Uncategorized

ଟାଟା ଷ୍ଟିଲ କଳିଙ୍ଗନଗର ଓ କଳିଙ୍ଗନଗର ପୁଲିସ ପକ୍ଷରୁ ମିଳିତ ଭାବେ ବର୍ଷା ଋତୁ ସଡ଼କ ଓ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ

କଳିଙ୍ଗନଗର, ଅଗଷ୍ଟ ୬, ୨୦୨୫ : ସ୍ଥାନୀୟ ଅଞ୍ଚଳବାସୀ, ଡ୍ରାଇଭର, କର୍ମଚାରୀ ଏବଂ ଶ୍ରମିକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)ର ସୁରକ୍ଷା ବିଭାଗ ଓ କଳିଙ୍ଗନଗର ପୁଲିସ ଉଦ୍ୟମରେ ତିନି ଦିନିଆ ବର୍ଷା ଋତୁ ସଡ଼କ ଓ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା ଅଭିଯାନ ଡୁବୁରି ସ୍ଥିତ ଟାଟା ଷ୍ଟିଲର ମେନ୍ ଗେଟ୍-୧ ରେ ବୁଧବାର ଦିନ ଆରମ୍ଭ ହୋଇଯାଇଛି।

ଏହି ଅଭିଯାନକୁ କଳିଙ୍ଗନଗରର ଅତିରିକ୍ତ ପୁଲିସ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ଓ ଇନ୍ସପେକ୍ଟର ଇନ୍-ଚାର୍ଜ, କଳିଙ୍ଗନଗର ପୁଲିସ ଥାନା, ପ୍ରକାଶ କୁମାର ସାହୁ, ଔପଚାରିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ଓ ଟାଟା ଷ୍ଟିଲ ମେରାମଣ୍ଡଳୀ ର ଚିଫ୍ ସିକ୍ୟୁରିଟି ପ୍ରକାଶ ସଞ୍ଜୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା କଷ୍ଟକର ସଡ଼କ ପରିସ୍ଥିତି ଜନିତ ବିପଦକୁ ହ୍ରାସ କରିବା। ଏହି ଅଭିଯାନରେ ମୋନସୁନ ସମୟରେ ସଡ଼କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରାଯାଇଛି। ଏହି ଅବସରରେ ଚାଳକମାନଙ୍କୁ ସିଟ୍ ବେଲ୍ଟ୍ ପିନ୍ଧିବାର ଗୁରୁତ୍ୱ ବିଷୟରେ ସଚେତନ କରାଯିବା ସହିତ, ବାଇକ ଚାଳକ ଏବଂ ପିଲିଅନ୍ ଆରୋହୀଙ୍କୁ ସର୍ବଦା ହେଲମେଟ୍ ପିନ୍ଧିବା ପାଇଁ ଉତ୍ସାହିତ କରାଯାଇଥିଲା। ଏଥି ସହ ମୋନସୁନ ସମୟରେ ଗ୍ରହଣୀୟ ମୁଖ୍ୟ ସତର୍କତା ସମ୍ବନ୍ଧୀୟ ସୁରକ୍ଷା ପତ୍ରିକା ମଧ୍ୟ ବିତରଣ କରାଯାଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ଏକ ନୁକ୍କଡ୍ ନାଟକ (ପଥପ୍ରାନ୍ତ ନାଟକ) ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯାହା ବର୍ଷା ଋତୁରେ ଗାଡି ଚାଳନା ସମୟରେ ସୁରକ୍ଷା ନିୟମ ଅନୁସରଣ କରିବାର ଗୁରୁତ୍ୱ ଉପରେ ଦର୍ଶକଙ୍କୁ ଶିକ୍ଷା ଦେଇଥିଲା। ଏହି ନାଟକ ମାଧ୍ୟମରେ ହେଲମେଟ୍ ପିନ୍ଧିବାର ଆବଶ୍ୟକତା, ସୁରକ୍ଷିତ ଚାଳନା, ଗାଡିର ଭଲ ଅବସ୍ଥା ରଖିବା ଓ ଅନ୍ୟାନ୍ୟ ଗାଡି ସହିତ ଯଥୋଚିତ ଦୂରତା ବଜାୟ ରଖିବା ଭଳି ଦୃଶ୍ୟ ଦେଖାଯାଇଥିଲା।

ଏହି ସଚେତନତା ଅଭିଯାନ ମାଧ୍ୟମରେ ବର୍ଷା ଋତୁ ସମୟରେ ସାପ କାମୁଡ଼ା, ଡେଙ୍ଗୁ, ମ୍ୟାଲେରିଆ ଓ ଜଳବାହିତ ରୋଗ ପାଇଁ ମଧ୍ୟ ଲୋକମାନଙ୍କୁ ସତର୍କ କରାଯାଉଛି । ଏହି ଅଭିଯାନ ମାଧ୍ୟମରେ ରୋଗ ପ୍ରତିରୋଧର ଉପାୟ ଓ ରୋଗ ଚିହ୍ନଟ ପାଇଁ ପ୍ରାରମ୍ଭିକ ଲକ୍ଷଣ ବିଷୟରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା ।

ବର୍ଷା ଋତୁରେ ସଡ଼କ ସୁରକ୍ଷା ସଂସ୍କୃତି ଏବଂ ଜନସଚେତନତା ବିକାଶ ପାଇଁ ଜଳବାହିତ ଓ ଭେକ୍ଟର ଜନିତ ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏହି ମିଳିତ ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।

Share

Leave a Reply

Your email address will not be published. Required fields are marked *

thirteen − five =