ଆନ୍ଧ୍ରର ସରକାରୀ ସଂସ୍ଥା ଏଏମଟିଜେଡ ସହିତ ନାରାୟଣ ସେବା ସଂସ୍ଥାନର ୫-ବର୍ଷିଆ ବୁଝାମଣା
ଭୁବନେଶ୍ୱର: ସ୍ୱଦେଶୀ, ସୁଲଭ ଓ ଉଚ୍ଚ ପ୍ରଦର୍ଶନକାରୀ ପ୍ରୋସଥେଟିକ, ଅର୍ଥୋଟିକ ଓ ସହାୟକ ପ୍ରଯୁକ୍ତିରେ ଉନ୍ନତି ଆଣିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସଂସ୍ଥା ତଥା ଭାରତର ପ୍ରିମିୟର ମେଡିକାଲ ଟେକ୍ନୋଲୋଜି ପାର୍କ ଆନ୍ଧ୍ରପ୍ରଦେଶ ମେଡଟେକ ଜୋନ ଲିମିଟେଡ (ଏଏମଟିଜେଡ) ପକ୍ଷରୁ ଦିବ୍ୟାଙ୍ଗଙ୍କ ଜୀବନରେ ଉନ୍ନତି ଆଣିବାକୁ ସମର୍ପିତ ଅଣଲାଭଦାୟକ ସଂସ୍ଥା ନାରାୟଣ ସେବା ସଂସ୍ଥାନ (ଏନଏସଏସ) ସହିତ ୫-ବର୍ଷିଆ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଛି।
ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଏଏମଟିଜେଡର ଆରଆଣ୍ଡଡି ଲ୍ୟାବ, ନମୁନା, ମାନୁଫାକଚରିଂ କାରଖାନା ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବସ୍ଥାକୁ ଏନଏସଏସର ଅତୁଳନୀୟ କ୍ଲିନିକାଲ ଦକ୍ଷତା ଓ ଥଇଥାନ ଅନୁଭୂତି ସହ ମିଶାଇବା। ମିଳିତ ଭାବେ ଉଭୟ ସଂସ୍ଥା ସ୍ୱଦେଶୀ, ସୁଲଭ ଓ ଉଚ୍ଚ ମାନର ପ୍ରୋସଥେଟିକ, ଅର୍ଥୋଟିକ ଓ ସହାୟକ ପ୍ରଯୁକ୍ତିକୁ ଆଗକୁ ବଢ଼ାଇବାରେ କାମ କରିବା ସହ ଜାତୀୟ ସ୍ତରରେ ୨୦୩୦ ସୁଦ୍ଧା ୧ ଲକ୍ଷ ଉଚ୍ଚ ମାନର କୃତ୍ରିମ ଅଙ୍ଗ ପ୍ରଦାନ କରିବା ପାଇଁ ଏନଏସଏସର ୨୦୩୦ ଭିଜନକୁ ପୂରଣ କରିବ।
ନାରାୟଣ ସେବା ସଂସ୍ଥାନ ଏଏଟିଜେଡ ସହ ଏହାର ୨୦୩୦ ଭିଜନକୁ ଆଗକୁ ବଢ଼ାଉଥିବା ବେଳେ ଆବଶ୍ୟକତା ଉଲ୍ଲେଖନୀୟ ରହିବ। ୨୦୧୧ ଜନଗଣନା ଅନୁସାରେ ଭାରତରେ ୨.୬୮ କୋଟି ଦିବ୍ୟାଙ୍ଗ ରହିଛନ୍ତି। ସେଥିରୁ ୫୪.୩୬ ଲକ୍ଷ ଚଳପ୍ରଚଳନ କରିବାରେ ଅସୁବିଧା ଭୋଗୁଥିବା ବେଳେ ୫୦.୭୨ ଲକ୍ଷ ବଧିର ଓ ୫୦.୩୩ ଲକ୍ଷ ହେଉଛନ୍ତି ଦୃଷ୍ଟିବାଧିତ।
ଭୌଗୋଳିକ ଦୃଷ୍ଟିରୁ ଚଳପ୍ରଚଳରେ ଅସୁବିଧା ଭୋଗୁଥିବା ୬୪.୪୯ ପ୍ରତିଶତ (୧.୮୬ କୋଟି) ଲୋକ ଗ୍ରାମାଚଂଳରେ ବାସ କରୁଛନ୍ତି। ତେଣୁ ସେମାନଙ୍କ ପାଖରେ ସୁଲଭ ମୂଲ୍ୟରେ ପ୍ରୋସଥେଟିକ ଓ ସହାୟକ ପ୍ରଯୁକ୍ତି ପହଂଚାଇବା ଜରୁରୀ ହୋଇପଡ଼ିଛି।
ନାରାୟଣ ସେବା ସଂସ୍ଥାନର ନିର୍ଦେଶକ ଶ୍ରୀ ପଲକ ଅଗ୍ରୱାଲ କହିଛନ୍ତି ଯେ, ‘ଏଏମଟିଜେଡ ସହ ଆମ ସହଯୋଗିକୁ ନେଇ ଆମେ ସାରା ଭାରତରେ ଦିବ୍ୟାଙ୍ଗମାନଙ୍କ ସମ୍ଭାବନାକୁ ବଢ଼ାଇବୁ। ଆମେ ଉଚ୍ଚ ପ୍ରଦର୍ଶନକାରୀ ପ୍ରୋସଥେଟିକ ଓ ସହାୟକ ପ୍ରଯୁକ୍ତିକୁ ଉଭୟ ସୁଲଭ କରି ଓ ଲୋକମାନଙ୍କ ପାଖରେ ପହଂଚାଇ ସେମାନଙ୍କୁ ଚଳପ୍ରଚଳନ କରାଇବା, ସ୍ୱାଧୀନ ଓ ବିଶ୍ୱାସ କରି ସଶକ୍ତ କରିବୁ ଯାହା ଆହ୍ୱାନକୁ ସୁଯୋଗରେ ପରିଣତ କହରିବ ଏବଂ ଦେଶବ୍ୟାପୀ ୧ ଲକ୍ଷ ହିତାଧିକାରୀଙ୍କ ପାଖରେ ୨୦୩୦ ସୁଦ୍ଧା ପହଂଚିବାର ସ୍ୱପ୍ନ ପୂରଣ କରିବ।’’
ଏନଏସଏସର ସାଧାରଣ ଅଙ୍ଗର ମୂଲ୍ୟ ବର୍ତମାନ ପ୍ରାୟ ୧୦ ହଜାର ଟଙ୍କା ରହୁଥିବା ବେଳେ ନ୍ୟୁମେଟିକ ନି ଜଏଂଟ ଭଳି ପ୍ରୋସଥେସିସ ଓ କାର୍ବନ ଫୁଟ ଅଧିକ ଦୃଢ଼ତା, ସନ୍ତୁଳନ ଓ ଦୀର୍ଘସ୍ଥାୟିତ୍ୱ ପ୍ରଦାନ କରିବ। ସ୍ୱଦେଶୀ ନିର୍ମାଣ ଓ ପ୍ରଚ୍ଛଦ ସମନ୍ୱୟ ଜରିଆରେ ଗୁଣାତ୍ମକ ମାନ ଓ ପ୍ରଦର୍ଶନ ସହ ସାଲିସ ନକରି ଏହି ଅତ୍ୟାଧୁନିକ ଅଙ୍ଗର ମୂଲ୍ୟକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି।
ଏହି ବୁଝାମଣା ଅଧୀନରେ ଏଏମଟିଜେଡ ଆରଆଣ୍ଡଡି ଓ ପରୀକ୍ଷଣ ଭିତିଭୂମି ଏବଂ ମିଳିତ ଗବେଷଣା ପାଇଁ ବୈଷୟିକ ଓ ପରିଚାଳନା ସହାୟତା ପ୍ରଦାନ କରିବ। ଏନଏସଏସ କ୍ଲିନିକାଲ ସ୍ୱୀକୃତି, ଥଇଥାନ ଓ ଜାତୀୟ ସ୍ତରରେ ସହାୟକ ଉପକରଣ ଶିବିର ଆୟୋଜନ କରିବ। ଏହା ଅନୁଦାନ, ପେଟେଂଟ ଓ ସହାୟକ କାର୍ଯ୍ୟକ୍ରମ ଦାୟିତ୍ୱରେ ରହିବ।

