ଏପ୍ରିଲ ୧ରୁ ବଢ଼ିପାରେ ଗ୍ୟାସ ଦର
ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହେବାର ଗୁଜବ ଉପରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ ମତ ରଖିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦୃଢ଼ ଭାବରେ କହିଛନ୍ତି ଯେ ଦେଶବ୍ୟାପୀ ଲକଡାଉନ୍ ହେବା ସମ୍ପର୍କରେ କଳ୍ପନାଜଳ୍ପନା ସମ୍ପୂର୍ଣ୍ଣ ଭିତ୍ତିହୀନ । ସେ ଜୋର ଦେଇ କହିଛନ୍ତି ଯେ ସରକାର ଏପରି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାଁନ୍ତି ଏବଂ ଜନସାଧାରଣଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।
ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ
ସରକାର ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ସତ୍ତ୍ୱେ ଦେଶରେ ଇନ୍ଧନ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ । ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ପର୍ଯ୍ୟାପ୍ତ ତେଲ ଏବଂ ଗ୍ୟାସ୍ ସଂରକ୍ଷଣ ଅଛି ଏବଂ ଏହା ଆଗାମୀ ୬୦ ଦିନ ପାଇଁ ଯୋଗାଣ ସୁରକ୍ଷିତ କରିସାରିଛି । ଏହା ବ୍ୟତୀତ ଭାରତ ବର୍ତ୍ତମାନ ୪୧ରୁ ଅଧିକ ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି, ଯାହା ହର୍ମୁଜ୍ ପ୍ରଣାଳୀରେ କୌଣସି ଅବରୋଧର ପ୍ରଭାବକୁ ଯଥେଷ୍ଟ ହ୍ରାସ କରୁଛି । ତଥାପି ସରକାରଙ୍କ ଏହି ପ୍ରତିଶ୍ରୁତି ସତ୍ତ୍ୱେ ଲୋକଙ୍କ ମଧ୍ୟରେ ପ୍ୟାନିକ୍ ଯୋଗୁଁ ଗ୍ୟାସ୍ ଏଜେନ୍ସି ବାହାରେ ଲମ୍ବା ଧାଡ଼ି ଲାଗିଛି ।
ତୈଳ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ପ୍ରସ୍ତୁତି ବୃଦ୍ଧି କରିଛନ୍ତି
ତୈଳ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ପ୍ରସ୍ତୁତି ବୃଦ୍ଧି କରିଛନ୍ତି । ପେଟ୍ରୋଲ ପମ୍ପ ମାଲିକମାନେ ଏବେ ପୂର୍ବ ଅପେକ୍ଷା ଅଧିକ କ୍ରେଡିଟ୍ ପାଉଛନ୍ତି ଯାହା ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ରହିବ ନାହିଁ । ସରକାର କହିଛନ୍ତି ଯେ ଭାରତ ମଧ୍ୟ ପେଟ୍ରୋଲିୟମ ଉତ୍ପାଦର ରପ୍ତାନିକାରୀ ଦେଶ, ତେଣୁ ଏହି ସମୟରେ ‘ଜାତୀୟ ଶକ୍ତି ଜରୁରୀକାଳୀନ’ର ଆବଶ୍ୟକତା ନାହିଁ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ଏପ୍ରିଲ ୧ରୁ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇବ ନା କିଛି ଆଶ୍ୱସ୍ତି ମିଳିବ ?
ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଶ୍ୱସ୍ତି ପାଇଁ ବହୁତ କମ୍ ଆଶା ଅଛି । ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଏବଂ ଗ୍ୟାସ ମୂଲ୍ୟ ଉଚ୍ଚ ରହିଛି । ବିଶ୍ୱର ଅନେକ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇସାରିଛି, ତେଣୁ ଯଦି ୧ ଏପ୍ରିଲ ୨୦୨୬ରେ ଏଲପିଜି ମୂଲ୍ୟ ଯଦି ବୃଦ୍ଧି ପାଏ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ ।
ମୂଲ୍ୟ ପରିବର୍ତ୍ତନର ସମ୍ଭାବନା
ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ (OMCs) ପ୍ରତି ମାସର ପ୍ରଥମ ଦିନରେ ଗ୍ୟାସ ମୂଲ୍ୟ ସମୀକ୍ଷା କରନ୍ତି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ଅଶୋଧିତ ତେଲ ଏବଂ ଗ୍ୟାସ ମୂଲ୍ୟ ଉଚ୍ଚ ରହିଛି । ଫଳସ୍ୱରୂପ ଏପ୍ରିଲ ୧ରୁ ମୂଲ୍ୟ ବୃଦ୍ଧି ଆଶା କରାଯାଉଛି ।
ମାର୍ଚ୍ଚ ୨୦୨୬ରେ ଘରୋଇ ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଥିଲା । ଆସନ୍ତା ମାସରେ ଦର ହ୍ରାସ ପାଇବ କି ବୃଦ୍ଧି ପାଇବ ତାହା ଅନ୍ତର୍ଜାତୀୟ ଶକ୍ତି ବଜାର ସ୍ଥିତି ଉପରେ ନିର୍ଭର କରିବ । ଏଲପିଜି ସହିତ ସିଏନଜି ଏବଂ ପିଏନଜି ମୂଲ୍ୟ ମଧ୍ୟ ଏପ୍ରିଲ ୧ ରୁ ପରିବର୍ତ୍ତନ ହେବାର ଆଶା କରାଯାଉଛି ।

