ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିରେ ଏଡିଟର୍ସ୍ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ
– ଡିଜିଟାଲ୍ ସାମ୍ବାଦିକତା, ସମ୍ପାଦକୀୟ ଦାୟିତ୍ୱବୋଧ ଓ ସମ୍ବାଦର ଭବିଷ୍ୟତକୁ ନେଇ ବରିଷ୍ଠ ସମ୍ପାଦକମାନଙ୍କ ଆଲୋଚନା
ଭୁବନେଶ୍ୱର : ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ବିର୍ଲା ସ୍କୁଲ୍ ଅଫ୍ କମ୍ୟୁନିକେଶନ୍ ପକ୍ଷରୁ ୬ ମାର୍ଚ୍ଚ ୨୦୨୬ ତାରିଖରେ ୟୁନିଭର୍ସିଟି ସେମିନାର୍ ହଲ୍ରେ ଏଡିଟର୍ସ୍ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନେ ଏହି ସମ୍ମିଳନୀରେ ଯୋଗଦେଇ ସାମ୍ବାଦିକତାର ପରିବର୍ତ୍ତିତ ଧାରା ଓ ଆହ୍ୱାନଗୁଡ଼ିକ ସମ୍ପର୍କରେ ମତବିନିମୟ କରିଥିଲେ।
ଏହି ସମ୍ମିଳନୀ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା— ଯାହାର ଶୀର୍ଷକ ରହିଥିଲା “ଶିରୋନାମା ବିବର୍ତ୍ତନ: ଖବରକୁ ଭାବନାତ୍ମକ ଢଙ୍ଗରେ ଉପସ୍ଥାପନା ପାଇଁ ନା ସୂଚନା ଆକାରରେ ପରିବେଷଣ ପାଇଁ ପ୍ରସ୍ତୁତ କରାଯାଉଛି?” ଏବଂ “ସିଟିଜେନ୍ ଜର୍ଣ୍ଣାଲିଜିମ୍ ଯୁଗରେ ଗେଟକିପିଂ: ଯଦି ସମସ୍ତେ ଖବର ପ୍ରସାରଣ କରୁଛନ୍ତି, ତେବେ ସମ୍ପାଦକଙ୍କ ଭୂମିକା କ’ଣ?”।
ପ୍ରଥମ ଅଧିବେଶନରେ ଏମ୍ବିସି ଟିଭିର ସମ୍ପାଦକ ଡ଼. ଅଶୋକ କୁମାର ପଣ୍ଡା, ଓଡିଶା ଭାସ୍କରର ପୂର୍ବତନ ସମ୍ପାଦକ ଭାସ୍କର ପରିଚ୍ଛା, ଅର୍ଗସ୍ ନ୍ୟୁଜ୍ ର ପୂର୍ବତନ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ଏବଂ ପ୍ରତିଦିନର ପରିଚାଳନା ସମ୍ପାଦକ ସୁଧୀର କୁମାର ପଣ୍ଡା ଯୋଗଦେଇଥିଲେ।
ଆଲୋଚନା କ୍ରମରେ ଉପସ୍ଥିତ ଅତିଥିମାନେ ଗଣମାଧ୍ୟମ ବ୍ୟବସ୍ଥାର କ୍ରମବିକାଶ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ କିଭଳି ଗଣମାଧ୍ୟମ ଅନୁଷ୍ଠାନଗୁଡିକୁ ପ୍ରଭାବିତ କରୁଛି ସେନେଇ ଭାସ୍କର ପରିଚ୍ଛା ମତବ୍ୟକ୍ତ କରିଥିଲେ। ସେହିପରି ସୁଧୀର କୁମାର ପଣ୍ଡା କୃତ୍ରିମ ବୁଦ୍ଧିମତା (ଏଆଇ)ରୁ ଗଣମାଧ୍ୟମ ଅନୁଷ୍ଠାନ ସମ୍ମୁଖୀନ ହେଉଥିବା ସମ୍ଭାବ୍ୟ ଆହ୍ୱାନ ବିଷୟରେ ଉପସ୍ଥାପନା କରିଥିଲେ। ଅପରପକ୍ଷରେ ସଞ୍ଜୟ ଜେନା ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଗଢ଼ିଉଠିଥିବା ସାମ୍ବାଦିକଙ୍କ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ଏବଂ ଡ଼. ଅଶୋକ କୁମାର ପଣ୍ଡା ଖବର ପରିବେଷଣରେ ସୂଚନା ଓ ଭାବନା ମଧ୍ୟରେ ସନ୍ତୁଳନ ରଖିବାର ଆବଶ୍ୟକତାକୁ ଉଲ୍ଲେଖ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ଓଡିଶା ବାଇଟ୍ସର ମୁଖ୍ୟ ସମ୍ପାଦକ ସନ୍ଦୀପ ମିଶ୍ର, ହିନ୍ଦୁସ୍ତାନ ଟାଇମ୍ସର ପୂର୍ବତନ ରେସିଡେଣ୍ଟ ଏଡ଼ିଟର ନଳିନୀ ରଞ୍ଜନ ମହାନ୍ତି ଏବଂ ଦୂରଦର୍ଶନ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଓ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ପୂର୍ବତନ ଉପନିର୍ଦ୍ଦେଶକ ବଦ୍ରି ନାରାୟଣ ଅଧିକାରୀ ଯୋଗଦେଇଥିଲେ।
ଏହି ଅଧିବେଶନରେ ସନ୍ଦୀପ ମିଶ୍ର କହିଥିଲେ ଯେ ସାମାଜିକ ଗଣମାଧ୍ୟମ କାରଣରୁ ପ୍ରତ୍ୟେକ ମିନିଟ୍ ସାମ୍ବାଦିକମାନଙ୍କ ପାଇଁ ଡେଡଲାଇନ୍ରେ ପରିଣତ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ଖବରର ଦ୍ରୁତ ପ୍ରବାହ ସମୟରେ ପ୍ରସାରଣର ବେଗ ଓ ସଠିକତା ମଧ୍ୟରେ ସନ୍ତୁଳନ ରଖିବା ଏବେ ଅଧିକ କଷ୍ଟସାଧ୍ୟ ହୋଇପଡ଼ିଛି। ନଳିନୀ ରଞ୍ଜନ ମହାନ୍ତି ଉଲ୍ଲେଖ କରିଥିଲେ ଯେ, ସିଟିଜେନ୍ ଜର୍ଣ୍ଣାଲିଜିମ୍ ଓ ସୋସିଆଲ୍ ମିଡିଆ ଖବର ପରିବେଶଣକୁ ଲୋକାଭିମୁଖୀ କରାଇଥିଲେ ମଧ୍ୟ ଭ୍ରାନ୍ତିକର ତଥ୍ୟଗୁଡିକର ପ୍ରସାର ଆଶଙ୍କା ବଢ଼ିଛି। ଏଭଳି ସ୍ଥିତିରେ ସମ୍ପାଦକଙ୍କ ଦ୍ୱାରା ଖବରର ସତ୍ୟାସତ୍ୟ ଯାଞ୍ଚ କରିବା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ବଦ୍ରି ନାରାୟଣ ଅଧିକାରୀ କହିଥିଲେ ଯେ, ସିଟିଜେନ୍ ଜର୍ଣ୍ଣାଲିଜିମ୍ର ପ୍ରସାର ସତ୍ତ୍ୱେ ପାରମ୍ପରିକ ସମ୍ପାଦକୀୟ ମାନଦଣ୍ଡ ଏବଂ ବିଶ୍ୱସନୀୟତାକୁ ବଜାୟ ରଖିବା ଅପରିହାର୍ଯ୍ୟ ହୋଇଛିା
ଏହି ଅବସରରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବଲୁନୀ ଓ ରେଜିଷ୍ଟ୍ରାର ଡ଼. ବି. କେ. ଦାସ ଆମନ୍ତ୍ରିତ ସମ୍ପାଦକମାନଙ୍କୁ ସମ୍ମାନିତ କରିଥିଲେ। ବିର୍ଲା ସ୍କୁଲ୍ ଅଫ୍ କମ୍ୟୁନିକେଶନ୍ର ଡିନ୍ ଡ଼. ଶିବ ଶଙ୍କର ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବିଜିୟୁର ସହାୟକ ପ୍ରଫେସର ଡ଼. ଜ୍ଞାନରଞ୍ଜନ ମିଶ୍ର ସଂଯୋଜନା କରିଥିଲେ ଏବଂ ସମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର (ଏମଏଜେଏମସି) ବିଭାଗର ଛାତ୍ରଛାତ୍ରୀମାନେ ଅଧିବେଶନଗୁଡ଼ିକୁ ସଂଚାଳନ କରିଥିଲେ।

