଯାଇଛି  ।

ପାସ ହାରକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ପରୀକ୍ଷା ପରିଚାଳନା କିମ୍ବା ଖାତାଦେଖାରେ କୌଣସି ତ୍ରୁଟି ହୋଇନାହିଁ  । ଛାତ୍ରଛାତ୍ରୀ ଯେମିତି ଲେଖିଛନ୍ତି, ସେମିତି ଫଳ ପାଇଛନ୍ତି  । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓଡିଶା ଯୁକ୍ତ ଦୁଇ ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ପ୍ରକାଶ କରିଥିଲେ  ।

2015ରେ କଳାରେ ପାସ ହାର ଥିଲା 76.31ପ୍ରତିଶତ  । 2016ରେ 71.55 ପ୍ରତିଶତ ଏବଂ 2017ରେ ପାସ ହାର ଥିଲା 70.17 ପ୍ରତିଶତ  । ଚଳତ ବର୍ଷ ପାସ ହାର 68.79 ପ୍ରତିଶତକୁ ହ୍ରାସ ପାଇଛି  । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ଗତ ବର୍ଷ ପାସ ହାର 61.22 ପ୍ରତିଶତ ଥିବା ବେଳେ ଏବର୍ଷ ପାସ ହାର ରହିଛି 52.61 ପ୍ରତିଶତ ଅର୍ଥାତ ପ୍ରାୟ 8 ପ୍ରତିଶତ ପାସ ହାର କମିଛି  । ତେବେ ବାଣିଜ୍ୟରେ ପାସ ହାରରେ ସାମାନ୍ୟ ବୃଦ୍ଧି ଘଟିଛି  । 2016ରେ ବାଣିଜ୍ୟରେ ପାସ ହାର ଥିଲା 70.39 ପ୍ରତିଶତ, 2017ରେ ପାସ ହାର 71.43 ପ୍ରତିଶତ ଏବଂ ଏବର୍ଷ ପାସ ହାର 74.91 ପ୍ରତିଶତକୁ ବୃଦ୍ଧି ପାଇଛି  ।

ଯୁକ୍ତ ଦୁଇ କଳା ପରୀକ୍ଷାରେ ୨,୩୦,୨୦୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୧,୫୮,୩୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ୬୩,୭୫୯ ଜଣ ଛାତ୍ର ଓ ୯୪,୬୧୯ ଜଣ ଛାତ୍ରୀ ଅଛନ୍ତି । ଚଳିତ ବର୍ଷ ଏହି ପାଠ୍ୟକ୍ରମରେ ପାସ କରିଥିବା ୬୮.୭୯ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯,୯୯୩ ଜଣ, ଦ୍ବିତୀୟ ଶ୍ରେଣୀରେ ୨୬,୦୭୬ ଜଣ ଓ ତୃତୀୟ ଶ୍ରେଣୀରେ ୧,୧୨,୧୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯୁକ୍ତ ଦୁଇ କଳାରେ ପୁରୀ ଜିଲ୍ଲାର ପାସ ହାର ସର୍ବାଧିକ ୭୯.୮୭ ପ୍ରତିଶତ ଓ ନବରଙ୍ଗପୁରର ପାସ ହାର ସର୍ବନିମ୍ନ ୪୭.୫୮ ପ୍ରତିଶତ ରହିଛି ।

ସେହିପରି ଯୁକ୍ତ ଦୁଇ ବାଣିଜ୍ୟ ପାଠ୍ୟକ୍ରମରେ ପରୀକ୍ଷା ଦେଇଥିବା ୨୬,୯୮୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦,୨୧୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ବାଣିଜ୍ୟରେ ଛାତ୍ରୀଙ୍କ ପାସ ହାର ୭୮.୪୮ ରହିଥିବା ବେଳେ ଛାତ୍ରମାନଙ୍କ ପାସହାର ୭୩.୧୧ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ ୪,୦୦୬ ଜଣ, ଦ୍ବିତୀୟ ଶ୍ରେଣୀରେ ୩,୭୩୪ ଜଣ ଓ ତୃତୀୟ ଶ୍ରେଣୀରେ ୧୨,୪୭୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ବାଣିଜ୍ୟରେ ନୟାଗଡ଼ ଜିଲ୍ଲାର ସର୍ବାଧିକ ୯୫.୫୯ ପ୍ରତିଶତ ଏବଂ ଦେବଗଡ ଜିଲ୍ଲାର ସର୍ବନିମ୍ନ 45.07 ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ଚଳିତ ବର୍ଷ ୫୨.୬୧ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ପରୀକ୍ଷା ଦେଇଥିବା ୭,୯୬୬ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨,୦୮୦ ଜଣ ଛାତ୍ର ଓ ୨,୧୧୧ ଛାତ୍ରୀ ଏହିପରି ମୋଟ ୪,୧୯୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୯୯ ଜଣ ପ୍ରଥମ ଶ୍ରେଣୀ, ୧,୬୯୨ ଜଣ ଦ୍ବିତୀୟ ଶ୍ରେଣୀ ଓ ୨,୦୫୧ ଜଣ ତୃତୀୟ ଶ୍ରେଣୀରେ ସଫଳତା ହାସଲ କରିଛନ୍ତି । ବରଗଡ ଜିଲ୍ଲରୁ ସର୍ବାଧିକ ୮୧.୮୯ ପ୍ରତିଶତ ଏବଂ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ 3.92 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

4 × four =