ବାଲିଆପାଳରେ ପ୍ରଥମ ସୁବର୍ଣ୍ଣରେଖା ବନ୍ଦର ଭଲିବଲ ଟୁର୍ଣ୍ଣାମେଂଟ୍ ଆୟୋଜିତ

ବାଲିଆପାଳ: କ୍ରୀଡ଼ା ଓ କ୍ରୀଡ଼ା ପ୍ରତିଭାର ପ୍ରସାର ପାଇଁ ରହିଥିବା ପରମ୍ପରାକୁ ଆଗକୁ ବଢ଼ାଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌୍ ସହଯୋଗିତାରେ ବାଲେଶ୍ୱରର ବାଲିଆପାଳ ବ୍ଲକ୍ ସ୍ଥିତ ବାଲିଆପାଳ ଶାରିରୀକ ଶିକ୍ଷା କଲେଜ (ବିସିପିଇ) ବା ବାଲିଆପାଳ କଲେଜ ଅଫ୍ ଫିଜିକାଲ୍ ଏଜୁକେସନ୍ (ବିସିପିଇ)ରେ ପ୍ରଥମ ସୁବର୍ଣ୍ଣରେଖା ଭଲିବଲ୍ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଇଛି ।
ଏହି ଦୁଇ ଦିନିଆ ଟୁର୍ଣ୍ଣାମେଂଟ୍‌ରେ ବାଲିଆପାଳର ଛଅ ଏବଂ ବସ୍ତା ବ୍ଲକ୍‌ର ଚାରି ଟିମ୍ ସମେତ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ ଏବଂ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ଲାଗି ବିପୁଳ ଜନ ସମାଗମ ହୋଇଥିଲା । ଟୁର୍ଣ୍ଣାମେଂଟ୍‌ର ପ୍ରଥମ ଦିନରେ କିଛି ଚମତ୍କାର ଖେଳ ଦେଖିବାକୁ ମିଳିଥିବା ବେଳେ ସେମିଫାଇନାଲ୍‌ରେ ବାଲିଆପାଳର ଟିମ୍ ବଡାସ୍ ଓ ଟିମ୍ ନିଖିରା ଏବଂ ବସ୍ତା ବ୍ଲକ୍‌ର ଟିମ୍ ନୋହାଞ୍ଜୋରା ଓ ଟିମ୍ ଚାଷୀପଡ଼ା ପ୍ରବେଶ କରିଥିଲେ ଏବଂ ଟୁର୍ଣ୍ଣାମେଂଟ୍‌ର ଦ୍ୱିତୀୟ ଦିବସରେ ଟିମ୍ ନିଖିରା ଓ ଟିମ୍ ବଡାସ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ, ବାଲିଆପାଳ ଗ୍ରାମ ପଂଚାୟତର ସରପଂଚଙ୍କ ପ୍ରତିନିଧି ହେମନ୍ତ ଦାସ, ବାଲିଆପାଳର ପଂଚାୟତ ସମିତି ସଦସ୍ୟା ଝୁନା ରାଣୀ ପାତ୍ର, ବିସିପିଇର ଅଧ୍ୟକ୍ଷ ସୁଶାନ୍ତ ଦେ, ଓଡ଼ିଶାର ରାଜ୍ୟ ସ୍ତରୀୟ ଭଲିବଲ୍ ସଂଘର ସଦସ୍ୟ ସନ୍ତୋଷ କୁମାର ଦାସ, ଟାଟା ଷ୍ଟିଲ୍ ଫାଊଣ୍ଡେସନର ସିଏସ୍‌ଆର୍ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଟାଟା ଷ୍ଟିଲ୍‌ର ସିଏସ୍‌ଆର ଓ ଟିଏସ୍‌ଏଫ୍‌ର ଟିମ୍ ସଦସ୍ୟମାନେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।
ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଟିମ୍ ନିଖିରା ପ୍ରଥମ ସୁବର୍ଣ୍ଣରେଖା ବନ୍ଦର ଭଲିବଲ ଟୁର୍ଣ୍ଣାମେଂଟ୍‌ର ଚାମ୍ପିଅନ୍ ହୋଇଥିବା ବେଳେ ଟିମ୍ ବଡାସ୍ ରନର୍ସ ଅପ୍ ହୋଇଛି । ଉଭୟ ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ଓ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × four =