ମୋହନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସନ୍ତୁଳିତ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଆଜି ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ ବିକଶିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଓଡ଼ିଶାର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (ବିସିପିପିଇଆର) ମଡେଲରେ ଏହି ଇକୋନୋମିକ ରିଜିୟନ ଗଠନ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।
ଶ୍ରୀ ପ୍ରଧାନ ନିଜ ପତ୍ରରେ ପ୍ରଥମତଃ ଦର୍ଶାଇଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଅଞ୍ଚଳ ହୀରାକୁଦ ବନ୍ଧ ସହ ମହାନଦୀ ଓ ବ୍ରାହ୍ମଣୀ କୂଳରେ ଅବସ୍ଥିତ । ଏଠାରେ ପ୍ରଚୁର ଖଣିଜ ସମ୍ପଦ, ଶିଳ୍ପ ଭିତ୍ତିଭୂମି ରହିଛି । ବିବିଧ ପର୍ଯ୍ୟଟନ ସମ୍ଭାବନାରେ ପରିପୂର୍ଣ୍ଣ ଏହି କ୍ଲଷ୍ଟରରେ କୃଷି, ସେବା ଏବଂ ଉତ୍ପାଦନ କ୍ଷେତ୍ରକୁ ସଡ଼କ, ରେଳ ଏବଂ ବିମାନ ସଂଯୋଗୀକରଣ ମାଧ୍ୟମରେ ଅଭିବୃଦ୍ଧି କରିବାର କ୍ଷମତା ରହିଛି । ଏଠାରେ ଇସ୍ପାତ, ଆଲୁମିନିୟମ, କୋଇଲା ଏବଂ ଶକ୍ତି ଭଳି ବୃହତ ଶିଳ୍ପ ସହିତ କୃଷି ଭିତ୍ତିକ ଶିଳ୍ପ ଏବଂ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ହସ୍ତତନ୍ତର ସୁଦୃଢ଼ ଭିତ୍ତିଭୂମି ରହିଛି । ଏହି ସବୁ କ୍ଷେତ୍ର ମିଶି ଏଠାରେ ଏକ ସମନ୍ୱିତ ଆର୍ଥିକ ପରିବେଶ ସୃଷ୍ଟି କରୁଛନ୍ତି, ଯାହା ଆଗାମୀ ଦିନରେ ନୂତନ ନିଯୁକ୍ତି ଏବଂ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଅନେକ ସୁଯୋଗ ଆଣିଦେବ । ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଭିସୁଟ ବୁର୍ଲା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯୋଗୁଁ ଏହା ଆଧୁନିକ ଜ୍ଞାନକୌଶଳ, ନବସୃଜନ ଏବଂ ନୂଆ ନୂଆ ଷ୍ଟାର୍ଟଅପ୍ କ୍ଷେତ୍ରରେ ‘ନ୍ୟୁ ଏଜ୍ ଇକୋନୋମୀ’ର ଏକ କେନ୍ଦ୍ରବିନ୍ଦୁ ଭାବରେ ସ୍ଥାପିତ କରୁଛି । ଭୌଗୋଳିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଅଞ୍ଚଳର ସ୍ଥିତି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହା ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗି ରହିଥିବା ବେଳେ ତିନୋଟି ରାଜ୍ୟର ରାଜଧାନୀ ଯଥା ଭୁବନେଶ୍ୱର, ରାୟପୁର, ରାଞ୍ଚି ଏବଂ ବଡ଼ ବନ୍ଦର ସହର ବିଶାଖାପାଟଣାର ୩୦୦ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତ । ଏହି ଉତ୍ତମ ସଂଯୋଗୀକରଣ ଏବଂ ପ୍ରଚୁର ସମ୍ପଦ ଯୋଗୁଁ ଏହାକୁ ଏକ ‘ସିଟି ଇକୋନୋମିକ ରିଜିୟନ’ ଭାବେ ଗଢ଼ିବା ପାଇଁ ସବୁ ପ୍ରକାର ଯୋଗ୍ୟତା ରହିଛି ।

