ଆଜି ପଖାଳ ଦିବସ
ଆଜି ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି। କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରିବେ ଏହି ପଖାଳ ଦିବସ । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ।
ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍ ବେଶ୍ ଅଧିକ ଦେଖିବାକୁ ମିଳୁଛି। ପଖାଳ ଶବ୍ଦ ପାଲି ଭାଷା ‘ପଖାଳିବା’ରୁ ଆସିଛି । ଯାହାର ଅର୍ଥ ଧୋଇବା । ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି। ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ। ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ।’

