ପ୍ରଶ୍ନରେ ବିଜେପି ଓ ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲା ବିଜେଡି

ଭୁବନେଶ୍ବର () କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ଆଣିଥିବା ଅଭିଯୋଗର ଜବାବ ବିଜେଡି ପ୍ରଶ୍ନ ମାଧ୍ୟମରେ ଦେଇଛି । କେନ୍ଦ୍ର ସରକାର ଦେଶ ଓ ରାଜ୍ୟର ବିକାଶ ପାଇଁ ମାରୁଥିବା ବାହାସ୍ଫୋଟର ଜବାବ ମାଗିଛି ବିଜେଡି । ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି 20ଟି ପ୍ରଶ୍ନ କରିଛି ।

ପ୍ରଶ୍ନ ନମ୍ବର 1 () ଉଜ୍ବଳା ଯୋଜନାରେ କେନ୍ଦ୍ରମନ୍ତ୍ରୀ ଏପର୍ଯ୍ୟନ୍ତ କାହିଁକି ହିତାଧିକାରୀଙ୍କ ତାଲିକା ତାଙ୍କ ୱେବସାଇଟରେ ଦେଉନାହାଁନ୍ତି । କେତେଜଣ ହିତାଧିକାରୀ ଯୋଜନାରେ ସାମିଲ ହୋଇଛନ୍ତି, କେତେଜଣ ଗ୍ୟାସଚୁଲା ଓ ସିଲିଣ୍ଡର ପାଇଛନ୍ତି, କେତେଜଣ ପ୍ରଥମ ଓ ଦ୍ବିତୀୟ ରିଫଲ କରିଛନ୍ତି ତାର ହିସାବ ମାଗିଛି ବିଜେଡି । ଏହି ଯୋଜନାରେ କେନ୍ଦ୍ରାପଡା ଓ ରାଜନଗରରେ ସେ ଭ୍ରଷ୍ଟାଚାରର ଗନ୍ଧ ପାଇଥିଲେ, କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା?

ପ୍ରଶ୍ନ ନମ୍ବର 2 () 2014ରେ ଆନ୍ତର୍ଜାତିକ ବଜାରରେ କ୍ରୁଡ ଅଏଲର ଦର ବ୍ୟାରେଲ ପିଛା 112 ଡଲାର ଥିଲା, ଏବେ 58 ଡଲାର । ଏହି ଅନୁପାତରେ ତୈଳ ଦର ଅଧା ହେବା କଥା । କିନ୍ତୁ କମୁନି କାହିଁକ । ପେଟ୍ରୋଲିଅମ କମ୍ପାନୀର ଲାଭ ଅର୍ଥରେ ବିଜେପିର ନିର୍ବାଚନ କ୍ୟାମ୍ପେନ ହେଉଛି କି?

ପ୍ରଶ୍ନ ନମ୍ବର 3 () ରେଳବାଇରେ ଓଡିଶାରୁ ପ୍ରତିବର୍ଷ 20ହଜାର କୋଟି ଟଙ୍କା କେନ୍ଦ୍ର ସରକାର ସଂଗ୍ରହ କରୁଛି । କିନ୍ତୁ ରାଜ୍ୟରେ ଖର୍ଚ୍ଚ ହେଉଛି ମାତ୍ର 2ହଜାର ଟଙ୍କା । ଓଡିଶାର କେତେ ରେଳ ଲାଇନ ଅଧାପନ୍ତରା ଅବସ୍ଥାରେ ରହିଛି, ଓଡିଶାରୁ ଯାଉଥିବା ଅର୍ଥ ଅନ୍ୟ କେଉଁ ରାଜ୍ୟରେ ଖର୍ଚ୍ଚ ହେଉଛି କି?

ପ୍ରଶ୍ନ ନମ୍ବର 4 () ଜାତୀୟ ରାଜପଥକୁ 4ଲେନ ବିଶିଷ୍ଟ କରିବା ପାଇଁ ଭିତ୍ତିପ୍ରସ୍ତର ଦେବାକୁ 4 ବର୍ଷ ଲାଗିଲା । ଏହାର ଉତ୍ତର ଦେବେ କି?

ପ୍ରଶ୍ନ ନମ୍ବର 5 () ଗରିବ ଲୋକଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବାକୁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ସହାୟତା କରିବାକୁ ଏମସିଏଲ ଓ ଗେଲ ଭଳି କେନ୍ଦ୍ରୀୟ ସଂସ୍ଥା ଏମଓୟୁ କରିଥିଲେ । କିନ୍ତୁ ସେମାନେ ଓହରିଲେ କାହିଁକି?

ପ୍ରଶ୍ନ ନମ୍ବର 6 () 2015ରୁ କୋଲ ରୟାଲଟି ରିଭିଜନ ହୋଇନି । ଏବାବଦରେ ଓଡିଶା ପ୍ରତି ବର୍ଷ 2ହଜାର କୋଟି ଟଙ୍କା ହରାଉଛି । ଓଡିଶାର କୋଲ ରୟାଲଟି କାହିଁକି ରିଭିଜନ କରୁନାହାଁନ୍ତି?

ପ୍ରଶ୍ନ ନମ୍ବର 7 () କ୍ଲିନ ଏନର୍ଜି ସେସ ବାବଦରେ କେନ୍ଦ୍ର ସରକାର ଓଡିଶାରୁ 21ହଜାର କୋଟି ନେଇଛନ୍ତି କିନ୍ତୁ ଟଙ୍କାଟିଏ ବି ମିଳିନି । କେନ୍ଦ୍ର ମନ୍ତ୍ରୀ ଏହାର ଉତ୍ତର ଦେବେ କି?

ପ୍ରଶ୍ନ ନମ୍ବର 8 () ପାରାଦ୍ବୀପ ତୈଳ ବିଶୋଧନାଗାର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମୀକା କଣ ରହିଛି । କିନ୍ତୁ ଓଡିଆ ଓ ଅଣଓଡିଆ ଲୋକଙ୍କ ନିଯୁକ୍ତି ନେଇ କେନ୍ଦ୍ର ମନ୍ତ୍ରୀ କାହିଁକି ହିସାବ ଦେଉନାହାଁନ୍ତି?

ପ୍ରଶ୍ନ ନମ୍ବର 9 () ନିର୍ବାଚନ ଇସ୍ତାହାରରେ ଧାନର ଏମଏସପି ଦେଢଗୁଣା କରିବାକୁ ଏବଂ ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ କରିବାକୁ ପ୍ରତିଶୃତି ଦେଇଥିଲେ ବି କାହିଁକି କାର୍ଯ୍ୟକାରୀ କରୁନାହାଁନ୍ତି?

ପ୍ରଶ୍ନ ନମ୍ବର 10 () ମହାନଦୀ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ସମସ୍ତଙ୍କ ଆଗରେ ଧରାପଡିଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କର ଏହି ବିବାଦରେ ତାଙ୍କର କି ଅବଦାନ ଥିଲା?

ପ୍ରଶ୍ନ ନମ୍ବର 11 () ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ କରିବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଥିଲେ ବି କାହିଁକି ନିର୍ମାଣ ହୋଇପାରୁନି?

ପ୍ରଶ୍ନ ନମ୍ବର 12 () ରାଉଲକେଲାରେ ଇସ୍ପାତ ଜେନେରାଲ ହସପିଟାଲକୁ ସୁପର ସ୍ପେଶିଆଲିଟି ହସପିଟାଲରେ ରୂପାନ୍ତରିତ କରିବାର ପ୍ରତିଶୃତି କୁଆଡେ ଗଲା?

ପ୍ରଶ୍ନ ନମ୍ବର 13 () 2014ରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଘୋଷଣା କରାଯାଇ ଓଡିଶାବାସୀଙ୍କୁ କାହିଁକି ପ୍ରତାରିତ କରାଯାଇଛି?

ପ୍ରଶ୍ନ ନମ୍ବର 14 () ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲା ପ୍ରଭାବିତ ହେଉଥିବା ଜାଣି ବି ଆନ୍ଧ୍ରକୁ ପ୍ରକଳ୍ପ ପାଇଁ ଅନୁମତି ଦିଆଯାଉଛି କାହିଁକି ?

ପ୍ରଶ୍ନ ନମ୍ବର 15 () 33ଟି ଯୋଜନାର ସେୟାରିଂ ପ୍ୟାଟର୍ଣ୍ଣ ବଦଳାଗଲା ଏବଂ 8ଟି ଯୋଜନାକୁ କାହା ସ୍ବାର୍ଥରେ ବନ୍ଦ କରିଦିଆଗଲା ?

ପ୍ରଶ୍ନ ନମ୍ବର 16 () ରାଜ୍ୟରେ ଟେଲି କମ୍ୟୁନିକେସନ ନେଟୱର୍କ ଅବସ୍ଥା ଅତି ଗୁରୁତ୍ବ । ଏହାର ଉତ୍ତର ଦେବେ କି ?

ପ୍ରଶ୍ନ ନମ୍ବର 17 () ଏପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଗ୍ରାମରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ । ଏହାଦ୍ବାରା ଡିବିଟି ପ୍ରୋସେ ବାଧାପ୍ରାପ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀ ଏହାର ଉତ୍ତର ଦେବେ ବି ?

ପ୍ରଶ୍ନ ନମ୍ବର 18 () 2014ରେ ନିର୍ବାଚନ ଇସ୍ତାହାରରେ ବର୍ଷକୁ 2 କୋଟି ନିଯୁକ୍ତି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । କୁଆଡେ ଗଲା ସେ ନିଯୁକ୍ତି?

ପ୍ରଶ୍ନ ନମ୍ବର 19 () କେନ୍ଦ୍ରୀୟ ପିଏସୟୁ ଏମସିଏଲ ଓଡିଶାରୁ ବାର୍ଷିକ 20 ହଜାର ଟଙ୍କା ପାଉଥିବା ସତ୍ତ୍ବେ ଟଙ୍କାଟିଏ ବି ଦେଉନି, କାହିଁକି ?

ପ୍ରଶ୍ନ ନମ୍ବର 20 () 2014 ନିର୍ବାଚନରେ ସମସ୍ତଙ୍କ ଆକାଉଣ୍ଟକୁ 15 ଲକ୍ଷ ଟଙ୍କା ଆସିବ ବୋଲି ପ୍ରତିଶୃତି ଦେଇଥିଲେ, ସେ ଟଙ୍କା କୁଆଡେ ଗଲା?

Share

Leave a Reply

Your email address will not be published. Required fields are marked *

11 − six =