ବନ୍ୟା ପ୍ରଭାବିତଙ୍କୁ 15 ଦିନ ପାଇଁ ମିଳିବ ରିଲିଫ

ଭୁବନେଶ୍ବର () ଗଂଜାମ, ଗଜପତି ଓ ରାୟଗଡାର ଗୁଣପୁର ଉପଖଣ୍ଡର ସବୁ ବନ୍ୟା ପ୍ରଭାବିତଙ୍କୁ ଆସନ୍ତା 15 ଦିନ ପର୍ଯ୍ୟନ୍ତ ରିଲିଫ ଦିଆଯିବ । ସାବାଳକଙ୍କୁ ମୁଣ୍ଡପିଛା 60 ଟଙ୍କା ଏବଂ ଶିଶୁଙ୍କୁ ମୁଣ୍ଡପିଛା 45 ଟଙ୍କା ହାରରେ ଦୈନିକ ରିଲିଫ ଦିଆଯିବ । ଏହାଦ୍ବାରା 4ଜଣିଆ ସଦସ୍ୟ ବିଶିଷ୍ଟ ପରିବାର 3ହଜାର ଟଙ୍କାରୁ ଅଧିକ ରିଲିଫ ପାଇବେ । ଆଜି ସନ୍ଧ୍ୟାରେ ବନ୍ୟା ପ୍ରଭାବିତ ଅଂଚଳର ସ୍ଥିତି ସଂପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳକୁ 48 ଘଣ୍ଟା ମଧ୍ୟରେ ଯୋଗାଯୋଗ ପୁନଃସ୍ଥାପିତ ହେବ । ସେହିପରି ବିଦ୍ୟୁତ ସଂଯୋଗ ଛିନ୍ନ ହୋଇଥିବା 90 ପ୍ରତିଶତ ଅଂଚଳକୁ 48 ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ ହେବ । ବଳକା 10 ପ୍ରତିଶତ ଅଂଚଳରେ ଆଉ 5 ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ କରାଯିବ ।

ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । 48 ଘଣ୍ଟା ମଧ୍ୟରେ ସବୁ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ସବୁ ନଳକୂପ ମରାମତି କାମ ଶେଷ ହେବ । ସହରାଞ୍ଚଳକୁ ମଧ୍ୟ 48 ଘଣ୍ଟା ମଧ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଯେଉଁଠି ଆବଶ୍ୟକ ପଡିବ ସେଠାରେ ଜେନେରେଟର ସେଟ ଲଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଓ ପୁର୍ନଗଠନ କାର୍ଯ୍ୟ ଶେଷ ହେବା ପରେ ଘର ଓ ଫସଲ ନଷ୍ଟର ଆକଳନ କରାଯିବ ।

Share

Leave a Reply

Your email address will not be published. Required fields are marked *

10 − five =