ବିସି ଜିନ୍ଦଲ ଫାଉଣ୍ଡେସନ ୨୦୨୬-୨୭ରେ ୧୬ କୋଟି ନିବେଶ କରି ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବ
ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପର ସିଏସଆର ଶାଖା ବିସି ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ୨୦୨୬-୨୭ରେ ୧୬ କୋଟି ଟଙ୍କା ନିବେଶ କରାଯିବ। ୨୦୨୫-୨୬ର ୭ କୋଟି ଟଙ୍କାର ବ୍ୟୟ ତୁଳନାରେ ଏହା ପ୍ରାୟ ଦୁଇ ଗୁଣା ଅଧିକ। କମ୍ପାନି ଭାରତରେ ସ୍ୱାସ୍ଥ୍ୟସେବାକୁ ସବୁ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଂଚାଇବା ଉପରେ ଗୁରୁତ୍ୱ ଦେବ। ଏହି ଅଭିଯାନ ଜରିଆରେ ଫାଉଣ୍ଡେସନ ଭିତ୍ତିଭୂମିକୁ ବ୍ୟାପକ କରିବା, ରୋଗୀ କ୍ଷମତା ବଢ଼ାଇବା ଓ ସୁଲଭ ମୂଲ୍ୟରେ ଡାଏଲିସିସ ଓ ନିଦାନ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
ବିସି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ନେତୃତ୍ୱରେ ଗ୍ରୁପ ପରିଚାଳିତ ହେଉଥିବା ବେଳେ ଏହାର ଫାଉଣ୍ଡେସନର ସ୍ୱାସ୍ଥ୍ୟସେବା ଅଭିଯାନ ଦ୍ୱାରା ଗତ ୫ ବର୍ଷରେ ୬ ଲକ୍ଷ ହିତାଧିକାରୀ ଉପକୃତ ହୋଇଛନ୍ତି ଓ ୨୦୨୫-୨୬ରେ ଏହା ୧.୬୦ ଲକ୍ଷ ଲୋକଙ୍କୁ ସେବା ଯୋଗାଇଛି। ଜେନେରାଲ ମେଡିସିନ, ନେଫ୍ରୋଲୋଜି, ସ୍ତ୍ରୀରୋଗ ଓ ପ୍ରସୂତୀ, ଚକ୍ଷୁ ରୋଗ, ଶିଶୁ ରୋଗ, ଦନ୍ତ ଚିକିତ୍ସା ଓ ମନୋବିଜ୍ଞାନ ଚିକିତ୍ସା କ୍ଷେତ୍ରରେ ଏହା ସେବା ପ୍ରଦାନ କରୁଛି। ଏହା ଡାଏଲିସିସି, ଏକ୍ସରେ, ଅଲଟ୍ରାସାଉଣ୍ଡ ଓ ପାଥୋଲୋଜି ସେବା ବି ପ୍ରଦାନ କରୁଛି। ବିସିଜେଏଫ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦ୍ୱାରା ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଉଛି।
ଓଡ଼ିଶାର ଡେରଙ୍ଗ ଜିଲ୍ଲାରେ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ବିସି ଜିନ୍ଦଲ ଫାଉଣ୍ଡେସନ (ବିସିଜେଏଫ)ର ଅଭିଯାନ ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ଜୀବନରେଖା ପାଲଟିଛି। ଏଥିରେ ଭାଗ ନେଇଥିବା ୬୪ ପ୍ରତିଶତ ବ୍ୟକ୍ତି ଏହି କେନ୍ଦ୍ରଗୁଡ଼ିକୁ ପସନ୍ଦର ସେବା ପ୍ରଦାନକାରୀ କହିଛନ୍ତି। ପଶ୍ଚିମବଙ୍ଗର ବେଲୁର ଅଂଚଳରେ ଏହି କେନ୍ଦ୍ରଗୁଡ଼ିକ ୮୨ ପ୍ରତିଶତ ପରିଦର୍ଶନକାରୀଙ୍କ ପସନ୍ଦ ହୋଇଛି। ୯୬.୯ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଖର୍ଚ୍ଚ କମ ହୋଇଥିବା ଓ ସ୍ୱାସ୍ଥ୍ୟ ମାନଦଣ୍ଡରେ ଉନ୍ନତି ହୋଇଥିବା କହିଛନ୍ତି। ଦିଲ୍ଲୀର ସିଭିଲ ଲାଇନରେ ମଧ୍ୟ ୮୨ ପ୍ରତିଶତ ହିତାଧିକାରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା କହିଛନ୍ତି।
ବିସି ଜିନ୍ଦଲ ଗ୍ରୁପର ପ୍ରବକ୍ତା କହିଛନ୍ତି ଯେ, “ଭାରତର ପ୍ରାୟ ୭୦ ପ୍ରତିଶତ ଲୋକ ଏଭଳି ଅଂଚଳରେ ବାସ କରୁଛନ୍ତି ଯେଉଁଠାରେ ଭିତିଭୂମି ଅଭାବ ଓ ବର୍ଦ୍ଧିତ ଖର୍ଚ୍ଚ କାରଣରୁ ଗୁଣାତ୍ମକ ମେଡିକାଲ ସେବା ପହଂଚିପାରୁନାହିଁ। ଅନଗ୍ରସର ସମୁଦାୟ ପାଇଁ ଏକ ଦୃଢ଼ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପ୍ରସାରଣ କରି ଏହି ଆହ୍ୱାନଗୁଡ଼ିକୁ ବିସି ଜିନ୍ଦଲ ଫାଉଣ୍ଡେସନ (ବିସିଜେଏଫ) ସିଧାସଳଖ ସମାଧାନ କରୁଛି। ସର୍ବନିମ୍ନ ଖର୍ଚ୍ଚରେ ଗୁଣାତ୍ମକ ମେଡିକାଲ ସେବା ପ୍ରଦାନ କରି ଗୁଣାତ୍ମକ ଚିକିତ୍ସବାକୁ କେବଳ ଏକ ବିଳାସ ନୁହେଁ, ବରଂ ଉଭୟ ଗ୍ରାମାଚଂଳ ଓ ସହରାଚଂଳ ଲୋକଙ୍କ ପାଇଁ ମୌଳିକ ଅଧିକାର ଭାବେ ଫାଉଣ୍ଡେସନ ସୁନିଶ୍ଚିତ କରିପାରିଛି।”
ବିଗତ ପାଂଚ ବର୍ଷରେ ବିସି ଜିନ୍ଦଲ ଗ୍ରୁପ ଏହି ଅଭିଯାନ ପ୍ରତି ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରି ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରିଛି।
କମ୍ପାନିର ପ୍ରବକ୍ତା କହିଛନ୍ତି ଯେ, “ବ୍ୟାପକ ଗୋଷ୍ଠୀ ଅଭିଯାନ ଓ ଚିକିତ୍ସାରେ ଉତ୍କର୍ଷକୁ ମିଶାଇ ଫାଉଣ୍ଡେସନର ସମନ୍ୱିତ ମଡେଲରେ ସଚେତନତା ଅଧିବେଶନ ଓ ରୋଗକୁ ଆଗୁଆ ଚିହ୍ନଟ କରିବାକୁ ସ୍ୱତନ୍ତ୍ର ସ୍କ୍ରିନିଂ ଶିବିର ରହିଛି ଯାହା ସ୍ୱାସ୍ଥ୍ୟ,ଶିକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରହିଥିବା ନିରନ୍ତର ବିକାଶ ଲକ୍ଷ୍ୟ ସହିତ ସମନ୍ୱିତ ରହିଛି।”
୨୦୨୫-୨୬ରେ ବିସି ଜିନ୍ଦଲ ଗ୍ରୁପ ଏହାର ସିଏସଆର ପ୍ରକଳ୍ପଗୁଡ଼ିକରେ ୪୦ କୋଟି ଟଙ୍କା ନିବେଶ କରିଛି। ଏହା ଜରିଆରେ ଫାଉଣ୍ଡେସନ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା, ଦକ୍ଷତା ବିକାଶ, ପଶୁ କଲ୍ୟାଣ ଓ ପୋଷଣରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି।

