ସନ୍ଦେହରେ ଦୁଇ ଦଳର କର୍ମୀ

ଭୁବନେଶ୍ବର (ନିପ୍ର) ଦୀର୍ଘ ୧୫ବର୍ଷ ପରେ ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନାରୁ ବିଜେଡି ଦୂରେଇ ରହିବାପରେ ଏବେ ରାଜ୍ୟର ଉଭୟ ବିଜେଡି ଓ ବିଜେପିର ତଳସ୍ତରର କର୍ମୀମାନେ ସନ୍ଦେହରେ ପଡିଛନ୍ତି । ଏହି ଦୁଇଦଳର ସମ୍ପର୍କ ନେଇ ସେମାନଙ୍କ ମଧ୍ୟରେ ସନ୍ଦେହ ବଢିବାରେ ଲାଗିଛି ।

ଗତ ପଞ୍ଚାୟତ ନିର୍ବାଚନ ଠାରୁ ରାଜ୍ୟରେ ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରତିଦ୍ବନ୍ଦି ଭାବେ ଉଭା ହୋଇଛି ବିଜେପି । ଦୁଇଦଳର କର୍ମୀ ଓ ନେତାମାନେ ଗାଁ ଗହଳର ଠାରୁ ଆରମ୍ଭକରି ରାଜଧାନୀ ପର୍ଯ୍ୟନ୍ତ ସବୁଆଡେ ଶିଙ୍ଗ ପକାଇ ଲଢୁଛନ୍ତି । କେହି କାହାରିକୁ ବାଟ ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ପ୍ରତି କଥାରେ ବାଦିପାଲା ଚାଲିଛି । ଦୁଇ ଦଳର ଲକ୍ଷ୍ୟ ହେଉଛି ଗୋଟିଏ, ଭୋଟରଙ୍କ ନିକଟତର ହେବା । ଗତ କିଛିଦିନ ଧରି ରାଜ୍ୟ ବିଜେପିର ମଙ୍ଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧରିବା ସହିତ ବିଜେଡି ଉପରେ ଶାଣିତ ଆକ୍ରମଣ ଚଳାଇଛନ୍ତି । ବିଜେଡି ମଧ୍ୟ ନବୀନଙ୍କ ଆଗରେ ରଖି ବିଜେପିକୁ ମାତ ଦେବାପାଇଁ କୌଣସି ସୁଯୋଗ ହାତଛଡା କରୁନାହିଁ ।

ଏଭଳି ସ୍ଥିତିରେ କିନ୍ତୁ ରାଜ୍ୟ କଂଗ୍ରେସ ଉଭୟ ବିଜେପି-ବିଜେଡି ମଧ୍ୟରେ ସଲାସୁତରା ଚାଲିଥିବାର ଅଭିଯୋଗ କରି ଆସୁଥିଲା । କେନ୍ଦ୍ରରେ ଥିବା ବିଜେପି ମେଣ୍ଟ ସରକାରର ସଂଖ୍ୟା ଆବଶ୍ୟକ ଥିବାବେଳେ ରାଜ୍ୟର ବିଜେଡି ସରକାର ବିଭିନ୍ନ ପ୍ରକାର ତଦନ୍ତରୁ ବର୍ତ୍ତିବା ପାଇଁ ପରସ୍ପର ମଧ୍ୟରେ ଅଦୃଶ୍ୟ ଭାବେ ହାତ ମିଳାଇଥିବା କହୁଛି । କଂଗ୍ରେସର ଏଭଳି ଅଭିଯୋଗକୁ ଯଦିଓ ଦୁଇଦଳ ଅଗ୍ରାହ୍ୟ କରି ଆସୁଥିଲେ ତେବେ ସଂସଦରେ ଅନାସ୍ଥା ପ୍ରସ୍ତାବରୁ ଦୂରେଇ ବିଜେଡି ବିଜେପିକୁ ସହାୟତା କରିବାପରେ କଂଗ୍ରେସ ତାହାର ଆକ୍ରମଣକୁ ଆହୁରି ଶାଣିତ କରିଛି ।

ବିଜେଡିର ସଂସଦରୁ ହଠାତ ଏଭଳି ପଳାୟନ ବିଜେପିକୁ ସୁହାଇଥିବାବେଳେ ଦୁଇ ଦଳ କିନ୍ତୁ କେହି କାହାରିକୁ ଏ ନେଇ ତୀବ୍ର ସମାଲୋଚନା କରୁନାହାନ୍ତି । ଦୁଇଦଳ ନେତାଙ୍କ ନରମ ବାକ୍ୟ ବିନିମୟ ଏବେ ତଳସ୍ତରର କର୍ମୀଙ୍କୁ ଚିନ୍ତାରେ ପକାଇଛି । ଯଦି ଦୁଇ ଦଳ ଆଗାମୀ ନିର୍ବାଚନ ବେଳକୁ ଆହୁରି ନିକଟତର ହୁଅନ୍ତି ତେବେ ରାଜ୍ୟରେ ବିଜେପି-ବିଜେଡି ଆସନ ବୁଝାମଣା ହେବା ଏକପ୍ରକାର ଥୟ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି ।

ଅନାସ୍ଥା ପ୍ରସ୍ତାବରେ ଯଦିଓ ବିଜେପି ସଂସଦରେ ଜିଣିଛି ତଥାପି ଆଗାମୀ ଦିନରେ ସଂସଦରେ ବିଭିନ୍ନ ବିଲ ପାରିତ ଲାଗି ବିଜେଡିର ସହାୟତା ଲୋଡା । କାରଣ ତୃଣମୂଳ କଂଗ୍ରେସ, ଶିବସେନା ଭଳି ଦଳକୁ ଏବେ ବିଜେପି ଶତପ୍ରତିଶତ ବିଶ୍ବାସକୁ ନେଇପାରୁନାହିଁ । କାରଣ ନିଜ ନିଜ ରାଜ୍ୟର ସ୍ବର୍ଥକଥା ଆସିଲା ବେଳକୁ ଏହି ଦୁଇଦଳ ବିଜେପିକୁ ହଲପଟା କରୁଛନ୍ତି । ତେଣୁ ବିଜେଡିକୁ ନିଜ ପଟରେ ରଖିବାଲାଗି ବିଜେପି ଚଳାଇଥିବା ଗୋଟିରେ ଏକ ପ୍ରକାର ସଫଳତା ପାଇଛି ।

ଏଭଳି ସ୍ଥିତିରେ ରାଜ୍ୟରେ ଆଗାମୀ ଦିନରେ କି ପ୍ରକାର ସମୀକରଣ ହେବ ଏବେ ତାହା ଉପରେ ସମସ୍ତଙ୍କର ବିଶେଷକରି ତଳ ସ୍ତରର କର୍ମୀଙ୍କ ନଜର । କାରଣ ଗାଁ ଗହଳରେ ପରସ୍ପର ମଧ୍ୟରେ ଲଢୁଥିବା ବିଜେପି-ବିଜେଡିର କର୍ମୀମାନେ ଆସନ ବୁଝାମଣା ହୋଇଗଲେ ସେମାନେ କଣ  କରିବେ ବୋଲି ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲେଣି ।

Share

Leave a Reply

Your email address will not be published. Required fields are marked *

3 + 20 =