Business

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ମାଇକ୍ରୋସଫ୍ଟ ରିସର୍ଚ୍ଚ ଇଣ୍ଡିଆର ସହଯୋଗରେ ମିଳିତ ସମ୍ମିଳନୀ ଆୟୋଜିତ


– ୨୬ଟି ଶିକ୍ଷାନୁଷ୍ଠାନ ଓ ଶିଳ୍ପ କ୍ଷେତ୍ରର ଅଭିଜ୍ଞ ନେତୃତ୍ୱମାନଙ୍କ ଯୋଗଦାନ; କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଉଚ୍ଚ ଶିକ୍ଷାର ରୂପାନ୍ତର ଉପରେ ଆଲୋଚନା

ଭୁବନେଶ୍ୱର । ୬ ମାର୍ଚ୍ଚ ୨୦୨୬: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ମାଇକ୍ରୋସଫ୍ଟ ରିସର୍ଚ୍ଚ ଇଣ୍ଡିଆର ସହଯୋଗରେ “କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଉଚ୍ଚ ଶିକ୍ଷାର ରୂପାନ୍ତର” ବିଷୟକୁ ନେଇ ଏକ ସମ୍ମିଳନୀ ଆୟୋଜିତ। ଓଡ଼ିଶାର ୨୬ଟି ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପ୍ରତିନିଧିମାନେ ଏଥିରେ ସହଭାଗୀ ଭାବେ ଯୋଗ ଦେଇଥିଲେ। କୃତ୍ରିମ ବୁଦ୍ଧିମତ୍ତା କିପରି ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ପ୍ରକ୍ରିୟା ଓ ଶିକ୍ଷାଦାନ ପଦ୍ଧତିକୁ ପରିବର୍ତ୍ତନ କରୁଛି, ତାହାର ବିଶ୍ଳେଷଣ କରିବା ଏହି ସମ୍ମିଳନୀର ମୂଖ୍ୟ ଉଦ୍ଦେଶ୍ୟ ଥିଲା।
ସମ୍ମିଳନୀରେ ଶିକ୍ଷା ଗ୍ରହଣ ଓ ଶିକ୍ଷା ପ୍ରଦାନ ପ୍ରଣାଳୀରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଏବଂ ନ୍ୟାୟସଙ୍ଗତ, ଦାୟିତ୍ୱଶୀଳ ଓ ସମାନତାମୂଳକ ପରିବେଶ ଗଠନର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଅନୁଶାସନମୂଳକ ସମନ୍ୱୟ, ସହଯୋଗାତ୍ମକ ଅଧ୍ୟୟନ ଓ ମୂଲ୍ୟାଧାରିତ ଶିକ୍ଷା ପ୍ରଣାଳୀର ଗୁରୁତ୍ୱରୋପ କରାଯାଇଥିଲା।
ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ‘ଓଡ଼ିଶା ୟୁନିଭର୍ସିଟି କମ୍ପାକ୍ଟ’ ମଡ଼େଲ୍‌। ଏହା ଏକ ସହଯୋଗାତ୍ମକ ମଡେଲ୍‌, ଯାହା ମାଧ୍ୟମରେ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ସ୍ୱାଧୀନତା ବଜାୟ ରଖି ଏକାଠି କାର୍ଯ୍ୟ ସମ୍ପାଦନ କରିପାରିବେ, ଏହି ମଡ଼େଲ୍ ଅନୁଯାୟୀ ସହଯୋଗାତ୍ମକ ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାଦାନ ଓ ଅନୁଶାସନମୂଳକ ଗବେଷଣାକୁ ଶକ୍ତିଶାଳୀ କରାଯାଇପାରିବ। ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ସହଭାଗୀ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ପାଠ୍ୟକ୍ରମ ଅଧ୍ୟୟନ କରିବାର ସୁଯୋଗ ଦେଇ ବିକଳ୍ପ ଓ ସମାବେଶମୂଳକ ଉଚ୍ଚ ଶିକ୍ଷା ପ୍ରଣାଳୀ ଗଠନ କରିବାର ବାଟ ଫିଟାଇବ।
‘ଓଡ଼ିଶା ୟୁନିଭର୍ସିଟି କମ୍ପାକ୍ଟ’ ମଡ଼େଲ୍ ‘ଏକଲବ୍ୟ ମଡେଲ୍‌’ ସହ ସଂପୂର୍ଣ୍ଣ ଭାବେ ସମନ୍ୱିତ। ଏହି ମଡେଲ୍ କୃତ୍ରିମ ବୁଦ୍ଧିମତ୍ତାକୁ ପ୍ରଜେକ୍ଟ-ବେସ୍ଡ ଲର୍ନିଂ ଓ ପୋର୍ଟଫୋଲିଓ-ବେସ୍ଡ ଲର୍ନିଂ ଭଳି ନୂତନ ପାଠ୍ୟକ୍ରମ ପ୍ରଣାଳୀ ସହ ଏକତ୍ର କରିଥାଏ। ଏହି ପଦକ୍ଷେପଗୁଡ଼ିକ ସହଯୋଗାତ୍ମକ ଅଧ୍ୟୟନ, କୌଶଳମୂଳକ ଶିକ୍ଷା ଓ ଶିକ୍ଷାଗତ ଉନ୍ନତିକୁ ପ୍ରୋତ୍ସାହନ ଦେଇ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ପାରମ୍ପରିକ ଶିକ୍ଷା ପ୍ରଣାଳୀକୁ ଆଧୁନିକ ଓ ସମୟୋପଯୋଗୀ କରିବା ଦିଗରେ କାର୍ଯ୍ୟ କରୁଛି।
ଗବେଷଣା, ଶିକ୍ଷା ଓ ଶିଳ୍ପ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏହି ସମ୍ମିଳନୀରେ ଯୋଗଦେଇଥିଲେ। ମାଇକ୍ରୋସଫ୍ଟ ରିସର୍ଚ୍ଚ ଇଣ୍ଡିଆର ସିନିୟର ପ୍ରିନ୍ସିପାଲ୍ ରିସର୍ଚର ଡ଼. ମନୋହର ସ୍ୱାମୀନାଥନ ‘ପ୍ଲୁରିଭର୍ସିଟି କମ୍ପାକ୍ଟ’ ବିଷୟରେ ପ୍ରାୟୋଗିକ କର୍ମଶାଳା ଆୟୋଜନ କରିଥିଲେ। ସେ ଶ୍ରୋତାମାନଙ୍କୁ ଉନ୍ନତ ଏଜେଣ୍ଟିକ୍ ଏଆଇ ପ୍ରଯୁକ୍ତି ବିଷୟରେ ପରିଚିତ କରାଇଥିଲେ। ସେହିପରି କେପିଏମଜି ଇଣ୍ଡିଆର ଦୀବାକର ଗୁପ୍ତା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ସମ୍ବନ୍ଧୀୟ ନିୟମନାତ୍ମକ ପରିବେଶ ବିଷୟରେ ମତାମତ ପ୍ରଦାନ କରିଥିଲେ।
ଉପସ୍ଥିତ ଶିକ୍ଷାବିତଙ୍କ ମଧ୍ୟରେ ନ୍ୟାସନାଲ୍ ଲ’ ୟୁନିଭର୍ସିଟି ଓଡ଼ିଶାର ରେଜିଷ୍ଟ୍ରାର ପ୍ରଫେସର ରଙ୍ଗିନ୍ ପି. ତ୍ରିପାଠୀ; ସେନଚ୍ୟୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନଲୋଜି ଏଣ୍ଡ୍ ମ୍ୟାନେଜମେଣ୍ଟର ପ୍ରୋ-ଭାଇସ୍ ଚାନ୍ସେଲର ପ୍ରଫେସର ଶ୍ରୀଦେବୀ ଗୁଡା ଓ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ଡିନ୍ ଡ଼. ସଞ୍ଜୟ କୁଅଁର ପ୍ରମୁଖ ଯୋଗ ଦେଇଥିଲେ।
ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ, ଡାଇନାମିକୱେବ୍ (ସିଙ୍ଗାପୁର)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପୁଷ୍ପକ ପାତ୍ର ଓ ସିଆରଓ ଫାର୍ମା ଟ୍ରେଣ୍ଡଜ୍‌ର ଡ଼. ସାଇପ୍ରସନ୍ନ ବେହେରା, ଶିଳ୍ପ କ୍ଷେତ୍ରରେ ଆବଶ୍ୟକ ନୂତନ କୌଶଳ ଓ ଶିକ୍ଷା-ଶିଳ୍ପ ସହଯୋଗର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଅନ୍ୟତମ ଆକର୍ଷଣ ଥିଲା ‘ଏଜେଣ୍ଟସ୍ ଫର ଏକାଡେମିଆ’ ହ୍ୟାକାଥନ୍‌ର ପୁରସ୍କାର ବିତରଣ, ଯେଉଁଠାରେ ଛାତ୍ରଛାତ୍ରୀମାନେ ସମଗ୍ର ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗୀତାକୁ ନେଇ ପ୍ରସ୍ତାବ ରଖିଥିଲେ।
ସମ୍ମିଳନୀର ଶେଷରେ ଏକ ସମନ୍ୱୟମୂଳକ ଦଳ ଗଠନ କରାଯାଇଥିଲା, ଯାହା ଶିକ୍ଷାଦାନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଏବଂ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିକୁ ଏକ ଗବେଷଣା-ଭିତ୍ତିକ ଶିକ୍ଷା ପ୍ରଣାଳୀ ବିକଶିତ କରିବାରେ ସହାୟତା କରିବ ।

Share

Leave a Reply

Your email address will not be published. Required fields are marked *

1 × 1 =