ରାଜଧାନୀରେ ପୁଲିସ୍‌ର ବସ୍ତି ତଲାସି ଅଭିଯାନରେ ବ୍ରେକ୍‌

ଭୁବନେଶ୍ୱର : ରାଜ୍ୟ ରାଜଧାନୀ ଏବେ ନିଶା ରାଜଧାନୀରେ ପରିଣତ ହେଉଥିବାବେଳେ ଏହାକୁ ରୋକିବା ଏବେ ପୁଲିସ୍ ପାଇଁ କାଠିକର ପାଠ ହେଲାଣି । ପୂର୍ବରୁ କାଁ ଭାଁ ଗଞ୍ଜେଇ କିମ୍ବା ବ୍ରାଉନସୁଗାର ଧରା ପଡୁଥିବାବେଳେ ଏବେ କିଲୋ କିଲୋ ବ୍ରାଉନସୁଗାର ସହିତ ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ ହେଉଛି । ତେବେ ଏହାକୁ ରୋକିବାପାଇଁ ପୁଲିସର ବସ୍ତି ତଲାସି ଅଭିଯାନରେ କାହିଁକି ବ୍ରେକ ଲାଗିଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି ।

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ସହିତ ନିଶା କାରବାରକୁ ରୋକିବାପାଇଁ ବସ୍ତିରେ ଖାନତଲାସି ପାଇଁ ପୁଲିସ୍ ନିଷ୍ପତ୍ତି ନେଇଥିଲା । ଖୋଦ୍ ଡିସିପି ଡକ୍ଟର ଉମାଶଙ୍କର ମିଶ୍ର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବିଳମ୍ବରେ ହେଲେ ବି ହଳଦିପଡିଆ ବସ୍ତିରୁ ପୁଲିସ୍ ଏହି ଅଭିଯାନ ଆରମ୍ଭ କରିଥିଲା । ଅଭିଯାନ ଆରମ୍ଭରୁ ହିଁ ପୁଲିସ୍ ହାତରେ ଚୋରା ଗାଡି ସହିତ କିଛି ନିଶାଡି ବି ଲାଗିଥିଲେ । ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଅପରାଧିଙ୍କ ମଧ୍ୟରେ ଛନକା ସୃଷ୍ଟି କରିଥିଲା । ହେଲେ ଗୋଟିଏ ବସ୍ତିରେ ଅଭିଯାନ ଆରମ୍ଭ ହୋଇ ଶେଷ ହେଲା । ଏହାପରେ ପୁଲିସ୍ ଏକ ପ୍ରକାର ନିରବ । କେଉଁ କାରଣରୁ ବସ୍ତି ତଲାସି ଅଭିଯାନକୁ ପୁଲିସ୍ ସ୍ଥଗିତ ରଖିଲା ତାହା ସାଧାରଣ ଲୋକେ ଜାଣିପାରିଲେ ନାହିଁ ।

ଉଲ୍ଲେଖନୀୟ ଯେ ରାଜଧାନୀରେ ଘଟୁଥିବା ଅଧିକାଂଶ ନିଶା କାରବାର ଓ ଅପରାଧର ମୂଳ ଉତ୍ସ ହେଉଛି ବସ୍ତି । ସହରରେ ଗଢିଥିବା ଶହ ଶହ ବେଆଇନ୍ ବସ୍ତିରେ କିଏ କେଉଁଠୁ ଆସି ରହୁଛି ତାହାର ଠିକଣା କେହି ଜାଣିପାରୁ ନାହାନ୍ତି । ଜଣେ ଜଣେ ବ୍ୟକ୍ତି ଏକାଧିକ ଘର ତିଆରି କରି ଭଡାରେ ଲଗାଇଛନ୍ତି । ବେଆଇନ୍ ଘର ହେତୁ ଘରେ ରହୁଥିବା ଲୋକଙ୍କ ଠିକଣା ସେମାନେ ରଖୁନାହାନ୍ତି । ଭଡା ପାଇଲେ ଯାହାକୁ ନାହିଁ ତାକୁ ରଖୁଛନ୍ତି । କେବଳ ବେଆଇନ୍ ନୁହେଁ ସରକାରୀ ସ୍ୱକୃତୀପ୍ରାପ୍ତ ଅଧିକାଂଶ ବସ୍ତିରେ ବି ବେଆଇନ୍ ନିଶା କାରବାର ସହିତ ଅନେକ ଅଜଣା ଲୋକ ଆସି ରହୁଛନ୍ତି ।

ବର୍ତ୍ତମାନ ବାଲେଶ୍ୱରରୁ ଭୁବନେଶ୍ୱର ବ୍ରାଉନସୁଗାର ର‌୍ୟାକେଟ ସକ୍ରିୟ ହୋଇଥିବାବେଳେ ଦୈନିକ ରାଜଧାନୀକୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଆସୁଛି । ସହରର ଗଳିକନ୍ଦିରେ ଗଞ୍ଜେଇ ବେପାର ଜମିଥିବାବେଳେ ପୁଲିସ୍ ଦେଖି ନଦେଖିଲା ଭଳି ହେଉଛି । ତେଣେ ଓଡିଶାକୁ ଆତଙ୍କବାଦୀ ପଶିଥିବା ନେଇ ଗୁଇନ୍ଦା ସୂଚନା ବି ମିଳିଲାଣି । ତେଣୁ ଏଭଳି ସ୍ଥିତିରେ ତୁରନ୍ତ ରାଜଧାନୀର ବସ୍ତିରେ ପୁଲିସର ଖାନତଲାସି ଅଭିଯାନ ଜୋରଦାର କରିବାକୁ ମତପ୍ରକାଶ ପାଉଛି । ଉଲ୍ଲେଖନୀୟ ଯେ ସହରରେ ଏବେ ସରକାରୀ ସ୍ୱୀକୃତିପ୍ରାପ୍ତ ୪୧୨ ବସ୍ତି ଥିବାବେଳେ ବେଆଇନ ବସ୍ତିସଂଖ୍ୟା ହଜାରେରୁ ଅଧିକ ହୋଇଗଲାଣି । ଅଧିକାଂଶ ବସ୍ତି ଲୋକସେବାଭବନ, ରାଜଭବନ, ରିଜର୍ଭବ୍ୟାଙ୍କ୍‌, ବିମାନବନ୍ଦର, ରେଳଷ୍ଟେସନ ଭଳି ସମ୍ବେଦନଶୀଳ ଅଞ୍ଚଳରେ ଗଢି ଉଠୁଥିବାରୁ ଏଠାରେ ନିଶା କାରବାର ଓ ଅପରାଧିମାନେ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେଣୁ ତୁରନ୍ତ ବସ୍ତିର ପ୍ରତ୍ୟେକ ଘରର ମାଲିକ ଓ ଭଡାଟିଆଙ୍କ ହିସାବ ସ୍ଥାନୀୟ ଲୋକଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରିବାକୁ ଦାବି ହେଉଛି ।

Share

Leave a Reply

Your email address will not be published. Required fields are marked *

three − 1 =