ବଦଳିଲା ବ୍ୟାଙ୍କ ଖୋଲିବାର ସମୟ

ଭୁବନେଶ୍ୱର () ଗ୍ରାହକଙ୍କ ସୁବିଧା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବାର ସମୟ। ଏଣିକି ଆସନ୍ତାକାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ପୂର୍ବରୁ ଏନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକ କାର୍ଯ୍ୟ  ଅବଧି ୧୦ଟାରୁ ୪ଟା ଯାଏଁ ରହିବା ନେଇ  ସୂଚନା ଦେଇଛନ୍ତି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ । କାଲି ଠାରୁ ଏହି ନିୟମ ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ନୀତିଗତ ଭାବେ  ଲାଗୁ ହେବ ଏବଂ ରାଜ୍ୟର ସବୁ ସରକାରୀ ବ୍ୟାଙ୍କ ଗଡ଼ିକ ପାଇଁ ଏହି ନିୟମ ରହିଛି ।

ସରକାରୀ ବ୍ୟାଙ୍କ ସହ ଘରୋଇ ବ୍ୟାଙ୍କଗୁଡିକୁ ବି ସମାନ ସମୟ ଅବଧି ପାଳନ କରିବାକୁ ଅନୁରୋଧ କରାଯାଇଛି । ସେହିଭଳି ଗ୍ରାମାଂଚଳରେ ବ୍ୟାଙ୍କିଂ ସେବାକୁ ତ୍ୱରାନ୍ୱିତ କରାଯିବା ସହ ଅଧିକ ସଂଖ୍ୟକ ବ୍ୟାଙ୍କ ଶାଖା ମାନ ଖୋଲାଯିବ ନେଇ ଏହି ବୈଠକରେ କୁହାଯାଇଛି । ତେବେ ରାଜ୍ୟର ୬ଟି ଜିଲ୍ଲାରେ ତଥା କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା ଏବଂ ବଲାଙ୍ଗିରରେ ବ୍ୟାଙ୍କିଂ ସେବାକୁ ଶତ ପ୍ରତିଶତ ଡିଜିଟାଇଜେସନ କରାଯିବା ନେଇ ମଧ୍ୟ ଏହି ବୈଠକରେ କହିଛନ୍ତି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ।

ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା କହିଥିଲେ ଯେ ବର୍ତ୍ତମାନ ବ୍ୟାଙ୍କମାନେ ପର୍ଯ୍ୟଟନ, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଋଣ ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେବା ଉଚିତ । ଏଥି ସହ ରାଜ୍ୟରେ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି । ବ୍ୟାଙ୍କର ସମସ୍ତ ଗ୍ରାହକମାନଙ୍କୁ ବୀମା ଯୋଗାଇଦେବା ଏବଂ ଏସ୍‌ଏଲ୍‌ବିସି ରାଜ୍ୟରେ ଋଣ ମେଳାର ସଫଳ ଆୟୋଜନକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ଯୋଗଦେଇ ପ୍ରକାଶ କରିଥିଲେ ଯେ ରାଜ୍ୟ ଅର୍ଥନୀତିର ସୁଦୃଢ଼ୀକରଣ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରତି ବ୍ଳକ୍‌ସ୍ତରରେ ଋଣ ମେଳା ଆୟୋଜନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ୟୁକୋ ବ୍ୟାଙ୍କର ସିଇଓ ଏ.କେ. ଗୋୟଲ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ମନ୍ତ୍ରକୁ ଆପଣେଇ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଜନସାଧାରଣଙ୍କୁ ଉନ୍ନତ ବ୍ୟାଙ୍କ ସେବା ଯୋଗାଇବା ନିମନ୍ତେ କାର୍ଯ୍ୟକରିବା ଉଚିତ । ବାତ୍ୟା ଫନୀ ପରବର୍ତ୍ତୀ ସମୟରେ ୧୨୩୦୯୦ ଜଣ ହିତାଧିକାରୀଙ୍କୁ ୫୮୫୩ କୋଟି ନଗଦ ଋଣ ପ୍ରଦାନ କରାଯାଇଛି ।

ଓଡ଼ିଶାରେ କମସଂଖ୍ୟକ ବ୍ୟାଙ୍କ ଶାଖା କାର୍ଯ୍ୟକରୁଥିବା ଏବଂ ଗମନାଗମନର ଅସୁବିଧା ହେତୁ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିରେ ବାଧା ଉପୁଜୁଛି ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କେ. ମୀନା କହିଛନ୍ତି । ସରକାରୀ ତାଲିକାଭୁକ୍ତ ହୋଇଥିବା ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ଆଦୌ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରରେ ଅତିକମ୍‌ରେ ପାଞ୍ଚଟି ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ୭୧,୪୨୦ କୋଟି ରହିଥିବାବେଳେ ୫୯୯୩୬ କୋଟି ଟଙ୍କା ଅର୍ଥାତ୍‌ ଶତକଡ଼ା ୮୪ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି ।

Share

Leave a Reply

Your email address will not be published. Required fields are marked *

seven − five =