ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ “ଓଡ଼ିଶା ବନ୍ଦ୍‌’

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ  ହରତାଳ ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ।

ବନ୍ଦ ସମୟରେ ଜରୁରୀକାଳିନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ ଓ ମୋଟରଯାନକୁ ଯିବାପାଇଁ ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ କୌଣସି ବାରଣ ନାହିଁ । ଟ୍ରେନ୍ ଚଳାଚଳ ବନ୍ଦ ରହିବ । ବସ୍‌, ଟ୍ରକ୍ ମାଲିକ ସଂଘ ଓ ଅଟୋଚାଳକ ସଂଘ ଏବଂ ବ୍ୟବସାୟୀ ସଂଘଙ୍କୁ ଏହି ବନ୍ଦରେ ସାମିଲ ହେବାକୁ ନିବେଦନ କରାଯାଇଛି । ଅପରପକ୍ଷେ ଆଜି  କଂଗ୍ରେସର ୬ ଘଣ୍ଟିଆ ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି । ରାଜ୍ୟ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଚିଠି ଲେଖି କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରା ସମ୍ପର୍କରେ ଅବଗତ କରାଇଛନ୍ତି । କଂଗ୍ରେସ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଓଡ଼ିଶା ବନ୍ଦ ପାଳନ କରିବ ।

ଯାହାଫଳରେ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର, କେନ୍ଦ୍ର ଓ ରାଜ୍ୟ ସରକାରୀ ଅଫିସ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ଆର୍ôଥକ ପ୍ରତିଷ୍ଠାନଗୁଡ଼ିକ, କୋର୍ଟ ଓ ପରିବହନ ବ୍ୟବସ୍ଥା ଆଦିକୁ ସେମାନେ ବନ୍ଦ କରିବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଅଫିସର ଓ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତାକାଲି ଲୋକସେବା ଭବନର ମୁଖ୍ୟ ଗେଟ୍ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ । ଯାତାୟତ ପାଇଁ ପଛ ଗେଟ୍ ଖୋଲା ରହିବ । ଏହାସହିତ ଆସନ୍ତାକାଲି ସାଧାରଣ ଲୋକଙ୍କ ପାଇଁ ଲୋକସେବା ଭବନ, ଖାରବେଳ ଭବନ ବନ୍ଦ ରହିବ । ଅତି ଜରୁରୀ ଥିଲେ ବିଭାଗର ସୁପାରିସ୍ ଆଧାରରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଅନୁମତିରେ ହିଁ ପ୍ରବେଶ କରିପାରିବେ ।

Share

Leave a Reply

Your email address will not be published. Required fields are marked *

17 − twelve =