Uncategorized

ଟାଟା ଷ୍ଟିଲ ଯୋଡ଼ା ରନ୍-ଏ-ଥନ୍ ର ଦ୍ଵିତୀୟ ସଂସ୍କରଣରେ ଦୌଡ଼ିଲେ ୪,୬୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ

ଯୋଡ଼ା, ୨୩/୧୧: ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ା ରନ୍-ଏ-ଥନ୍ ର ଦ୍ଵିତୀୟ ସଂସ୍କରଣ ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। “ସବୁଜ ଆଜି, ସବୁଜତମ କାଲି” ବିଷୟବସ୍ତୁ ସହ ପ୍ରକୃତି ସଂରକ୍ଷଣ ତଥା ଫିଟନେସ କୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ କେନ୍ଦ୍ରୀୟ ଖେଳପଡ଼ିଆ ଠାରେ ଆୟୋଜିତ ଏହି ଗଣଦୌଡ଼ରେ ଭାଗ ନେଇଥିଲେ ପ୍ରାୟ ୪,୬୦୦ ରୁ ଉର୍ଦ୍ଧ୍ବ ଧାବକଧାବିକା।

ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଜଗଦୀଶ କୁମାର ସାହୁ, କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଡି. ଡି. ହନୁମନ୍ତ, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, କୋଇଡା ତହସିଲଦାର ନିର୍ମଳ ବିଶ୍ଵାଳ, ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ଯୋଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାମଲ, ଟାଟା ଷ୍ଟିଲ ଓଏମକ୍ୟୁ ଡିଭିଜନର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର ଓ ସୁରଭି ଭଟ୍ଟନାଗର ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଧାବକଧାବିକା ମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ଖେଳପଡ଼ିଆଠାରେ ଶତାଧିକ ଜନସଂଖ୍ୟା ଏକତ୍ରିତ ହୋଇଥିଲେ।

୧୦କିମି ପୁରୁଷ ଓ ମହିଳା ବର୍ଗରେ ଉତ୍ତର ପ୍ରଦେଶର ପ୍ରଶାନ୍ତ ଚୌଧୁରୀ ଓ ଝାଡ଼ଖଣ୍ଡର ବାସନ୍ତୀ କୁମାରୀ ଯଥାକ୍ରମେ ବିଜୟୀ ହୋଇଥିବା ବେଳେ ଉତ୍ତର ପ୍ରଦେଶର ଧୀରଜ କୁମାର ଓ ଓଡ଼ିଶାର ବାସନ୍ତୀ ମାଣ୍ଡିଆ ୭କିମି ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ ବିଜୟୀ ହୋଇଛନ୍ତି। ସେହିପରି ୫କିମି ବାଳକ ଓ ବାଳିକା ବର୍ଗରେ ଯଥାକ୍ରମେ ଝାଡ଼ଖଣ୍ଡର ଉଦୟ ମେଲଗାଣ୍ଡୀ ଓ ଓଡ଼ିଶାର ମମତା କୁମାରୀ ବିଜୟୀ ହୋଇଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଜଗଦୀଶ କୁମାର ସାହୁ କହିଛନ୍ତି ଯେ, “ଏହି ରନ୍-ଏ-ଥନ୍ ଆୟୋଜନ କରିଥିବାରୁ ଯୋଡ଼ା ପୌରପାଳିକା ତରଫରୁ ମୁଁ ଟାଟା ଷ୍ଟିଲକୁ ଧନ୍ୟବାଦ ଦେଉଛି। ଏପରି କାର୍ଯ୍ୟକ୍ରମ ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହନ ଦେବା ସହ ଲୋକମାନଙ୍କୁ ଏକ ସୂତ୍ରରେ ବାନ୍ଧିବାକୁ ମଧ୍ୟ ସକ୍ଷମ ହୋଇଛି। ସାରା ସହର ଯେପରି ଏକ ପାର୍ବଣରେ ସଜେଇ ହେଇଛି ଏବଂ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଉତ୍ସାହିତ ହୋଇ ଭାଗ ନେଇଛନ୍ତି। ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ପାଇଁ ଟାଟା ଷ୍ଟିଲ ସହ ଆମର ସହଯୋଗିତା ଜାରି ରହିବ।”

କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଡି ଡି ହନୁମନ୍ତ କହିଛନ୍ତି ଯେ, “ଏପରି କାର୍ଯ୍ୟକ୍ରମରେ ଭାଗନେଇ ମୁଁ ବହୁତ ଖୁସି। ଆମ ଜୀବନଶୈଳୀ ଏତେ ବ୍ୟସ୍ତବହୁଳ ହୋଇଯାଇଛି ଯେ ଆମକୁ ଫିଟନେସ ପାଇଁ ସମୟ ମିଳିପାରୁନାହିଁ । ସ୍ଵାସ୍ଥ୍ୟ ଓ ଫିଟନେସ ଉପରେ ସଚେତନତା ସୃଷ୍ଟି ପାଇଁ ଏପରି ଦୌଡ଼ କାର୍ଯକ୍ରମ ନିଶ୍ଚିତ ଭାବେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଟାଟା ଷ୍ଟିଲ ଏହାକୁ ନିୟମିତ ବ୍ୟବଧାନରେ ଆୟୋଜନ କରୁଥିବାରୁ ଯୋଡ଼ାବାସୀ ଏହାର ଲାଭ ଉଠାଇବେ ବୋଲି ମୁଁ ଆଶା କରୁଛି।”

ଏହି ଅବସରରେ ଟାଟା ଷ୍ଟିଲ ଓଏମକ୍ୟୁ ଡିଭିଜନର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର କହିଛନ୍ତି ଯେ, “ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆମେ ସର୍ବଦା ସଚେତନ ରହିଛୁ ଏବଂ ଏଥିପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦୌଡ଼ର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ମୁଁ ସ୍ଥାନୀୟ ପ୍ରଶାସନ, ଯୋଡ଼ା ପୌରପାଳିକା ଓ ଯୋଡ଼ାବାସୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି।”

ମୁଖ୍ୟତଃ ତିନୋଟି ବର୍ଗରେ (୧୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ୧୦କିମି ଓ ୭କିମି ଏବଂ ୧୬ବର୍ଷରୁ କମ୍ ବୟସ ଲୋକଙ୍କ ପାଇଁ ୫କିମି) ଏହି ଦୌଡ଼ ଆୟୋଜନ କରାଯାଇଥିଲା। ଏଥିସହ ଦିବ୍ୟାଙ୍ଗଜନଙ୍କ ପାଇଁ ୨କିମି ର ଏକ ସ୍ବତନ୍ତ୍ର ଦୌଡ଼ ର ଆୟୋଜନ ମଧ୍ୟ କରାଯାଇଥିଲା ଯେଉଁଥିରେ ଅଞ୍ଚଳର ୮୪ ଜଣ ଦିବ୍ୟାଙ୍ଗ ଭାଗ ନେଇଥିଲେ। ସମସ୍ତ ବର୍ଗ ପାଇଁ ସର୍ବମୋଟ ୫ ଲକ୍ଷ ୬୭ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଏକ ସବୁଜ ଭବିଷ୍ୟତ ଓ ଦୀର୍ଘସ୍ଥାୟିତା ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇ ସମସ୍ତ ପ୍ରତିଯୋଗୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ଚାରା ରୋପଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହା ଯାଇଛି। ଏହି ଅବସରରେ ଯୋଡ଼ା ଟାଉନସିପରୁ ବାହାରୁ ଥିବା ଶୁଖିଲା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରାଯାଇ ପୁନବ୍ୟବହାର ଯୋଗ୍ୟ ଉତ୍ପାଦ ଗୁଡ଼ିକର ଏକ ପ୍ରଦର୍ଶନୀ କରାଯାଇଥିଲା। ଦୌଡ଼ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଜାମସେଦପୁର ରୁ “ରାଇଡ ୱିଥ ପ୍ରାଇଡ” ନାମକ ଏକ ସୁପର୍ ବାଇକର ଗ୍ରୁପ୍ ହାର୍ଲେ ଡେଭିଡସନ୍, ଦୁକାଟି ଓ ବିଏମଡବ୍ଲୁ ପରି ବାଇକ୍ ଧରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର ଓ ବିନିତା ସିଂହ, ଓ ଏମ କ୍ୟୁ ମୁଖ୍ୟ ମେଡିକାଲ ଅଫିସର ଧୀରେନ୍ଦ୍ର କୁମାର ଓ ବୀଣା କୁମାରୀ, ନୋଆମୁଣ୍ଡି ମୁଖ୍ୟ ଡି. ବିଜୟେନ୍ଦ୍ର, ଓ ଏମ କ୍ୟୁ ପ୍ଲାନିଂ ଓ ପ୍ରୋଜେକ୍ଟ ମୁଖ୍ୟ ଅବନିଶ କୁମାର, କଲମଙ୍ଗ ଓ ଗନ୍ଧଳପଡ଼ା ପ୍ରୋଜେକ୍ଟ ମୁଖ୍ୟ ଦୀପକ ବେହେରା, ଏନ ଆଇ ଏନ ଏଲ୍ ଖଣି ମୁଖ୍ୟ ରାହୁଲ କିଶୋର, ଏଫ୍ ଏ ଏମ ଡି ଖଣି ମୁଖ୍ୟ ଶମ୍ଭୁନାଥ ଝା, ଓ ଏମ କ୍ୟୁ ଇଞ୍ଜିନିୟରିଂ ସର୍ଭିସେସ ଓ ପ୍ରୋଜେକ୍ଟ ମୁଖ୍ୟ ନାରାୟଣ ଶର୍ମା ଏବଂ କ୍ରିଡ଼ା ମୁଖ୍ୟ ମୁକୁଲ ବିନାୟକ ଚୌଧୁରୀ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

9 + 4 =