ଯୋଡି ହେବେ 5 ଲକ୍ଷ ଯୁବ ଭୋଟର

ଭୁବନେଶ୍ବର ()  ଜାନୂଆରୀ 21 ତାରିଖରେ ପ୍ରକାଶ ପାଇବ ଚୁଡାନ୍ତ ଭୋଟର ତାଲିକା । 2019 ସାଧାରଣ ନିର୍ବାଚନରେ ଯୋଡିହେବେ ଆଉ ପାଖାପାଖି 5 ଲକ୍ଷ ନୂଆ ଭୋଟର । ଏଥିସହିତ ରାଜ୍ୟର ଭୋଟର ସଂଖ୍ୟା 3କୋଟି 24 ଲକ୍ଷ ଛୁଇଁବ । ଏହି 5 ଲକ୍ଷ ନୂଆ ଭୋଟର 2019 ଜାନୁଆରୀ 1 ତାରିଖ ସୁଦ୍ଧା 18 ବର୍ଷ ଛୁଇଁ ଭୋଟ ଦେବାର ଅଧିକାରଭୁକ୍ତ ହୋଇଛନ୍ତି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ଜାନୁଆରୀ 4 ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଭୋଟର ତାଲିକାରେ ସଂଶୋଧନ ସମୟ ସୀମା ଅକ୍ଟୋବର 31ରୁ ନଭେମ୍ବର 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ସଂଶୋଧିତ ଭୋଟର ତାଲିକା ଆସନ୍ତା ଜାନୁଆରୀ 21 ତାରିଖରେ ପ୍ରକାଶ ପାଇବ । ବର୍ତ୍ତମାନ ରାଜ୍ୟରେ ପ୍ରାୟ 3କୋଟି 12 ଲକ୍ଷ ଭୋଟର ଥିବା ବେଳେ ତାଲିକାଭୁକ୍ତ ହେବା ପାଇଁ ଆଉ 12ଲକ୍ଷ 8ହଜାର 396ଟି ଆବେଦନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଛି । ଏହିଦୃଷ୍ଟିରୁ ଭୋର ସଂଖ୍ୟା 3କୋଟି 24 ଲକ୍ଷ ଚୁଇଁବ । ସେହିଭଳି ପ୍ରଥମ ଥର ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟରେ ଭିନ୍ନକ୍ଷମ ଭୋଟରଙ୍କ ଗଣନା କରି ସେମାନଙ୍କୁ ତାଲିକାଭୁକ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ 2 ଲକ୍ଷ ଭିନ୍ନକ୍ଷମ ଭୋଟର ତାଲିକାଭୁକ୍ତ ହୋଇଛନ୍ତି ।

ପ୍ରଥମ ଥର ପାଇଁ ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ 147ଟି ବିଧାନସଭା କ୍ଷେତ୍ର ଏବଂ 21ଟି ଯାକ ଲୋକସଭା କ୍ଷେତ୍ରରେ ହେଉଥିବା ଭୋଟଗ୍ରହଣରେ ଇଭିଏମ ସହ ଭିଭିପାଟର ବ୍ୟବହାର କରାଯିବ । ଏହିଦୃଷ୍ଟିରୁ ଭୋଟରଙ୍କୁ ଭିଭିପାଟର ବ୍ୟବହାର ସଂପର୍କରେ ସଚେତନ କରିବାକୁ ଆସନ୍ତା 7 ତାରିଖରୁ ସବୁ ବିଧାନସଭା କ୍ଷେତ୍ରରେ ମକ୍ ପୋଲିଂ କରାଯିବ । ଏଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ 7ଟି ଭ୍ରାମ୍ୟମାଣ ଗାଡି ବୁଲିବ । ପ୍ରତି ଗାଡିରେ 2ଜଣ ପ୍ରଶିକ୍ଷକ, 3ଜଣ ସହାୟକ ଓ ନିରାପତ୍ତାରକ୍ଷୀ ରହିବେ । ସେମାନେ ମକ୍ ପୋଲିଂ ସହ ମକ୍ କାଉଣ୍ଟିଂ ମଧ୍ୟ କରିବେ ବୋଲି ସେ କହିଛନ୍ତି ।

ନିର୍ବାଚନ ପରିଚାଳନା ପାଇଁ ପ୍ରତ୍ୟେକ ନିର୍ବାଚନ ଅଧିକାରୀଙ୍କୁ ବିଶେଷ ପ୍ରଶିକ୍ଷଣ ପାଇଁ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି । 58ଜଣ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ତାଲିମ ପାଇଁ 1136ଜମ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକଙ୍କୁ ତାଲିମ ଦେଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ବୁଥ ସ୍ତରୀରେ ତାଲିମ ଦିଆଯିବ । ତାଲିମ ପ୍ରଦାନ ପ୍ରକ୍ରିୟା ଫେବୃଆରୀ 20 ତାରିଖ ସୁଦ୍ଧା ଶେଷ ହେବା ସହ ନିର୍ବାଚନ ପରିଚାଳନାର ସମସ୍ତ ପ୍ରକ୍ରିୟା ଫେବୃଆରୀ 25 ତାରିଖ ସୁଦ୍ଧା ଶେଷ ହେବ ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟର 37ହଜାର 606 ବୁଥ ପାଇଁ 89,337ଟି ବାଲଟ ୟୁନିଟ, 91, 869ଟି କଣ୍ଟ୍ରୋଲ ୟୁନିଟ ଓ 89, 351ଟି ଭିଭିପାଟ ନିୟୋଜିତ ହେବ । ଏହିସବୁ ଉପକରଣ ହାଇଦ୍ରାବାଦର ଇଲୋକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡରୁ ଆହରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

6 − 4 =