କ୍ରୀଡା

କିଏ ଜିତିବ ଆଜିର ମ୍ୟାଚ? SRH ନା RR

ଆଜି ଘରୋଇ ହାଇଦ୍ରାବାଦ ଓ ରାଜସ୍ଥାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । କ୍ରମାନ୍ୱୟରେ ୪ଟି ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ରୟାଲ୍ସ ଆଧିପତ୍ୟ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ ବିଜୟକୁ ଫେରିବାକୁ ବ୍ୟାକୁଳ । ଆଜି ଜୟସୂର୍ଯ୍ୟ (ଯଶସ୍ୱୀ ଜୈସ୍ୱାଲ ଓ ବୈଭବ ସୂର୍ଯ୍ୟବଂଶୀ) ଏବଂ ଟ୍ରାଭିସେକ୍‌କୁ  (ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା) ଦୁର୍ଦ୍ଧର୍ଷ ବ୍ୟାଟିଂ ମ୍ୟାଚ୍ର ମୁଖ୍ୟ ଆକର୍ଷଣ ହେବ ।

ରାଜସ୍ଥାନ ଦଳ ଚଳିତ ସିଜନରେ ଅପରାଜେୟ ସାବ୍ୟସ୍ତ ହୋଇଛି । ଖାସ୍ କରି ଦୁଇ ଦୁର୍ଦ୍ଧର୍ଷ ବ୍ୟାଟର ଜୈସ୍ୱାଲ ଓ ସୂର୍ଯ୍ୟବଂଶୀ ପ୍ରତିପକ୍ଷ ଦଳର ନିଦ ହଜାଇ ଦେଇଛନ୍ତି । ସେହିପରି ଧ୍ରୁବ ଜୁରେଲ ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି । ଏହି ୩ ବ୍ୟାଟରଙ୍କ ପ୍ରଦର୍ଶନ ବଳରେ ଦଳ ୪ଟି ଯାକ ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ସୂର୍ଯ୍ୟବଂଶୀଙ୍କ ବିଧ୍ୱଂସୀ ବ୍ୟାଟିଂ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ୪ଟି ଇନିଂସ୍‌ରେ ୨୦୦ ରନ୍ ସଂଗ୍ରହ କରି ସାରିଛନ୍ତି । ଜୈସ୍ୱାଲ ମଧ୍ୟ ୯୧.୫୦ ଆଭରେଜରେ ୧୮୩ରନ୍ କରିଛନ୍ତି । ଆସନ୍ତାକାଲି ମଧ୍ୟ ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମାତ୍ର ମଧ୍ୟଭାଗ ବ୍ୟାଟରଙ୍କ ପ୍ରଦର୍ଶନ ଦଳକୁ ଚିନ୍ତିତ କରିଛି । ସିମରନ ହେତମାୟର ଫର୍ମ ଫେରିବାକୁ ସଂଘର୍ଷ ଜାରି ରଖିଛନ୍ତି । ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିଛି । ସେହିପରି ସ୍ପିନର ରବି ବିଷ୍ଣୋଇ ୪ଟି ମ୍ୟାଚ୍ ଖେଳି ୯ଟି ୱିକେଟ୍ ଅକ୍ତିଆର କରି ସାରିଛନ୍ତି ।​​​​​​​

ହାଇଦ୍ରାବାଦ ୪ଟି ମ୍ୟାଚ୍ ଖେଳି ୧ ବିଜୟ, ୩ ପରାଜୟ ସହ ମୋଟ ୨ପଏଣ୍ଟ ପାଇ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ଟ୍ରାଭିସେକ୍‌ଙ୍କ  ବିସ୍ଫୋରଣ ସତ୍ତେ୍ୱ ଦଳ ଶେଷ ୨ଟି ମ୍ୟାଚ୍ରେ ଯଥାକ୍ରମେ ଲକ୍ଷ୍ନୌ ଓ ପଞ୍ଜାବ ନିକଟରୁ ହାରି ଯାଇଥିଲା । ପ୍ରଭାବହୀନ ବୋଲିଂ ଦଳ ପରାଜୟର ମୁଖ୍ୟ କାରଣ ହୋଇଛି । ମଧ୍ୟକ୍ରମରେ ହେନରିକ୍ କ୍ଲାସେନ ନିୟମିତ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ସେ ୧୮୪ ରନ୍ କରି ସାରିଛନ୍ତି । ତେଣୁ ଅନ୍ୟ ବ୍ୟାଟର ଓ ବୋଲରମାନଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ରାଜସ୍ଥାନକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଆସନ୍ତାକାଲି ଟ୍ରାଭିସେକ୍ ଓ ଆର୍ଚରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଉଭୟ ଦଳ ପରସ୍ପରକୁ ୨୧ଥର ଭେଟିଛନ୍ତି । ହାଇଦ୍ରାବାଦ ୧୨ଟି ଓ ରାଜସ୍ଥାନ ୯ଟି ମ୍ୟାଚ୍ ଜିତିଛି । ଗତ ସିଜନରେ ଉଭୟ ଦଳ ଥରେ ସାମ୍ନାସାମ୍ନି ହୋଇଥିଲେ ଏବଂ ହାଇଦ୍ରାବାଦ ୪୪ ରନ୍‌ରେ ଉକ୍ତ ମ୍ୟାଚ୍ ଜିତିଥିଲା । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ପିଚ୍ ବ୍ୟାଟରଙ୍କ ପାଇଁ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା ନିଶ୍ଚିତ। ଆଜି ୩ନଂ ପିଚ୍‌ରେ ମ୍ୟାଚ୍ ଖେଳାଯିବ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି 

Share

Leave a Reply

Your email address will not be published. Required fields are marked *

eighteen − 2 =