ରାଜ୍ୟ

ଟାଟା ପାୱାର ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ଭୁବନେଶ୍ୱର, ୨୨ ନଭେମ୍ବର ୨୦୨୫: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଏବଂ ଓଡ଼ିଶା ସରକାରଙ୍କ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ମିଳିତ ଭାବରେ ଭୁବନେଶ୍ୱରରେ ‘ଗଜ ସଂରକ୍ଷଣ ପ୍ରକଳ୍ପ’ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ, ସହଯୋଗୀ ଏନଜିଓ ସ୍ନେହାର ପ୍ରତିନିଧି, ଡବ୍ଲୁଟିଆଇ ଏବଂ ଡବ୍ଲୁଡବ୍ଲୁଏଫ ର ବିଶେଷଜ୍ଞ ଓ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ନେତୃବୃନ୍ଦ ଯୋଗ ଦେଇ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ଏହାର ସମ୍ପ୍ରସାରଣ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରକଳ୍ପର ସମ୍ପ୍ରସାରଣ ଉପରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କୁ ଏକାଠି କରିବା ଏବଂ ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ପାଇଁ ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା।
୨୦୨୪ ମସିହାରେ ଆରମ୍ଭ ହୋଇଥିବା ‘ଗଜ ସଂରକ୍ଷଣ’ – ଯାହାର ଅର୍ଥ ‘ହାତୀ ସୁରକ୍ଷା’ – ହେଉଛି ଟାଟା ପାୱାରର ଏକ ମହତ୍ତ୍ୱାକାଂକ୍ଷୀ ଜୈବ ବିବିଧତା ସଂରକ୍ଷଣ କାର୍ଯ୍ୟକ୍ରମ। ଏହା ଓଡ଼ିଶା ଜଙ୍ଗଲ ବିଭାଗର ବନ୍ୟଜନ୍ତୁ ୱିଙ୍ଗ ଏବଂ ସ୍ନେହା ଏନଜିଓର ସହଭାଗିତାରେ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପଟି ଜୈବ ବିବିଧତା ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୀବିକା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ର ୧, ୨, ୧୩, ଏବଂ ୧୫ ନମ୍ବର ଗୋଲ ସହିତ ଜଡିତ।
ଓଡ଼ିଶାରେ ୨,୦୦୦ରୁ ଅଧିକ ହାତୀ ଅଛନ୍ତି, ଯାହା ଭାରତର ମୋଟ ହାତୀ ସଂଖ୍ୟାର ପ୍ରାୟ ୭% ଏବଂ ଏମାନେ ରାଜ୍ୟର ତିନୋଟି ହାତୀ ଅଭୟାରଣ୍ୟ ଏବଂ ୧୪ଟି ଚିହ୍ନିତ କରିଡରରେ ବସବାସ କରୁଛନ୍ତି। ତେବେ ଦ୍ରୁତ ଶିଳ୍ପାୟନ, ଖଣି ଏବଂ ଭିତ୍ତିଭୂମି ବିକାଶ ହେତୁ ସେମାନଙ୍କ ବାସସ୍ଥଳୀ ପ୍ରଭାବିତ ହୋଇଛି, ଯାହା ପାଇଁ ମଣିଷ-ହାତୀ ମଧ୍ୟରେ ସଂଘର୍ଷ ବଢିଛି। କେବଳ ଗତ ଦଶନ୍ଧିରେ ରାଜ୍ୟରେ ୮୨୮ଟି ହାତୀ ମୃତ୍ୟୁ ରେକର୍ଡ କରାଯାଇଛି, ଯେଉଁଥିରୁ ୧୬୦ରୁ ଅଧିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି, ଯାହା ଏକ ସମନ୍ୱିତ ସଂରକ୍ଷଣର ଜରୁରୀ ଆବଶ୍ୟକତାକୁ ଦର୍ଶାଉଛି। ଏହି ପଦକ୍ଷେପଟି ଅଧିକ ବିପଦ ଥିବା ଅଞ୍ଚଳରେ ମଣିଷ-ହାତୀ ସଂଘର୍ଷ କୁ ହ୍ରାସ କରିବା, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁକୁ ରୋକିବା, ଆଗୁଆ ଚେତାବନୀ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଗୋଷ୍ଠୀର ଭାଗୀଦାରୀ ତଥା ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ମଣିଷ-ହାତୀ ସହାବସ୍ଥାନକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି।
ପ୍ରାଥମିକ ପର୍ଯ୍ୟାୟରେ ହିନ୍ଦୋଳ, ଢେଙ୍କାନାଳ-ସଦର ଏବଂ ବନ୍ତଳ ଆଦି ତିନୋଟି ବନାଞ୍ଚଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା ବିଦ୍ୟୁତ୍ ଆଘାତଜନିତ ହାତୀ ମୃତ୍ୟୁ ସଂଖ୍ୟାରେ ଯଥେଷ୍ଟ ହ୍ରାସ ରେକର୍ଡ କରାଯାଇଛି। ଭିତ୍ତିଭୂମି ଯାଞ୍ଚ, ସଚେତନତା ଅଭିଯାନ ଏବଂ ମିଳିତ କ୍ଷେତ୍ର ଅନୁଧ୍ୟାନ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ବିଦ୍ୟୁତ୍ ଜନିତ ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରି ହାତୀଙ୍କୁ ସୁରକ୍ଷା ଦେବାରେ ଏହା ସହାୟକ ହୋଇଛି। ଏହି ପଦକ୍ଷେପ ବନ ଅଧିକାରୀ, ଡିସକମ୍ ର ଇଞ୍ଜିନିୟର୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ସହିତ କ୍ଷେତ୍ରୀୟ ପ୍ରତିକ୍ରିୟା ବ୍ୟବସ୍ଥାକୁ ମଧ୍ୟ ଅଧିକ ମଜବୁତ କରିଛି।
ଏହି ସବୁ ସଫଳତାକୁ ଦେଖି ପ୍ରଧାନମୁଖ୍ୟ ବନସଂରକ୍ଷକ (ବନ୍ୟଜନ୍ତୁ) ଅଗଷ୍ଟ ୨୦୨୫ରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ସେବା ଯୋଗାଣ ଅଞ୍ଚଳରେ ଥିବା ୧୮ଟି ଅତିରିକ୍ତ ବନାଞ୍ଚଳକୁ ପ୍ରକଳ୍ପର ସମ୍ପ୍ରସାରଣ ଅନୁମୋଦନ କରିଛନ୍ତି।
ସମ୍ପ୍ରସାରଣରେ ବର୍ତ୍ତମାନ ୮ଟି ଜିଲ୍ଲାର (ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଏବଂ ଗଞ୍ଜାମ) ୧୮ଟି ବନାଞ୍ଚଳ ଅନ୍ତର୍ଭୁକ୍ତ ହୋଇଛି। ମଣିଷ-ହାତୀ ସଂଘର୍ଷ ଅଧିକ ପରିମାଣରେ ଦେଖିବାକୁ ମିଳୁଥିବା କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଗଞ୍ଜାମ ଏବଂ ସମ୍ବଲପୁର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇସାରିଛି।
ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ରହିଛି ଆଗୁଆ ଚେତାବନୀ ବ୍ୟବସ୍ଥା, ଜିପିଏସ-ଭିତ୍ତିକ ଅନୁଧ୍ୟାନ, ଜିଏସଏମ-ଚାଳିତ ଡିସପ୍ଲେ ବୋର୍ଡ ସ୍ଥାପନ ଏବଂ ସ୍ଥାନୀୟ ଅଧିକାରୀ ତଥା ଗ୍ରାମବାସୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ। ଏହି ପଦକ୍ଷେପଗୁଡ଼ିକ ଯୋଗୁଁ ସଚେତନତା ବୃଦ୍ଧି ପାଇଛି, ମଣିଷ-ହାତୀ ସଂଘର୍ଷର ଘଟଣା କମିଛି ଏବଂ ସଂରକ୍ଷଣ କାର୍ଯ୍ୟରେ ଗୋଷ୍ଠୀର ଅଂଶଗ୍ରହଣ ବୃଦ୍ଧି ପାଇଛି।
ଭୁବନେଶ୍ୱରରେ ଆୟୋଜିତ ଏକ ଦିବସୀୟ କର୍ମଶାଳା ପ୍ରାଥମିକ ପର୍ଯ୍ୟାୟର ଆନ୍ତଃ-ବିଭାଗୀୟ ରଣନୀତିକୁ ସମନ୍ୱିତ କରିବା ଏବଂ ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟ ଯୋଜନାକୁ ଚୂଡାନ୍ତ କରିବାରେ ଏକ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା। ଏହି କର୍ମଶାଳାରେ ଟାଟା ପାୱାର, ଜଙ୍ଗଲ ବିଭାଗ, ସ୍ନେହା ଏନଜିଓ ଏବଂ ସହଯୋଗୀ ସଂସ୍ଥାର ୪୫ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ବରିଷ୍ଠ ନେତୃବୃନ୍ଦ, ଯେପରିକି ଶ୍ରୀ ହିମଲ ତିୱାରୀ (ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଏବଂ ସଷ୍ଟେନେବିଲିଟି ଓ ସିଏସଆର ମୁଖ୍ୟ), ଡକ୍ଟର ମନୋଜ ଭି. ନାୟାର (ସିସିଏଫ, ବନ୍ୟପ୍ରାଣୀ ଶାଖା), ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀ ଗଜାନନ କାଲେ, ଡିସକମ୍ ଗୁଡିକର ସିଇଓ ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁକୁ ରୋକିବା ଏବଂ ସହଯୋଗୀ ସମାଧାନ ବ୍ୟବସ୍ଥାକୁ ମଜବୁତ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଏବଂ ସଷ୍ଟେନେବିଲିଟି ଓ ସିଏସଆର ମୁଖ୍ୟ, ଶ୍ରୀ ହିମଲ ତିୱାରୀ କହିଛନ୍ତି ଯେ, “ଟାଟା ପାୱାରରେ ଦୀର୍ଘସ୍ଥାୟୀତ୍ୱ କେବଳ ବ୍ୟବସାୟ କ୍ଷେତ୍ରରେ ନୁହେଁ ବରଂ ଏହା ଲୋକ ମାନଙ୍କର, ପ୍ରକୃତି ଏବଂ ପ୍ରଗତି ମଧ୍ୟରେ ସମନ୍ୱୟ କୁ ବୁଝାଏ। ଓଡ଼ିଶା ସରକାର ଏବଂ ସ୍ନେହା ଏନଜିଓ ସହିତ ଆମର ଭାଗିଦାରୀ ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରଜାତିକୁ ସୁରକ୍ଷା ଦେବା ସହ ମଣିଷ ବସତିରେ ସୁରକ୍ଷିତ ସହାବସ୍ଥାନକୁ ପ୍ରୋତ୍ସାହିତ କରିବାରେ ଆମର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମେ ଯେତେବେଳେ ଗଜ ସଂରକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରୁଛୁ, ଆମର ସାମୂହିକ ଲକ୍ଷ୍ୟ ହେଉଛି ମଣିଷ ଓ ପଶୁ ମାନଙ୍କ ମଧ୍ୟରେ ସଂଘର୍ଷକୁ ଦୂର କରିବା ଏବଂ ପରିବେଶକୁ ସୁଦୃଢ଼ କରିବା। ବନ୍ୟଜନ୍ତୁ ତଥା ଗୋଷ୍ଠୀ ଉଭୟଙ୍କୁ ସୁରକ୍ଷା ଦେବା ପାଇଁ ଜାତୀୟ ସ୍ତରରେ ଏହିପରି ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି।”
ସ୍ନେହା ଏନଜିଓ (ଗଜ ସଂରକ୍ଷଣ ପ୍ରକଳ୍ପର କାର୍ଯ୍ୟକାରୀ ସହଯୋଗୀ) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରାମସ୍ୱାମୀ କ୍ରିଷ୍ଣନ୍ କହିଛନ୍ତି ଯେ, “ଟାଟା ପାୱାର୍ ସହିତ ଆମର ଭାଗିଦାରୀ ଆମକୁ ହାତୀ ସଂରକ୍ଷଣରେ ପ୍ରଯୁକ୍ତିବିଦ୍ୟା, ସଚେତନତା ଏବଂ ଗୋଷ୍ଠୀ ଭାଗୀଦାରୀକୁ ସହଜରେ ଏକାଠି କରିବାର ସୁଯୋଗ ଦେଇଛି। ପାଟ୍ରୋଲିଂ ପାଇଁ ‘ଗଜ ସାଥୀ’ ମାନଙ୍କୁ ତାଲିମ ଦେବା ସହିତ ଆଗୁଆ ଚେତାବନୀ ଚିହ୍ନଟ ଆପ୍ ର ବ୍ୟବହାର ମଣିଷ-ହାତୀ ମଧ୍ୟରେ ସଂଘର୍ଷ ଘଟଣାକୁ ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ପଦକ୍ଷେପ ପ୍ରମାଣିତ କରେ ଯେ ଯେତେବେଳେ ସ୍ଥାନୀୟ ସମ୍ପ୍ରଦାୟ ସଶକ୍ତ ହୁଅନ୍ତି ଏବଂ ସଠିକ୍ ଉପକରଣର ବ୍ୟବହାର କରନ୍ତି, ସେତେବେଳେ ସଂରକ୍ଷଣ ପ୍ରୟାସ ବ୍ୟବହାରିକ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ।”
ଓଡ଼ିଶାର ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ), ଡକ୍ଟର ମନୋଜ ନାୟାର କହିଛନ୍ତି ଯେ, “ହାତୀ ସର୍ବଦା ଭାରତର ସଂସ୍କୃତି ଏବଂ ଆଧ୍ୟାତ୍ମିକ ଐତିହ୍ୟର ଏକ ଅଂଶ ହୋଇ ରହିଆସିଛି କିନ୍ତୁ ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ ସବୁବେଳେ ଏକ ଜରୁରୀ ଆହ୍ୱାନ ହୋଇ ରହିଛି। ହାତୀ ଆକ୍ରମଣ ମଣିଷ ପାଇଁ ଘାତକ ହୋଇଥିବାବେଳେ ବିଦ୍ୟୁତ୍ ଆଘାତ ମଧ୍ୟ ହାତୀମାନଙ୍କ ପାଇଁ ସମାନ ଗୁରୁତର ବିପଦ ସୃଷ୍ଟି କରେ। ଟାଟା ପାୱାର୍ ସହିତ ଭାଗିଦାରୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁରେ ଉଲ୍ଲେଖନୀୟ ହ୍ରାସ ସହିତ ଉତ୍ସାହଜନକ ଫଳାଫଳ ଦେଖାଇଛି। ଏକାଠି ହୋଇ, ଆମେ ଏକ ଓଡ଼ିଶା ଗଠନ କରିପାରିବା ଯେଉଁଠାରେ ସହାବସ୍ଥାନ ଉଭୟ ସମ୍ଭବ ଏବଂ ଦୀର୍ଘସ୍ଥାୟୀ ହେବ।”
ଏହି ସମ୍ପ୍ରସାରଣର ଅଂଶ ସ୍ୱରୂପ, ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ରିଅଲ୍‌-ଟାଇମ୍ ଆଲର୍ଟ ଜାରି କରିବା ପାଇଁ ଏହି ପ୍ରକଳ୍ପରେ ସ୍ମାର୍ଟ ସେନ୍ସର, ଜିଏସଏମ କ୍ୟାମେରା ଟ୍ରାପ୍ ଏବଂ ଏକ ଗୋଷ୍ଠୀ ଆଧାରିତ ମୋବାଇଲ୍ ଆପ୍ ବ୍ୟବହାର କରାଯିବ। ‘ଗଜ ସାଥୀ’ ନାମରେ ଗୋଷ୍ଠୀ ନେତୃତ୍ୱାଧୀନ ପାଟ୍ରୋଲ୍ ଟିମ୍‌କୁ ରାତିରେ ଅନୁଧ୍ୟାନ ଏବଂ ସଂଘର୍ଷ ପ୍ରତିରୋଧ ପାଇଁ ତାଲିମ ଦିଆଯାଉଛି। ବେଆଇନ ଭାବେ ହୁକ ପକାଇବା, ଅନିୟନ୍ତ୍ରିତ ସୋଲାର ଫେନସିଙ୍ଗ ଏବଂ ହାତୀ ଚଳପ୍ରଚଳ କରିଡର ସଂକୀର୍ଣ୍ଣ ହେବା ପରି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବୈଷୟିକ ସମାଧାନ, ଉତ୍ତମ ମାନର ବାଡ଼ ନିର୍ମାଣ, ସୁରକ୍ଷିତ ବିଦ୍ୟୁତ୍ ଭିତ୍ତିଭୂମି ଏବଂ ଉନ୍ନତ ଅନୁଧ୍ୟାନ ଶୈଳୀ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧,୩୦୦ରୁ ଅଧିକ ସ୍ଥାନୀୟ ଲୋକ ‘ଆଗୁଆ ଚେତାବନୀ ଚିହ୍ନଟ ଆପ୍‌’ ଗ୍ରହଣ କରିଛନ୍ତି, ଯାହା ସତର୍କତା ବଢ଼ାଇବା ସହ ଉଚିତ ପଦକ୍ଷେପ ନେବାରେ ସହାୟକ ହେଉଛିି।
ସରକାରୀ ସଂସ୍ଥା, କର୍ପୋରେଟ୍ ଅଂଶୀଦାର ଏବଂ ସିଭିଲ ସୋସାଇଟି କୁ ଏକଜୁଟ କରିପାରିଥିବା ‘ଗଜ ସଂରକ୍ଷଣ ପ୍ରକଳ୍ପ’ ପରିବେଶ ପରିଚାଳନା ପ୍ରତି ଟାଟା ପାୱାରର ପ୍ରତିବଦ୍ଧତାର ଏକ ଉଦାହରଣ ଅଟେ, ଯାହା ପ୍ରଦର୍ଶିତ କରେ ଯେ କିପରି ପ୍ରଯୁକ୍ତିବିଦ୍ୟା, ସ୍ଥାନୀୟ ଜ୍ଞାନ ଏବଂ ନିରନ୍ତର ସହଭାଗିତା ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ସହିତ ସମୁଦାୟର ସୁରକ୍ଷା ଏବଂ ଜୀବିକା ସୁନିଶ୍ଚିତ କରିପାରିବ।

Share

Leave a Reply

Your email address will not be published. Required fields are marked *

four × one =