ଆଜି MI ବନାମ DC ମୁକାବିଲା
ଚଳିତ ଆଇପିଏଲ୍ରେ ଆଜି ୨ଟି ମ୍ୟାଚ ଖେଳାଯିବ । ଅପରାହ୍ଣରେ ଘରୋଇ ଦିଲ୍ଲୀ ୫ଥର ଚାମ୍ପିଅନ ମୁମ୍ବାଇକୁ ଭେଟିବ । ନିଜ ନିଜର ପ୍ରଥମ ମ୍ୟାଚ୍ ଜିତିଥିବା ଉଭୟ ଦଳ ବିଜୟଧାରା ଜାରି ରଖିବାକୁ ପ୍ରସ୍ତୁତ ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଦ୍ୱିତୀୟ ବିଜୟ ଲକ୍ଷ୍ୟ ନେଇ ଲଢିବେ କ୍ୟାପିଟାଲ୍ସ- ଇଣ୍ଡିଆନ୍ସ । ବିଶେଷ କରି ରୋହିତ ଶର୍ମାଙ୍କ ଉପରେ ନଜର ରହିବ । ଫୁଲ୍ ଫର୍ମରେ ଅଛନ୍ତି ହିଟ୍ମ୍ୟାନ୍ ।
ରେକର୍ଡ ମୁମ୍ବାଇ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୩୭ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୨୧ଟି ମ୍ୟାଚ ଜିତିଥିବାବେଳେ ଦିଲ୍ଲୀ ୧୬ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ବର୍ଷ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଉଭୟ ମ୍ୟାଚରେ ମୁମ୍ବାଇ ବିଜୟ ହାସଲ କରିଥିଲା । ଅସଲରେ କହିବାକୁ ଗଲେ ମୁମ୍ବାଇ ବିପକ୍ଷରେ ପରାଜୟ ପରେ ଦିଲ୍ଲୀର ପତନ ଆରମ୍ଭ ହୋଇଥିଲା । ପ୍ରଥମ ୫ଟି ମ୍ୟାଚ ଜିତିଥିବା ଦିଲ୍ଲୀ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ଲେ- ଅଫ୍କୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା । ପ୍ରତି ସିଜନ ଭଳି ମୁମ୍ବାଇ ଏଥର ମଧ୍ୟ ଶକ୍ତିଶାଳୀ ଓ ସନ୍ତୁଳିତ ଦଳ ପ୍ରସ୍ତୁତ କରିଛି । ଗତ ସିଜନରେ ବିଫଳ ହୋଇଥିବା ରୋହିତ ଶର୍ମା ଓ ର୍ୟାନ ରିକେଲଟନ ଚମତ୍କାର ଫର୍ମରେ ରହିଛନ୍ତି । ଦିଲ୍ଲୀ ମଧ୍ୟ ପ୍ରଥମ ମ୍ୟାଚରେ ବେଶ୍ ଶୃଙ୍ଖଳିତ ବୋଲିଂ କରିଥିଲା । ଅବଶ୍ୟ ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ ।
ଆଜି ମୁମ୍ବାଇ ଦଳରେ ପରିବର୍ତ୍ତନ ହୋଇପାରେ । ମିଚେଲ ସାଣ୍ଟନର ଦଳରେ ଯୋଗ ଦେଇ ସାରିଥିବାରୁ ଆଲ୍ଲା ଗଜନଫରଙ୍କ ସ୍ଥାନରେ ଖେଳିବେ । ଦିଲ୍ଲୀ ଦଳ ଅପରିବର୍ତ୍ତିତ ରହିବ । ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ ବା କୋଟଲା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ବିଶାଳ ସ୍କୋର ହେବା ଏକ ପ୍ରକାର ନିଶ୍ଚିତ । ଆସନ୍ତାକାଲି ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ୍ ସେଭଳି ପ୍ରଭାବ ପକାଇବ ନାହିଁ । ମାତ୍ର ସନ୍ଧ୍ୟାରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା ରହିଥିବାରୁ ଖେଳ ବାଧାପ୍ରାପ୍ତ ହେବା ଆଶା କରାଯାଉଛି । ଆଜି କେଏଲ ରାହୁଲ ଓ ଟ୍ରେଣ୍ଟ ବୋଲ୍ଟଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିପାରେ । ବୋଲ୍ଟଙ୍କ ବିପକ୍ଷରେ ରାହୁଲ ୯୦ଟି ବଲ୍ ଖେଳି ୧୪୦ ରନ ସଂଗ୍ରହ କରିଛନ୍ତି ।
ମୁମ୍ବାଇ: ରୋହିତ ଶର୍ମା, ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ସେରଫାନ ରଦରଫୋର୍ଡ, ମିଚେଲ ସାଣ୍ଟନର, ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମୟଙ୍କ ମାର୍କଣ୍ଡେ, ଟ୍ରେଣ୍ଟ ବୋଲ୍ଟ ।
ଦିଲ୍ଲୀ: କେଏଲ ରାହୁଲ, ପଥୁମ ନିଶଙ୍କା, ନୀତିଶ ରାଣା, ଅକ୍ଷର ପଟେଲ (ଅଧିନାୟକ), ଡେଭିଡ୍ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ସମୀର ରିଜଭୀ/ଆଶୁତୋଷ ଶର୍ମା, ବିପ୍ରଜ ନିଗମ, କୁଲଦୀପ ଯାଦବ, ଲୁଙ୍ଗି ଏନଗିଡ଼ି, ମୁକେଶ କୁମାର, ଟି. ନଟରାଜନ ।

