ରାଜ୍ୟରେ କଲବଲ କଲାଣି ଖରା
ମାର୍ଚ୍ଚ ଆରମ୍ଭରୁ ଏପ୍ରିଲ୍ର ତାତି । ଫେବ୍ରୁଆରୀ ଶେଷ ସପ୍ତାହରୁ ତାତି ବଢ଼ିଲାଣି । ଏବେ ଚାରିରୁ ପାଞ୍ଚ ଦିନ ହେବ ଦିନ ତାପମାତ୍ରା ଅପେକ୍ଷାକୃତ ଉଚ୍ଚ ରହୁଛି । ମାର୍ଚ୍ଚ ଆରମ୍ଭରୁ ଗରମ ପବନ ପ୍ରବାହ କେବେ ଅନୁଭବ ହେଉନଥିଲା । ଏବେ କିନ୍ତୁ ‘ଲୁ’ ଭଳି ଶୁଷ୍କ ଓ ଗରମ ପବନ ବହୁଛି ।
ଏହାର କାରଣ ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସେଣ୍ଟର୍ ଫର୍ ଏନ୍ଭାର୍ଣ୍ଣମେଣ୍ଟ୍ ଆଣ୍ଡ୍ କ୍ଲାଇମେଟ୍ (ସିଇସି) ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ବାୟୁମଣ୍ଡଳରେ ଜଳୀୟବାଷ୍ପ କମ ଏବଂ ଯୁଦ୍ଧ ଯୋଗୁଁ ସମୟ ପୂର୍ବରୁ ଗରମ ପବନ ବହୁଛି । ପାକିସ୍ତାନ, ଆଫଗାନିସ୍ତାନ, ଇରାନ ଯୁଦ୍ଧରେ ବ୍ୟବହାର ହେଉଥିବା ମିଶାଇଲ୍ ପ୍ରବଳ ଗରମ ବାୟୁ ସୃଷ୍ଟି କରୁଛି । ବାୟୁମଣ୍ଡଳକୁ ଉତ୍ତପ୍ତ କରୁଛି । ଏପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପ କମ ରହିଛି । ଯାହା ଫଳରେ ଦିନ ବେଳା ଝାଞ୍ଜି ପବନ ମାଡ଼ ହେଉଛି । କାଳବୈଶାଖୀ ବର୍ଷା ଏ ସ୍ଥିତି ବଦଳାଇବାରେ ସହାୟକ ହେବ । ମାର୍ଚ୍ଚ ୧୫ ପରେ ଗରମ ପବନ ବୋହିବା ନେଇ ଏକ ମଡେଲ୍ ଦର୍ଶାଉଥିଲା । କିନ୍ତୁ ଯୁଦ୍ଧ କାରଣରୁ ଆଗୁଆ ତତଲା ପବନ ପ୍ରବାହ ହେଉଥିବା ଡ. ସାହୁ ଅନୁମାନ କରିଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏ ଅଧିକ ରହିଛି। ସେହିଭଳି ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା କିଛି କିଛି ସ୍ଥାନରେ ସ୍ବାଭାବିକଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଚି। ଏଥିସହ ରାତି ତାପମାତ୍ରା ୪୦ ଡିଗ୍ରୀମୁହାଁ ଅର୍ଥାତ୍ ୩୯.୬ ଡିଗ୍ରୀ ରହିଛି। ଏଥ ସହ ରାତି ତାପମାତ୍ରା ୧୪.୨ ଡିଗ୍ରୀ ରହିଛି।
ଶନିବାର ରାଜ୍ୟରେ ଖରା ପ୍ରକୋପ ପ୍ରଖର ରହିବ। ଫଳରେ ଦିନ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ରହିଛି। ଏଥିସହ ଉତ୍ତର ଉତ୍ତରପ୍ରଦେଶ କେନ୍ଦ୍ରୀୟ ଅଞ୍ଚଳରୁ ଏକ ଟ୍ରଫଲାଇନ୍ ଏହି ଘୂର୍ଣ୍ଣିବଳୟ ଦେଇ ଉତ୍ତରପୂର୍ବ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଓ ଦକ୍ଷିଣ ଝାଡ଼ଖଣ୍ଡ ଉପରେ ରହିଛି । ଏହା ପ୍ରଭାବରେ ଆସନ୍ତା ୮ ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗନ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ ସହ ବର୍ଷା ହୋଇପାରେ। ପବନର ବେଗ ୩୦ରୁ ୪୦ କିମି ପର୍ଯ୍ୟନ୍ତ ରହିବ।

