ଅମ୍ଫାନ ପ୍ରଭାବ : ରାଜ୍ୟର କେଉଁ ଜିଲ୍ଲାରେ କ’ଣ ରହିବ ସ୍ଥିତି, ଜାଣନ୍ତୁ …

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମୁଦ୍ର ମଧ୍ୟରେ ଥିବାବେଳେ ଅମ୍ଫାନର ପବନର ବେଗ ଘଣ୍ଟାପ୍ରତି ୨୨୦ରୁ ୨୩୦ କିଲୋମିଟର ଓ ଏହାର ଉଚ୍ଚତା ୧୫ କିଲୋମିଟର ପର୍ଯ୍ୟନ୍ତ ରହିଛି। ସେହିପରି ମହାବାତ୍ୟା ଅମ୍ଫାନର ପରିଧି ୧୨୦ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଛି। ଏଥିସହ ଶ୍ରୀ ମହାପାତ୍ର କହିଛନ୍ତି ଯେ ଅମ୍ଫାନ୍‌ର ଗତିପଥ ଓଡ଼ିଶା ଉପକୂଳ ଦେଇ ଏକ ସମାନ୍ତରାଳ ରେଖାରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ଉପକୂଳ ଆଡ଼କୁ ଅଗ୍ରସର ହେବା ଥିବା ଦୃଷ୍ଟିରୁ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ, ପୂର୍ବ, କେନ୍ଦ୍ରୀୟ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ଅମ୍ଫାନର ପ୍ରଭାବ ଅନୁଭୂତ ହେବ। ତେବେ, ଆସନ୍ତୁ ଜାଣିବା ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ରାଜ୍ୟର ଉପକୂଳବର୍ତ୍ତୀ କେଉଁ ଜିଲ୍ଲାରେ କ’ଣ ରହିବ ଅମ୍ଫାନର ପ୍ରଭାବ …

୧) ଦକ୍ଷିଣ ଉପକୂଳ: ଗଞ୍ଜମ ଓ ଗଜପତି

ଓଡ଼ିଶାର ଦକ୍ଷିଣ ଉପକୂଳପର୍ତ୍ତୀ ଏହି ଜିଲ୍ଲା ଦୁଇଟିରେ ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି (ମେ ୧୯) ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଏଥିସହ ଏହି ଦୁଇ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ଓ ପବନ ଝଟକାର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମଧ୍ୟ ଉଠିବାର ସମ୍ଭାବନା ରହିଛି।

୨) ପୂର୍ବ- କେନ୍ଦ୍ରୀୟ ଉପକୂଳ: ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଟକ

ଏହି ସମସ୍ତ ଜିଲ୍ଲାରେ ମେ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ଓ ପବନ ଝଟକାର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମଧ୍ୟ ଉଠିବାର ସମ୍ଭାବନା ରହିଛି।

୩) ଉତ୍ତର ଉପକୂଳ: ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର

ତେବେ, ଅମ୍ଫାନ ପ୍ରଭାବରେ ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ରାଜ୍ୟ ଉତ୍ତର ଉପକୂଳର ଏହି ୪ ଜିଲ୍ଲା। ମେ ୧୯ ତାରିଖ ଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୧୬୫ରୁ ୧୭୫ କିଲୋମିଟର ବେଗରେ ବହିବା ସହ ୧୯୫ କିଲୋମିଟର ବେଗରେ ମଧ୍ୟ ପବନ ଝଟକା ଦେଇପାରେ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅମ୍ଫାନ ରାଜ୍ୟର ଉତ୍ତର ଉପକୂଳ ଦେଇ ଅତିକ୍ରମ କରୁଥିବା ବେଳେ ଉପକୂଳର ଅତି ନିକଟଦେଇ ଗତି କରୁଥିବ ଫଳରେ ଅମ୍ଫାନର ବାହ୍ୟ ବଳୟ ଏହି ସବୁ ଜିଲ୍ଲା ଉପର ଦେଇ ଗତି କରିବ। ସେଥିପାଇଁ ଏହି ସବୁ ଜିଲ୍ଲାରେ ଅଧିକ ପ୍ରଭାବ ଅନୁଭୂତ ହେବା ସହ ପବନର ବେଗ ମଧ୍ୟ ଅଧିକ ରହିବ। ଫଳରେ କଚ୍ଚା ଘରଠାରୁ ଆରମ୍ଭ କରି ପୁରୁଣା ଘର, ଗଛ, ବିଦ୍ୟୁତ ଖୁଣ୍ଟି ଓ ଟାଓ୍ଵାର ଉପୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏଥିସହ ତଟବର୍ତ୍ତୀ ଅଞ୍ଚଳରେ ୪ରୁ ୬ ମିଟର ଉଚ୍ଚତାର ସାମୁଦ୍ରିକ ଉଠି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବାର ସମ୍ଭାବନା ରହିଥିବା ନେଇ ସତର୍କ କରାଇ ଦେଇଛନ୍ତି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର।

Share

Leave a Reply

Your email address will not be published. Required fields are marked *

2 + sixteen =