ଟାଟା ଷ୍ଟିଲ୍ ଓ କନଷ୍ଟ୍ରକ୍ଟଷ୍ଟିଲ୍ ପକ୍ଷରୁ ଭୁବନେଶ୍ୱରରେ ଇସ୍ପାତ ଆଧାରିତ ଜିରୋ ଏନର୍ଜି ବିଲ୍ଡିଂ ଲୋକାର୍ପିତ
ଭୁବନେଶ୍ୱର, ୧୨/୧୨/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ କନଷ୍ଟ୍ରକ୍ଟଷ୍ଟିଲ୍ ସହଯୋଗିତାର ଅତ୍ୟାଧୁନିକ ଲାଇଟ୍ ଗେଜ୍ ଇସ୍ପାତ ଫ୍ରେମ୍ (ଏଲ୍ଜିଏସଏଫ୍) ପ୍ରଯୁକ୍ତି ବ୍ୟବହାର କରି ନିର୍ମାଣ କରାଯାଇଥିବା ଇସ୍ପାତ ଆଧାରିତ ଜିରୋ ଏନର୍ଜି ବିଲ୍ଡିଂ (ଜେଡ୍ଇବି)ର ଲୋକାର୍ପଣ କରାଯାଇଛି। କନଷ୍ଟ୍ରକ୍ଟଷ୍ଟିଲ୍ ହେଉଛି ୱାର୍ଲଡ ଷ୍ଟିଲ୍ ଆସୋସିଏସନ୍ର ଇସ୍ପାତ ନିର୍ମାଣ ବଜାର ବିକାଶ କାର୍ଯ୍ୟକ୍ରମ।
୧୮୩୬ ବର୍ଗଫୁଟରେ ନିର୍ମାଣ କରାଯାଇଥିବା ଏହି କୋଠାକୁ ୱାର୍ଲଡ ଷ୍ଟିଲ୍ ଆସୋସିଏସନ୍ (ୱାର୍ଲଡ ଷ୍ଟିଲ୍)ର ମହାନିର୍ଦ୍ଦେଶକ ଡକ୍ଟର ଏଡ୍ୱିନ୍ ବାସନଙ୍କ ଉପସ୍ଥିତିରେ ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ ଉଦ୍ଘାଟନ କରିଛନ୍ତି। ସାଢ଼େ ତିନି ମାସରେ ନିର୍ମାଣ କରାଯାଇଥିବା ଏହି କୋଠା ନେଟ୍-ଜିରୋ, କମ୍ ଶକ୍ତି ବ୍ୟବହାର ଓ ପରିବର୍ତ୍ତିତ ଜଳବାୟୁ ପାଇଁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଉଦଘାଟନୀ ଅବସରରେ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ଇସ୍ପାତ ଆଧାରିତ ଜିରୋ ଏନର୍ଜି କୋଠା, ନିର୍ମାଣର ଭବିଷ୍ୟତକୁ ପ୍ରତିଫଳିତ କରୁଛି। କନଷ୍ଟ୍ରକ୍ଟଷ୍ଟିଲ୍ ସହ ଆମ ସହଯୋଗିତା ଏହା ଦର୍ଶାଉଛି ଯେ, କିଭଳି ଆଧୁନିକ, ଶକ୍ତି ଅନୁକୂଳ ଓ ଲୋ-କାର୍ବନ ସମାଧାନକୁ ସାରା ଭାରତରେ ବ୍ୟାପକ ଭାବେ ଦୋହରାଇହେବ ଓ ମୁଖ୍ୟସ୍ରୋତ ଭିତ୍ତିଭୂମିରେ ସମନ୍ୱିତ କରିହେବ।’’
ଏଲ୍ଜିଏସ୍ଏଫ୍ ପ୍ରଯୁକ୍ତିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଇସ୍ପାତ ସେକ୍ସନକୁ ଫ୍ରେମ୍ ଭଳି ଆସେମ୍ବଲ କରାଯାଇଥାଏ, ଯାହା କୋଠାକୁ ସର୍ବନିମ୍ନ ବାୟୁ ଲିକେଜ୍, ଉନ୍ନତ ବାୟୁ ଚଳାଚଳ ଓ ଅଳ୍ପ ଶକ୍ତି କ୍ଷୟ ସହ ଏକ କଠିନ ଆବରଣରେ ପରିଣତ କରିଥାଏ। ଇସ୍ପାତ ପାଇଁ ଢ଼ାଂଚା ହାଲୁକା ହେବା ସହ ତାହାକୁ ଶୀଘ୍ର ନିର୍ମାଣ କରାଯାଇଥାଏ, ଫଳରେ ଏହା ଦୀର୍ଘସ୍ଥାୟୀ ହୋଇଥାଏ ଏବଂ ଏହାକୁ ରିସାଇକଲ୍ କରାଯାଇପାରୁଥିବାରୁ ପରିବେଶ ଉପରେ ତାହାର ପ୍ରଭାବ ମଧ୍ୟ କମ୍ କରିଥାଏ।

