କେନ୍ଦ୍ର ସହ ସମାନ୍ତରାଳ ନିର୍ବାଚନ ପାଇଁ ବିଜେଡି ରାଜି

ଭୁବନେଶ୍ବର () ସମାନ୍ତରାଳ ଭାବେ ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ସପକ୍ଷରେ ଯୁକ୍ତି ବାଢିଛି ବିଜେଡି । ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାଠି ନହେଲେ ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ପଡିବ । ଓଡିଶା ଭଳି ରାଜ୍ୟରେ ଏକ କାଳିନ ନିର୍ବାଚନ ନହେଲେ ରାଜ୍ୟ ସରକାରଙ୍କ ଉପରେ ପ୍ରାୟ ହଜାରେ କୋଟି ଟଙ୍କାର ଆର୍ଥିକ ବୋଝ ପଡିବ । ରାଜ୍ୟବାସୀଙ୍କ ଟିକସ ଅର୍ଥକୁ ଏଭଳି ବାରମ୍ବାର ନିର୍ବାଚନ କରି ସାଧାରଣ ଲୋକଙ୍କ ଉପରେ ଲଦି ଦିଆଯିବା ଉଚିତ ନୁହେଁ । ଆଜି ବିଜେଡି ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନଙ୍କୁ ଏକ ଚିଠି ଲେଖିବା ସହ ଅନୁରୋଧ କରିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରନ୍ତି ତେବେ ରାଜ୍ୟ ବିଧାନସଭା ନିର୍ବାଚନକୁ ମଧ୍ୟ ସମାନ୍ତରାଳ ଭାବେ କରାଯାଉ ।

2004ରେ ରାଜ୍ୟ ସରକାର ଗୋଟେ ବର୍ଷ ପୂର୍ବରୁ ଓଡିଶା ବିଧାନସଭାକୁ ଭାଙ୍ଗି କେନ୍ଦ୍ର ସହ ସମାନ୍ତରାଳ ଭାବେ ଏକାସାଙ୍ଗେ ନିର୍ବାଚନକୁ ଓହ୍ଲାଇଥିଲେ । 1971 ପରେ ଅର୍ଥାତ 33 ବର୍ଷ ପରେ 2004ରେ ପୁଣି ଥରେ ସମାନ୍ତରାଳ ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେ ସମୟରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେବାର ମୁଖ୍ୟ କାରଣ ଥିଲା ଯେ, ସରକାର ଲୋକଙ୍କ ଉପରେ ବାରମ୍ବାର ନିର୍ବାଚନର ବୋଝ ଲଦିବାକୁ ଚାହୁଁନାହାଁନ୍ତି । ଏବଂ ବାରମ୍ବାର ନିର୍ବାଚନ ହେଲେ ଅଳ୍ପ ବ୍ୟବଧାନରେ ଆଦର୍ଶ ଆଚରଣ ବିଧିର ଲାଗୁ ଦ୍ବାରା ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ସମାନ୍ତରାଳ ଭାବେ ନିର୍ବାଚନ ନହେଲେ, ଲୋକସଭା ନିର୍ବାଚନ ପରିଚାଳନାର ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି । ଲୋକ ସଭା ସହ ସମାନ୍ତରାଳ ନିର୍ବାଚନ ନହେଲେ ରାଜ୍ୟ ଉପରେ ଆନୁମାନିକ ହଜାରେ କୋଟି ଟଙ୍କାର ବୋଝ ପଡିବ  । କନ୍ତୁ ସମାନ୍ତରାଳ ଭାବେ ନିର୍ବାଚନ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଖର୍ଚ୍ଚ ବହନ କରିଥାନ୍ତି । ସାଧାରଣ ଭାବେ ନିର୍ବାଚନ ପରିଚାଳନର ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ 50:50 ହାରରେ ବହନ କରିଥାନ୍ତି ।

ଏହି ଦୃଷ୍ଟିକୋଣରୁ ଯଦି କେନ୍ଦ୍ର ସରକାର ଆସନ୍ତା ସାଧାରଣ ନିର୍ବାଚନକୁ ଆଗୁଆ କରିବାକୁ ଚିନ୍ତା କରୁଥାନ୍ତି ତେବେ କମିଶନ ଓଡିଶା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଗ୍ରହଣ କରିବାକୁ ବିଜେଡି ଦଳ ପକ୍ଷରୁ ସେ କମିଶନଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ବାରା ରାଜ୍ୟକୁ ଅଧିକ ପ୍ରାୟ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ  ।

Share

Leave a Reply

Your email address will not be published. Required fields are marked *

five × 1 =