ଛତିଶଗଡ଼ ଅଟକାଇଲା ପାଣି, ବିଜେପି ନିରବ

ଜୁନ 15 ତାରିଖରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ହୀରାକୁଦ ବନ୍ଧର ମୌସୁମୀ ଅବଧି ବୋଲି କୁହାଯାଇଥାଏ । ଏହି ସମୟରେ ବନ୍ୟା ନିୟନ୍ତ୍ରଣ ଦୃଷ୍ଟିରୁ ଜଳ ପରିଚାଳନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଥାଏ । ସେପଟେ ଗତ 2 ବର୍ଷ ହେଲା ମହାନଦୀର ଉପରମୁଣ୍ଡ ଛତିଶଗଡରେ ଏକାଧିକ ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହେବା ପରେ ଅଣସୌସୁମୀ ଅବଧିରେ ହୀରାକୁଦକୁ ଜଳପ୍ରବେଶର ମାତ୍ରା ଉପରେ ସମସ୍ତଙ୍କ ନଜର ରହି ଆସୁଛି । ଏଭଳିସ୍ଥିତିରେ ଅକ୍ଟୋବର ପହିଲାରୁ ଜଳସ୍ତର ତାର ସର୍ବୋଚ୍ଚ ସ୍ତର 630 ଫୁଟରେ ପହିଞ୍ଚିବା କଥା । ହେଲେ ଦୁଇ ଦିନ ବିତିବା ପରେ ବି ଅଧ ଫୁଟ ପାଣି କମ ରହିଛି । ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟୀ ରଥ ।

ପୁଣି ଉପରମୁଣ୍ଡରେ ବର୍ଷା ଛାଡି ଯାଇଥିବାରୁ ଜଳଭଣ୍ଡାର ମଧ୍ୟକୁ ଜଳପ୍ରବେଶର ମାତ୍ରା ବିଶେଷ ଭାବେ ହ୍ରାସ ପାଇଛି । ଆଜି ରାତି ସୁଦ୍ଧା ଜଳଭଣ୍ଡାରକୁ ମାତ୍ର 15 ହଜାର 7ଶହ କ୍ୟୁସେକ ଜଳ ପ୍ରବେଶ କରୁଛି । ସେପଟେ ଛତିଶଗଡ ଗତକାଲିଠାରୁ ତାର କାର୍ଯ୍ୟକ୍ଷମ ଥିବା 4ଟି ବ୍ୟାରେଜ ଗେଟ ବନ୍ଦ କରିବା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ସମୋତାର ସମସ୍ତ ଗେଟ ବନ୍ଦ ହୋଇସାରିଥିବା ବେଳେ ବସନ୍ତପୁରର ମାତ୍ର 8ଟି, ମିରୋନିର 9ଟି ଗେଟ ଛାଡି ଅନ୍ୟ ସମସ୍ତ ଗେଟ ବନ୍ଦ ହୋଇଯାଇଛି । ସେହିପରି ଓଡିଶା ପଟରୁ ପ୍ରଥମ ବ୍ୟାରେଜ କଲମାର ମଧ୍ୟ ଗେଟ ବନ୍ଦ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ଜଣାପଡିଛି । ଛତିଶଗଡରେ ବର୍ଷା ନହେଲେ ଆସନ୍ତା 10 ତାରିଖ ସୁଦ୍ଧା କଲମା ତାର ସବୁ ଗେଟ ବନ୍ଦ କରିବ ବୋଲି ସୂଚନା ମିଳିଛି । ଫଳରେ ଆଗାମୀ ଦିନରେ ହୀରାକୁଦକୁ ଜଳପ୍ରବେଶର ମାତ୍ରା ପୁଣି ନଗନ୍ୟ ହେବା ଏକପ୍ରକାର ଥୟ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ସବୁଠୁ ଉଦବେଗର କଥା ହେଉଛି ଏହି ପ୍ରସଙ୍ଗରେ ରାଜ୍ୟ ସ୍ୱାର୍ଥ ରକ୍ଷା କଥା କହୁଥିବା ବିଜେପି ଏହି ପ୍ରସଙ୍ଗରେ ଏଯାଏଁ ନିରବ ରହିଛି । ରାଜ୍ୟ ନେତାମାନେ ଓଡିଶା ସ୍ଵାର୍ଥ ପାଇଁ ମୁହଁ ଖୋଲୁନାହାନ୍ତି କି ଛତିଶଗଡ଼ ଉପରେ ଚାପ ପକାଉନାହାନ୍ତି । ବରଂ ଛତିଶଗଡ଼ କାର୍ଯ୍ୟକୁ ସମର୍ଥନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 3 =