ଭାରତର ପ୍ରଥମ ୟୁଟିଲିଟି ଭାବେ ଡିଜିପିନ୍କୁ ଆପଣାଇଲା ଟିପିସିଓଡିଏଲ, ଉପଭୋକ୍ତାଙ୍କୁ ମିଳିବ ବିଶ୍ୱସନୀୟ ଓ ଅତ୍ୟାଧୁନିକ ସେବା
ଭୁବନେଶ୍ୱର, ୩୧ ମାର୍ଚ୍ଚ, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ଭାରତର ପ୍ରଥମ ପାୱାର ୟୁଟିଲିଟି ଭାବେ ଡିଜିପିନ୍ ବ୍ୟବସ୍ଥାକୁ ଆପଣାଇଛି। ଦେଶର ଏହି ଅତ୍ୟାଧୁନିକ ଡିଜିଟାଲ୍ ଆଡ୍ରେସିଂ ସିଷ୍ଟମକୁ ଗ୍ରହଣ କରି ଟିପିସିଓଡିଏଲ୍ ବିଦ୍ୟୁତ ବିତରଣ କ୍ଷେତ୍ରରେ ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) ର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି।
ଭାରତୀୟ ଡାକ ବିଭାଗ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଆଇଆଇଟି ହାଇଦ୍ରାବାଦର ମିଳିତ ସହଯୋଗରେ ବିକଶିତ ଏହି ଡିଜିପିନ୍, ଜଟିଳ ଲାଟିଚ୍ୟୁଡ୍-ଲଙ୍ଗିଚ୍ୟୁଡ୍ ସ୍ଥାନାଙ୍କ ବଦଳରେ ଏକ ସରଳ ୧୦ ଅଙ୍କ ବିଶିଷ୍ଟ ଆଲଫାନିୟୁମେରିକ କୋଡ୍ ବ୍ୟବହାର କରେ। ଏହି ନୂତନ ବ୍ୟବସ୍ଥା ଦ୍ୱାରା ଅତି ସଠିକ ଏବଂ ସହଜ ଭାବେ ସ୍ଥାନ ଚିହ୍ନଟ କରାଯାଇପାରିବ; ଯାହାକି ସ୍ୱଳ୍ପ କନେକ୍ଟିଭିଟି ଥିବା ଅଞ୍ଚଳରେ ମଧ୍ୟ କାର୍ଯ୍ୟକ୍ଷମ ହେବ ଏବଂ ଶାସନ ବ୍ୟବସ୍ଥା ଓ ସେବା ପ୍ରଦାନ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବ।
ଆଧାର ଭିତ୍ତିକ ଯାଞ୍ଚ ଏବଂ ସହଜ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଭଳି ନିଜର ଶକ୍ତିଶାଳୀ ଡିଜିଟାଲ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରି, ଟିପିସିଓଡିଏଲ ଏବେ ନିଜର ଏଣ୍ଟରପ୍ରାଇଜ୍ ଜିଓଗ୍ରାଫିକ୍ ଇନଫର୍ମେସନ୍ ସିଷ୍ଟମ୍ (ଜିଆଇଏସ୍) ବ୍ୟବସ୍ଥାରେ ଡିଜିପିନ୍ କୁ ସାମିଲ କରିଛି। ଏହା ମାଧ୍ୟମରେ କମ୍ପାନୀର ପ୍ରତ୍ୟେକ ବୈଦ୍ୟୁତିକ ସମ୍ପତ୍ତି କୁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ଠିକଣା ପ୍ରଦାନ କରାଯାଉଛି। ଏହି ନୂତନ ସଂଯୋଗୀକରଣ ଦ୍ୱାରା ନେଟୱାର୍କର ସ୍ଥିତି ସ୍ପଷ୍ଟ ଭାବେ ଜଣାପଡ଼ିବ, ଫିଲ୍ଡ କାର୍ଯ୍ୟ ଗୁଡ଼ିକ ସରଳ ହେବ ଏବଂ ରକ୍ଷଣାବେକ୍ଷଣ ତଥା ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ଅତି କମ୍ ସମୟ ମଧ୍ୟରେ ସେବା ଯୋଗାଇ ଦିଆଯାଇପାରିବ।
ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ଟିପିସିଓଡିଏଲ ର ସିଇଓ ଶ୍ରୀ ଅରଭିନ୍ଦ ସିଂହ କହିଛନ୍ତି ଯେ, “ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ହେଉଛି ଆଧୁନିକ ଶାସନ ବ୍ୟବସ୍ଥାର ମୁଖ୍ୟ ଆଧାର, ଯାହା ସମସ୍ତଙ୍କୁ ଅତି ଦକ୍ଷତାର ସହ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ସାହାଯ୍ୟ କରେ। ଭାରତ ସରକାରଙ୍କ ଡିଜିଟାଲ୍ ସଶକ୍ତିକରଣ ପରିକଳ୍ପନାକୁ ସଫଳ କରିବା ପାଇଁ ଟିପିସିଓଡିଏଲ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଡିଜିପିନ୍ କୁ ଆପଣାଇବା ଆମ ପାଇଁ ଏକ ରଣନୈତିକ ପଦକ୍ଷେପ, ଯାହା ଆମର ଡିଜିଟାଲ୍ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ। ଏହା ଦ୍ୱାରା ଆମେ ନ୍ୟାସନାଲ ଆଡ୍ରେସିଂ ଗ୍ରିଡ୍ ସହ ସାମିଲ ହୋଇପାରିବୁ ଏବଂ ତଥ୍ୟ ଭିତ୍ତିକ ନିଷ୍ପତ୍ତି ଗ୍ରହଣ କରି ଉପଭୋକ୍ତାମାନଙ୍କୁ ବିଶ୍ୱସନୀୟ ଓ ଉନ୍ନତ ସେବା ପ୍ରଦାନ କରିବୁ।“
ଡିଜିପିନ୍ ର ପ୍ରଚଳନ ଦ୍ୱାରା ଉଭୟ ପରିଚାଳନା କ୍ଷେତ୍ରରେ ଏବଂ ଉପଭୋକ୍ତାଙ୍କ ପାଇଁ ଅନେକ ସୁବିଧା ମିଳିପାରିବ। ଫିଲ୍ଡ ଟିମ୍ ଗୁଡ଼ିକ ପାଇଁ ଏହା ବିଦ୍ୟୁତ ସମ୍ପତ୍ତିର ସଠିକ ଚିହ୍ନଟ ଏବଂ ନେଭିଗେସନ୍କୁ ସୁନିଶ୍ଚିତ କରିବ, ଯାହାକି ଇଣ୍ଟରନେଟ୍ ନଥିବା ସ୍ଥାନରେ ମଧ୍ୟ କାମ କରିବ। ଏହାଦ୍ୱାରା କାମରେ ଦକ୍ଷତା ଏବଂ କର୍ମଚାରୀଙ୍କ ସୁରକ୍ଷା ବୃଦ୍ଧି ପାଇବ। ଅନ୍ୟପକ୍ଷରେ, ଉପଭୋକ୍ତାମାନେ ସରକାରୀ ପ୍ଲାଟଫର୍ମ ମାଧ୍ୟମରେ ନିଜର ସଠିକ ଲୋକେସନ୍ ସେୟାର କରିପାରିବେ, ଯାହା ଫଳରେ ସେମାନଙ୍କୁ ଅତି ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦିଆଯିବା ସହ ଅଭିଯୋଗର ତ୍ୱରିତ ସମାଧାନ କରାଯାଇପାରିବ।
ମୁଖ୍ୟ ବିଶେଷତ୍ୱ :
• ପ୍ରିସିସନ ମ୍ୟାପିଂ: ୨୯,୩୫୪ ବର୍ଗ କିଲୋମିଟର ପରିଧି ମଧ୍ୟରେ ଥିବା ପ୍ରତ୍ୟେକ ୪ ମିଟର ରେ ୪ ମିଟର (4m x 4m) ଗ୍ରୀଡ ପାଇଁ ଏକ ସ୍ୱତନ୍ତ୍ର ଡିଜିପିନ୍ ପ୍ରଦାନ କରାଯାଇଛି।
• ଅଫଲାଇନ୍ ସୁବିଧା : ଏହି ବ୍ୟବସ୍ଥା ଇଣ୍ଟରନେଟ୍ ବିନା ମଧ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ, ଯାହା ଫଳରେ ଦୁର୍ଗମ ଅଞ୍ଚଳରେ ଫିଲ୍ଡ କାର୍ଯ୍ୟ ସହଜରେ ହୋଇପାରିବ।
• ବଡ଼ ପରିମାଣର ସଂଯୋଗୀକରଣ : କମ୍ପାନୀର ୯୩,୦୦୦ରୁ ଅଧିକ ଟ୍ରାନ୍ସଫର୍ମର, ୧,୫୦୦ରୁ ଅଧିକ ଆରଏମୟୁ ଏବଂ ୧୯ ଲକ୍ଷ ବିଦ୍ୟୁତ ଖୁଣ୍ଟକୁ ଡିଜିପିନ୍ କୋଡ୍ ମାଧ୍ୟମରେ ଡିଜିଟାଲ୍ ମ୍ୟାପିଂ କରାଯାଇଛି।
• ଉନ୍ନତ ଉପଭୋକ୍ତା ଅନୁଭୂତି : ବିଭିନ୍ନ ସରକାରୀ ଆପ୍ଲିକେସନ୍ ମାଧ୍ୟମରେ ଉପଭୋକ୍ତାମାନେ ନିଜର ସଠିକ ଲୋକେସନ୍ ସେୟାର କରିପାରିବେ।
ନିଜର ଏଣ୍ଟରପ୍ରାଇଜ୍ ଜିଆଇଏସ୍ ପ୍ଲାଟଫର୍ମ ସହିତ ନ୍ୟାସନାଲ ଆଡ୍ରେସିଂ ଗ୍ରିଡ୍ କୁ ସମନ୍ୱିତ କରି ଟିପିସିଓଡିଏଲ ୟୁଟିଲିଟି ଅପରେସନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି।
ଏହି ଅଭିନବ ପଦକ୍ଷେପ କମ୍ପାନୀର ନବସୃଜନ, ପରିଚାଳନାଗତ ଦକ୍ଷତା ଏବଂ ଉପଭୋକ୍ତାମାନଙ୍କୁ ଏକ ଭରସାଯୋଗ୍ୟ ତଥା ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ ସେବା ଯୋଗାଇବା ପାଇଁ ଥିବା ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।

