Business

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୫୫ ତମ ଜାତୀୟ ସୁରକ୍ଷା ମାସ ଏବଂ ‘ଲାଇନମେନ୍ ଦିବସ’ ପାଳିତ

ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଭିତ୍ତିଭୂମିକୁ ସୃଦୃଢ କରିବା ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଲାଗି ନିଃସ୍ୱାର୍ଥପର ଭାବେ କାର୍ଯ୍ୟରତ ଥିବା ବିଦ୍ୟୁତ୍ ସେବାର ବୀର ଯୋଦ୍ଧାଙ୍କ ସମ୍ମାନାର୍ଥେ ‘ଲାଇନମେନ୍ ଦିବସ’ ପାଳିତ ହୋଇଯାଇଅଛି । ଏଥିସହିତ କର୍ମକ୍ଷେତ୍ରରେ ନିରାପଦ ପରିବେଶ ଓ ସମସ୍ତ ପ୍ରକାର ଦୁର୍ଘଟଣା ପ୍ରସଙ୍ଗରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଲକ୍ଷ୍ୟ ନେଇ କମ୍ପାନୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ୫୫ ତମ ଜାତୀୟ ସୁରକ୍ଷା ମାସ ପାଳନ କରାଯାଉଅଛି ।

ଏନେଇ କମ୍ପାନୀର ବୁର୍ଲା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଏକ ବିରାଟ ସମାବେଶ ଆୟୋଜନ କରାଯାଇଥିଲା । ଏହି ଅବସରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ବୁର୍ଲା ସ୍ଥିତ କମ୍ପାନୀର କର୍ପୋରେଟ୍ କାର୍ଯ୍ୟାଳୟରେ ସୁରକ୍ଷା ପତାକା ଉତ୍ତୋଳନ କରି ମାସବ୍ୟାପୀ ଚାଲିବାକୁ ଥିବା ଏହି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଲାଇନମେନମାନଙ୍କ ଉତ୍ସର୍ଗ, ସାହସ ଏବଂ ଅକ୍ଳାନ୍ତ ପ୍ରୟାସକୁ ସ୍ୱୀକୃତି ଦେବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରତିକୂଳ ପାଣିପାଗ ଏବଂ ବିପଦପୂର୍ଣ୍ଣ ପରିବେଶରେ କାର୍ଯ୍ୟ କରୁଥିବା ଲାଇନମେନମାନେ ବିଦ୍ୟୁତ୍ ବିତରଣ ନେଟୱାର୍କର ମେରୁଦଣ୍ଡ ହୋଇ ରହିଛନ୍ତି ।

ଏହି ଅବସରରେ ଚଳିତ ବର୍ଷର ଜାତୀୟ ସୁରକ୍ଷା ମାସର ବିଷୟବସ୍ତୁ ଉପରେ ଆଲୋକପାତ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଥିଲେ ଯେ, ” ଆମ କମ୍ପାନୀରେ ସୁରକ୍ଷା କେବଳ ଏକ ପ୍ରୋଟୋକଲ୍ ନୁହେଁ ବରଂ ଏହା ଆମର ମୂଳମନ୍ତ୍ର । ଯାହା ଆମର କାର୍ଯ୍ୟର ପ୍ରତ୍ୟେକ ଦିଗକୁ ମାର୍ଗଦର୍ଶନ କରାଇଥାଏ । ଆମର ଲାଇନମେନ୍ ଏବଂ କ୍ଷେତ୍ର ରକ୍ଷଣାବେକ୍ଷଣ ଦଳଗୁଡ଼ିକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପରିସ୍ଥିତିରେ ଅକ୍ଲାନ୍ତ ଭାବରେ କାର୍ଯ୍ୟ କରିଥାନ୍ତି । ନିରନ୍ତର ତାଲିମ, ସଚେତନତା ଏବଂ ସଶକ୍ତିକରଣ ମାଧ୍ୟମରେ, ଆମେ ଆମର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ନିରାପଦ କର୍ମକ୍ଷେତ୍ର ସୃଷ୍ଟି କରିବାକୁ ପ୍ରତିବଦ୍ଧ ଅଟୁ।”

ଏହି କାର୍ଯ୍ୟକ୍ରମରେ ଅପରେସନ ବିଭାଗର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ସିଂହ, ଅକ୍ଷୟ ଶକ୍ତି ବିଭାଗର ମୁଖ୍ୟ ଶ୍ରୀ ଆଶିଷ କୁମାର ପାଟ୍ଟଯୋଶୀ, ବାଣିଜ୍ୟ ବିଭାଗର ମୁଖ୍ୟ ଶ୍ରୀ ପି. ପି. ତେନ୍ଦୁଲକର, ବୈଷୟିକ ସେବା ମୁଖ୍ୟ ଶ୍ରୀ ଅନିଲ କୁମାର ଓଝା, ମିଟର ବିଭାଗର ମୁଖ୍ୟ ଶ୍ରୀ ରୁପେଶ ଗୋୟଲ, ଏବଂ ସୁରକ୍ଷା ବିଭାଗର ମୁଖ୍ୟ ଶ୍ରୀ ଗୋପବନ୍ଧୁ ଶତପଥିଙ୍କ ସମେତ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଟାଟା ଗ୍ରୁପର ଦୃଢ଼ ସୁରକ୍ଷା ସଂସ୍କୃତିର ଏକ ଅଂଶ ଭାବରେ, ଟିପିଡବ୍ଲୁଓଡିଏଲ୍ ଏହାର କର୍ମଚାରୀମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଏବଂ ଦକ୍ଷତାର ସହିତ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆବଶ୍ୟକୀୟ ଜ୍ଞାନ, ତାଲିମ ଏବଂ ସୁରକ୍ଷା ଉପକରଣ ସହିତ ସଜ୍ଜିତ କରି କର୍ମଚାରୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଚାଲିଅଛି ।

ସେହିପରି କମ୍ପାନୀର ବୁର୍ଲା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ବ୍ୟତିତ ସମସ୍ତ ମଣ୍ଡଳ ଏବଂ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ୟ ‘ଲାଇନମେନ୍ ଦିବସ’ ପାଳନ କରାଯାଇଅଛି । ଏହି ଅବସରରେ, କମ୍ପାନୀର ସମସ୍ତ କାର୍ଯ୍ୟାଳୟରେ ଲାଇନମେନମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବାର ସ୍ୱୀକୃତି ସ୍ୱରୂପ ସମ୍ମାନିତ କରାଯାଇଥିଲା । ମାସବ୍ୟାପୀ ଜାତୀୟ ସୁରକ୍ଷା ମାସ କାର୍ଯ୍ୟକଳାପ ଭାବେ ଟିପିଡବ୍ଲୁଓଡିଏଲର ସମସ୍ତ ସେକ୍ସନ କାର୍ଯ୍ୟାଳୟ, ସମସ୍ତ ବିଭାଗୀୟ କାର୍ଯ୍ୟାଳୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସୁରକ୍ଷା ଅଭ୍ୟାସ, ତାଲିମ ଅଧିବେଶନ ଏବଂ ସ୍ୱୀକୃତି ପଦକ୍ଷେପ ମାଧ୍ୟମରେ ୧୫,୦୦୦ରୁ ଅଧିକ ଲାଇନମେନମାନଙ୍କୁ ସାମିଲ କରାଯିବ ।

Share

Leave a Reply

Your email address will not be published. Required fields are marked *

three × four =