ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୩.୦’ ର ବିଜେତା ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୬: ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ସେମାନଙ୍କର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତା ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା’ର ତୃତୀୟ ସଂସ୍କରଣର ବିଜେତାମାନଙ୍କୁ ଭୁବନେଶ୍ୱରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶାର ଚାରୋଟି ଡିସକମ୍ ଯଥା ଟିପିସିଓଡିଏଲ, ଟିପିଏନଓଡିଏଲ, ଟିପିଡବ୍ଲୁଓଡିଏଲ୍ ଏବଂ ଟିପିଏସଓଡିଏଲ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟର ଅନେକ ଉତ୍ସାହୀ ଫଟୋଗ୍ରାଫର ଅତି ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ।
“ଓଡ଼ିଶାର ବନ୍ୟଜନ୍ତୁ ଏବଂ ଜୈବ ବିବିଧତା” ବିଷୟବସ୍ତୁକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ସମୃଦ୍ଧ ପ୍ରାକୃତିକ ବିବିଧତାକୁ ଦର୍ଶାଉଥିବା ୧,୧୦୦ରୁ ଅଧିକ ଆବେଦନ ମିଳିଥିଲା। ଘଞ୍ଚ ଜଙ୍ଗଲ ଓ ଶାନ୍ତ ଆର୍ଦ୍ରଭୂମି ଠାରୁ ଆରମ୍ଭ କରି ରଙ୍ଗବେରଙ୍ଗର ପକ୍ଷୀ ଏବଂ ବିଶାଳ ବନ୍ୟପ୍ରାଣୀଙ୍କ ପର୍ଯ୍ୟନ୍ତ, ପ୍ରତିଯୋଗୀମାନେ ନିଜର ଚମତ୍କାର ଫଟୋଗ୍ରାଫି ମାଧ୍ୟମରେ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ।
ଏହି ସମାରୋହରେ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀ, ଆଞ୍ଚଳିକ କେନ୍ଦ୍ରର (ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର) ଆଞ୍ଚଳିକ ସଚିବ ଶ୍ରୀ ରାମକୃଷ୍ଣ ଭେଦାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବିଜନେସର ମୁଖ୍ୟ ତଥା ଟିପିଏନଓଡିଏଲର ସିଇଓ ଶ୍ରୀ ଗଜାନନ କାଲେ, ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ ସିଂହ, ଟିପିଡବ୍ଲୁଓଡିଏଲ୍ ର ସିଇଓ ଶ୍ରୀ ପ୍ରବୀଣ କୁମାର ବର୍ମା ଏବଂ ଟିପିଏସଓଡିଏଲର ସିଇଓ ଶ୍ରୀ ଅମିତ ଗର୍ଗ ପ୍ରମୁଖ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀର ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ପ୍ରତିଯୋଗିତାରେ ମୋଟ ୧୩ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେମାନଙ୍କ ଦ୍ୱାରା ଉତ୍ତୋଳିତ ଫଟୋଗୁଡ଼ିକୁ ଓଡ଼ିଶା ଡିସକମ୍ ଗୁଡିକର ୨୦୨୬ ମସିହା କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଇଛି। ଏହା ମାଧ୍ୟମରେ ସେମାନଙ୍କୁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାମକୃଷ୍ଣ ଭେଦାଲା ଓଡ଼ିଶା ଡିସକମ୍ ଗୁଡିକର ଏହି ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ସୃଜନଶୀଳ ଅଭିବ୍ୟକ୍ତି କୁ ଉତ୍ସାହିତ କରିବା ସହ ଜୈବ ବିବିଧତା ଏବଂ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରୁଛି। ପ୍ରତିଯୋଗୀମାନେ ନିଜ କ୍ୟାମେରା ଲେନ୍ସରେ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଅତି ନିଖୁଣ ଭାବେ କଏଦ କରିଥିବାରୁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବିଜନେସର ମୁଖ୍ୟ ତଥା ଟିପିଏନଓଡିଏଲ ର ସିଇଓ ଶ୍ରୀ ଗଜାନନ କାଲେ କହିଥିଲେ ଯେ, “‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୩.୦’ କୁ ମିଳିଥିବା ଅଦ୍ଭୁତପୂର୍ବ ସଫଳତା ପ୍ରମାଣ କରୁଛି ଯେ ଓଡ଼ିଶାରେ ପ୍ରାକୃତିକ ପରିବେଶ ସହ ଲୋକଙ୍କର କେତେ ଗଭୀର ସମ୍ପର୍କ ରହିଛି। ପ୍ରତିଯୋଗୀମାନେ ନିଜ କ୍ୟାମେରା ଲେନ୍ସ ମାଧ୍ୟମରେ ରାଜ୍ୟର ସମୃଦ୍ଧ ଜୈବ ବିବିଧତାକୁ ଅତି ସୁନ୍ଦର ଭାବେ କଏଦ କରିଛନ୍ତି। ଏହା କେବଳ ଏକ ଫଟୋଗ୍ରାଫି ପ୍ରତିଯୋଗିତା ନୁହେଁ, ବରଂ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ସମ୍ମାନ ଜଣାଇବା ଏବଂ ପରିବେଶ ସଂରକ୍ଷଣ ସଚେତନତାକୁ ସୁଦୃଢ଼ କରିବାର ଏକ ସାମୂହିକ ପ୍ରୟାସ। ଆମ ରାଜ୍ୟର ପ୍ରାକୃତିକ ଐତିହ୍ୟର ପ୍ରକୃତ ପ୍ରତିନିଧି ସାଜିଥିବାରୁ ମୁଁ ସମସ୍ତ ପ୍ରତିଯୋଗୀଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି।”
ଲଗାତାର ତୃତୀୟ ବର୍ଷ ପାଇଁ ଆୟୋଜିତ ହୋଇଥିବା ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା’ ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକର ଏକ ସଫଳ ସାମାଜିକ ପ୍ରୟାସ ଭାବେ ଉଭା ହୋଇଛି। ଏହାର ପ୍ରଥମ ସଂସ୍କରଣରେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଦ୍ୱିତୀୟ ସଂସ୍କରଣରେ ରାଜ୍ୟର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାକୁ ପ୍ରାଧାନ୍ୟ ଦିଆଯାଇଥିଲା। ତେବେ ଚଳିତ ବର୍ଷର ଏହି ତୃତୀୟ ସଂସ୍କରଣରେ ବନ୍ୟଜନ୍ତୁ ଏବଂ ଜୈବ ବିବିଧତା ଉପରେ ଆଲୋକପାତ କରାଯାଇ ଦୀର୍ଘସ୍ଥାୟିତ୍ବ ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରାଯାଇଛି।
‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୩.୦’ ମାଧ୍ୟମରେ ଓଡ଼ିଶା ଡିସକମ୍ ଗୁଡ଼ିକ ଦୀର୍ଘସ୍ଥାୟିତ୍ବ, ଗୋଷ୍ଠୀ ସହଭାଗିତା ଏବଂ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ସୃଷ୍ଟି କରି ସେମାନେ ନାଗରିକମାନଙ୍କୁ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ପରିଚୟ ସହ ଯୋଡ଼ିବା ପାଇଁ ଏକ ସଫଳ ପ୍ରୟାସ କରିଛନ୍ତି।

