ଓଡିଆ ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ

ଭୁବନେଶ୍ବର()  ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ଦେହାନ୍ତ ହୋଇଛି । ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରୁଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଇ ଚାଲିଯାଇଛନ୍ତି। ଗତ ମାସରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ ସଲିଲ ମିତ୍ର। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ମେ ୧୨ ତାରିଖରେ କେନ୍ଦୁଝରରୁ ସୁଟିଂ ଶେଷ କରି ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ ଭାଙ୍ଗିଯିବା ସହ ଛାତିରେ ମଧ୍ୟ ଆଘାତ ଲାଗିଥିଲା । ପରେ ସଲିଲଙ୍କୁ କଟକ ଏସସିବି ଏବଂ ଭୁବନେଶ୍ୱର କିମସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।

୧୯୯୯ ମସିହାରେ ଓଲିଉଡରେ ସଲିଲ ମିତ୍ରଙ୍କ ଡେବ୍ୟୁ ଫିଲ୍ମ ଥିଲା ପୁଅ ଭାଙ୍ଗିଦେଲା ସୁନା ସଂସାର । ଅନେକ ମଂଚ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ମନ ଜିତିପାରିଥିଲେ । ଅନେକ ଓଡିଆ ସିନେମାରେ ଚମକ୍ରାର କମେଡି କରି ଦର୍ଶକଙ୍କ ମନରଞ୍ଜନ କରିଥିଲେ ସଲିଲ ମିତ୍ର । ସଲିଲଙ୍କ ଅଭିନୀତ କିଛି ସିନେମା ମଧ୍ୟରେ ରହିଛି, ଅର୍ଜୁନ, ଶୁଭବିବାହ, ହିରୋ-ପ୍ରେମ କଥା, ବାଳୁଙ୍ଗା ଟୋକା, କେବେ ତମେ ନାହଁ କେବେ ମୁଁ ନାହିଁ, ତୁ ମୋ ଆରମ୍ଭ ତୁ ମୋ ଶେଷ, ଗଞ୍ଜା ଲଢେଇ, ଗପ ହେଲେ ବି ସତ ଏବଂ ଶୀଷ୍ଟର ଶ୍ରୀଦେବୀ। ଏହାଛଡା ଆହୁରି ଅନେକ ସିନେମାରେ ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ସଲିଲ ମିତ୍ର ।

Share

Leave a Reply

Your email address will not be published. Required fields are marked *

2 × two =