ପିଙ୍କ୍ ଅକ୍ଟୋବର: ସ୍ତନ କର୍କଟ ସମ୍ପର୍କରେ ସଚେତନତା, ଶୀଘ୍ର ଚିହ୍ନଟ ଓ ଠିକ୍ ସମୟରେ ଚିକିତ୍ସା ପାଇଁ ମେନକାଇଣ୍ଡ ଫାର୍ମାର ଆହ୍ୱାନ
ଭୁବନେଶ୍ୱର, ୨୩ ଅକ୍ଟୋବର ୨୦୨୬: ସ୍ତନ କର୍କଟ ସଚେତନତା ମାସ ଅବସରରେ ମେନକାଇଣ୍ଡ ଫାର୍ମା ନିଜର ‘ପିଙ୍କ୍ ଅକ୍ଟୋବର’ ଅଭିଯାନ ମାଧ୍ୟମରେ ସ୍ତନ କର୍କଟ ସମ୍ପର୍କରେ ସଚେତନତା ବୃଦ୍ଧି, ରୋଗର ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ଚିକିତ୍ସାର ଗୁରୁତ୍ୱ ଉପରେ ଆଲୋକପାତ କରିଛି। କମ୍ପାନୀର ‘ଏକ ନିୟୁତ ଜୀବନ’ ଅଭିଯାନର ଏକ ଅଂଶ ଭାବେ ଏହି ପଦକ୍ଷେପ ନିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି କର୍କଟ ରୋଗ ସମ୍ପର୍କିତ ସଠିକ୍ ତଥ୍ୟକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଲୋକଙ୍କୁ ସଚେତନ କରିବା।
ସ୍ତନ କର୍କଟ ସମ୍ପର୍କରେ ସଚେତନତା ରହିଲେ ଲୋକମାନେ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ସହ ଏହି ରୋଗ ବିଷୟରେ ଭଲ ଭାବେ ବୁଝିପାରିବେ। ସ୍ତନରେ ଗୋଟାଳି ବା ମାଂସପିଣ୍ଡ ଭଳି ଅନୁଭବ ହେବା, ସ୍ତନର ଆକାର କିମ୍ବା ଆକୃତିରେ ପରିବର୍ତ୍ତନ, ଚର୍ମରେ ପରିବର୍ତ୍ତନ, ସ୍ତନବୃନ୍ତରେ ପରିବର୍ତ୍ତନ କିମ୍ବା ସେଥିରୁ ଅସ୍ୱାଭାବିକ ତରଳ ପଦାର୍ଥ ବାହାରିବା ଆଦି ଏହି ରୋଗର ସମ୍ଭାବ୍ୟ ସତର୍କ ସଙ୍କେତ ହୋଇପାରେ। ତେବେ, ଏଭଳି ପରିବର୍ତ୍ତନ ଦେଖାଦେଲେ ତାହା ସବୁବେଳେ କର୍କଟ ରୋଗର ଲକ୍ଷଣ ବୋଲି ଧରିନେବା ଠିକ୍ ନୁହେଁ। କିନ୍ତୁ ଏହାର ଉପଯୁକ୍ତ ଡାକ୍ତରୀ ପରୀକ୍ଷା କରାଇବା ଆବଶ୍ୟକ। ବୟସ ଓ ବ୍ୟକ୍ତିଗତ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଡାକ୍ତରୀ ପରୀକ୍ଷା ଏବଂ ଆବଶ୍ୟକ ସ୍ଥଳେ ସ୍ତନର ବିଶେଷ ଏକ୍ସ-ରେ ପରୀକ୍ଷା ମାଧ୍ୟମରେ ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବାରେ ସହାୟତା ମିଳିପାରେ।
ମେନକାଇଣ୍ଡ ଫାର୍ମାର ବରିଷ୍ଠ ସଭାପତି ଅତିଶ ମଜୁମଦାର କହିଛନ୍ତି, “କର୍କଟ ରୋଗ ସମ୍ପର୍କରେ ସଚେତନତା କେବଳ ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା କେନ୍ଦ୍ର ମଧ୍ୟରେ ସୀମିତ ନ ରହି ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି କିପରି ଯତ୍ନବାନ ହେଉଛନ୍ତି, ତାହାର ଏକ ଅଂଶ ହେବା ଆବଶ୍ୟକ। ଆମର ‘ଏକ ନିୟୁତ ଜୀବନ’ ଅଭିଯାନ ମାଧ୍ୟମରେ ଆମେ ଭରସାଯୋଗ୍ୟ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ସହ ନିଜ ସ୍ୱାସ୍ଥ୍ୟ ପାଇଁ ଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ଉତ୍ସାହିତ କରୁଛୁ। ପିଙ୍କ୍ ଅକ୍ଟୋବର ଅଭିଯାନ ମାଧ୍ୟମରେ ସ୍ତନ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା, ରୋଗର ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବାର ଗୁରୁତ୍ୱକୁ ଆମେ ପୁଣିଥରେ ଉପସ୍ଥାପନ କରୁଛୁ। ଆମର ବିଶ୍ୱାସ ଯେ, ନିରନ୍ତର ସଚେତନତା ପ୍ରୟାସ ବ୍ୟକ୍ତି ଓ ପରିବାରକୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ୍ ନିଷ୍ପତ୍ତି ନେବାରେ ସକ୍ଷମ କରିପାରିବ।”
ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଗଲେ ଡାକ୍ତରମାନେ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପଦ୍ଧତି ସ୍ଥିର କରିପାରନ୍ତି। ବିଭିନ୍ନ ଡାକ୍ତରୀ ପରୀକ୍ଷା ଏବଂ ଟ୍ୟୁର୍ମର ବିଶେଷ ଗୁଣଧର୍ମ ଯାଞ୍ଚ ମାଧ୍ୟମରେ ସ୍ତନ କର୍କଟର ପ୍ରକାର ଓ ବୈଶିଷ୍ଟ୍ୟ ବିଷୟରେ ଜାଣିବା ସହ ଚିକିତ୍ସା ସମ୍ପର୍କରେ ଠିକ୍ ନିଷ୍ପତ୍ତି ନେବା ସମ୍ଭବ ହୁଏ। ଆବଶ୍ୟକ ସ୍ଥଳେ ଏଚ୍ଇଆର୍-୨ ପରୀକ୍ଷା ମାଧ୍ୟମରେ ଟ୍ୟୁର୍ମର ଏଚ୍ଇଆର -୨ ସ୍ଥିତି ଜଣାପଡ଼େ। ଏହା ରୋଗୀଙ୍କ ପାଇଁ ଉପଯୁକ୍ତ ଲକ୍ଷ୍ୟଭିତ୍ତିକ ଚିକିତ୍ସା ବାଛିବାରେ ସହାୟକ ହୁଏ।
ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲର ପରାମର୍ଶଦାତା କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟ କୁମାର ପାଣି କହିଛନ୍ତି, “ସ୍ତନରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖିବା ମାତ୍ରେ ତାହାକୁ ଚିହ୍ନିବା ଏବଂ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବା ରୋଗର ଠିକ୍ ସମୟରେ ଚିହ୍ନଟ ପାଇଁ ଗୁରୁତ୍ୱପୂର୍ଣ୍ଣ। ବୟସ ଓ ବ୍ୟକ୍ତିଗତ ବିପଦ ଆଶଙ୍କା ଅନୁଯାୟୀ ରୋଗ ପରୀକ୍ଷା କରାଇବା ସମ୍ପର୍କିତ ପରାମର୍ଶ ଭିନ୍ନ ହୋଇଥାଏ। ତେଣୁ ଜଣେ ଯୋଗ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ସ୍ତନ କର୍କଟ ରୋଗ ଚିହ୍ନଟ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ବିଭିନ୍ନ ଡାକ୍ତରୀ ପରୀକ୍ଷା ଏବଂ ଆବଶ୍ୟକ ସ୍ଥଳେ ଏଚ୍ଇଆର-୨ ପରୀକ୍ଷା ସମେତ ଅନ୍ୟାନ୍ୟ ଜୈବିକ ସୂଚକ ପରୀକ୍ଷା ଚିକିତ୍ସା ପଦ୍ଧତି ସ୍ଥିର କରିବାରେ ସହାୟକ ହୁଏ। ଅଧିକ ସଚେତନତା ଦ୍ୱାରା ଲୋକମାନେ ଠିକ୍ ସମୟରେ ପରୀକ୍ଷା କରାଇବାକୁ ଆଗେଇ ଆସିବେ ଏବଂ ଆବଶ୍ୟକ ଚିକିତ୍ସା ପାଇପାରିବେ।”
୨୦୨୬ ଜୁନ୍ ମାସରେ ଆରମ୍ଭ ହୋଇଥିବା ମେନକାଇଣ୍ଡ ଫାର୍ମାର ‘ଏକ ନିୟୁତ ଜୀବନ’ ଅଭିଯାନ ଅଧୀନରେ ୫୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିସହ, ଜୁଲାଇ ମାସରେ ୨୮୫ ଜଣ ଡାକ୍ତର ୧୦ ଲକ୍ଷ ପରିବାରର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସହଯୋଗ କରିବାକୁ ସଂକଳ୍ପ ନେଇଥିଲେ। ପିଙ୍କ୍ ଅକ୍ଟୋବର ଅଭିଯାନ ମାଧ୍ୟମରେ କମ୍ପାନୀ କର୍କଟ ରୋଗର ପ୍ରତିରୋଧ ଓ ସଚେତନତା ଉପରେ ନିଜର ଗୁରୁତ୍ୱ ଜାରି ରଖିବା ସହ ରୋଗର ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ଚିକିତ୍ସା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛି।
