ଅତିରିକ୍ତ ସିକ୍ୟୁରିଟି ଜମା (ଏଏସ୍ଡି) ଆଡଜଷ୍ଟମେଂଟ୍ /ଦାବି ହେଉଛି ବିଦ୍ୟୁତ ନିୟମ ୨୦୨୩ ଓ ଓଇଆରସି ନିୟମ ଅଧୀନରେ ଓଇଆର୍ସିଙ୍କ ନିର୍ଦ୍ଦେଶାନୁସାରେ କଡ଼ାକଡ଼ି ପାଳନ କରାଯାଉଥିବା ଏକ ବୈଧାନିକ ଓ ନିୟାମକ ପ୍ରକ୍ରିୟା: ଟିପି ଓଡ଼ିଶା ଡିସକମ୍
ଭୁବନେଶ୍ୱର: ଟିପି ଓଡ଼ିଶା ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡ଼ିକ କହିଛନ୍ତି ଯେ ବିଦ୍ୟୁତ ବିଲ୍ରେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି (ଏଏସଡି) ଆଦାୟ ଏକ ବିଧିବଦ୍ଧ ଆବଶ୍ୟକତା ଯାହା ବିଦ୍ୟୁତ ଆଇନ, ୨୦୦୩ ଅଧୀନରେ ବାଧ୍ୟତାମୂଳକ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟମାବଳୀ ଅନୁସରଣ କରୁଛି।
କୌଣସି ଡିସକମ୍ ପାଇଁ ସିକ୍ୟୁରିଟି ରାଶି (ଏସଡି) ଆଡଜଷ୍ଟମେଂଟ ଏବଂ ଅତିରିକ୍ତ ସିକ୍ୟୁରିଟି ଜମାରାଶି (ଏଏସଡି) ସମ୍ପୂର୍ଣ୍ଣ ରୂପେ ଉପଭୋକ୍ତାଙ୍କ ବିଦ୍ୟୁତ ବ୍ୟବହାର ରୂପରେଖ ଓ ରାଜ୍ୟରେ ଲାଗୁ ଶୁଳ୍କ ସହ ଯୋଡ଼ିହୋଇରହିଛି।
ପୂର୍ବ ଆର୍ଥିକ ବର୍ଷରେ ଯେଉଁ ଉପଭୋକ୍ତାଙ୍କମାନଙ୍କ ବିଦ୍ୟୁତ ବ୍ୟବହାର ହ୍ରାସ ପାଇଛି ସେମାନଙ୍କ ବିଦ୍ୟୁତ ବିଲ୍ରେ ସିକ୍ୟୁରିଟି ଜମା ରାଶି ଆଡଜଷ୍ଟମେଣ୍ଟ ପାଇଁ ସେମାନେ ଯୋଗ୍ୟ ବିବେଚିତ ହେବେ। ସେହିପରି, ଯେଉଁ ଉପଭୋକ୍ତାମାନଙ୍କ ବିଦ୍ୟୁତ ବ୍ୟବହାର ବଢ଼ିଥିବ ସେମାନଙ୍କୁ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଜମା କରିବାକୁ ପଡ଼ିବ ଯାହା ନିଶ୍ଚିତ କରିବ ଯେ ନିୟାମକ ବ୍ୟବସ୍ଥା ଅନୁସାରେ ସିକ୍ୟୁରିଟି ଜମା ରାଶି ଯଥେଷ୍ଟ ପରିମାଣର ରହିଛି।
ଉପଭୋକ୍ତାମାନେ ପ୍ରତିବର୍ଷ ସେମାନଙ୍କ ସିକ୍ୟୁରିଟି ଜମା ଉପରେ ସୁଧ ହାସଲ କରିବେ ଏବଂ ନିୟାମକ ବ୍ୟବସ୍ଥା ଅନୁସାରେ ସେମାନଙ୍କ ବିଦ୍ୟୁତ ବିଲ୍ରେ ବାର୍ଷିକ ଭିତ୍ତିରେ ସୁଧ ରାଶି ଜମା କରାଯାଉଛି। ସିକ୍ୟୁରିଟି ଜମା ରାଶି ଓ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଆକାରରେ ସଂଗ୍ରହ କରାଯାଉଥିବା ଅର୍ଥରାଶିକୁ ସୁରକ୍ଷିତ ଭାବେ ସିଡ୍ୟୁଲ୍ଡ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (ଏଫ୍ଡି) ଭାବେ ରଖାଯାଉଛି ଯାହା ଉପଭୋକ୍ତାମାନଙ୍କ ପାଣ୍ଠିର ସମ୍ପୂର୍ଣ୍ଣ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ସେହି ଜମାରାଶିକୁ ଡିସକମ ଗୁଡ଼ିକ ସେମାନଙ୍କ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରୁନାହାନ୍ତି।
ଯେତେବେଳେ କୌଣସି ଉପଭୋକ୍ତା ବିଦ୍ୟୁତ ସଂଯୋଗରୁ ଓହରି ଯାଆନ୍ତି କିମ୍ବା ସପର୍ମଣ କରିଦିଅନ୍ତି ସେତେବେଳେ ସିକ୍ୟୁରିଟି ଜମାରାଶିକୁ ସୁଧ ସହ ତାଙ୍କୁ ସମ୍ପୂର୍ଣ୍ଣ ଫେରାଇ ଦିଆଯାଏ। ଡିସକମ ଗୁଡ଼ିକ ପକ୍ଷରୁ ଉପଭୋକ୍ତା ମାନଙ୍କୁ ପ୍ରିପେଡ୍ ବିଦ୍ୟୁତ ସଂଯୋଗ ବିକଳ୍ପ ମଧ୍ୟ ପ୍ରଦାନ କରାଯାଉଛି ଯେଉଁଥିରେ ସିକ୍ୟୁରିଟି ଜମା କିମ୍ବା ଅତିିରିକ୍ତ ସିକ୍ୟୁରିଟି ଜମା ଦରକାର ନାହିଁ ଯାହା ଅଧିକ ସୁବିଧାଜନକ ଓ ଏଭଳି ଜମା ରାଶିର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଦୂର କରୁଛି।
୨୦୨୪-୨୫ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ଉପଭୋକ୍ତାମାନଙ୍କ ବିଦ୍ୟୁତ ବିଲ୍ରେ ୬.୫୦ ପ୍ରତିଶତ ସୁଧ ହାରରେ ୨୧୭.୨୯ କୋଟି ଟଙ୍କାର ସୁଧ ସିକ୍ୟୁରିଟି ଜମାରାଶିରେ ଜମା କରାଯାଇଥିଲା।
ସିକ୍ୟୁରିଟି ଡିପୋଜିଟ୍ ଏବଂ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ସମ୍ବନ୍ଧୀୟ ନିୟମାବଳୀ କୌଣସି ନୂଆ କଥା ନୁହେଁ କିମ୍ବା ଏହା କାହାର ମନଇଚ୍ଛା ନିଷ୍ପତ୍ତି ଉପରେ ନିର୍ଭର କରେ ନାହିଁ। ଏହି ବ୍ୟବସ୍ଥା ଦଶନ୍ଧି ଦଶନ୍ଧ ଧରି ପ୍ରଚଳନରେ ରହିଛି ଏବଂ ପୂର୍ବରୁ ଥିବା ସେସୁ, ନେସ୍କୋ, ସାଉଥକୋ ଓ ୱେସ୍କୋ ସମୟରେ ମଧ୍ୟ ତାହା ଥିଲା। ଓଡ଼ିଶାରେ ଲାଗୁ ହୋଇଥିବା ନିୟାମକ ବ୍ୟବସ୍ଥା ବିଦ୍ୟୁତ ନିୟମ ୨୦୦୩ ଓ ଅନ୍ୟ ରାଜ୍ୟଗୁଡ଼ିକର ବିଦ୍ୟୁତ ବଂଟନ ୟୁଟିଲିଟି ଅନୁସରଣ କରୁଥିବା ଅଭ୍ୟାସ ସହିତ ସମ୍ପୂର୍ଣ୍ଣ ସମନ୍ୱିତ ରହିଛି। ଏହା ହେଉଛି ନିୟାମକ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଯାହାକୁ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା, ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ବିଦ୍ୟୁତ ବଂଟନ କ୍ଷେତ୍ରର ସାମଗ୍ରିକ ସ୍ଥିରତା ସୁନିଶ୍ଚିତ କରିବାକୁ ପ୍ରସ୍ତୁତ କରାଯାଇଛି।
ଯେଉଁ ଉପଭୋକ୍ତାମାନେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଦାଖଲ କରିବାର ଡିମାଣ୍ଡ ନୋଟ ପାଇଛନ୍ତିି ସେମାନଙ୍କୁ ନିର୍ଧାରିତ ସମୟ ଭିତରେ ତାହା ଜମା କରିବାକୁ ପଡ଼ିବ। ବୈଧାନିକ ବ୍ୟବସ୍ଥା ଅନୁସାରେ ନିର୍ଧାରିତ ତାରିଖ ଅତିକ୍ରମ
କରିଯିବା ପରେ ଦାଖଲ କରାଯାଇନଥିବା ରାଶି ଉପରେ ବାର୍ଷିକ ୧୫ ପ୍ରତିଶତ ହାରର ସରଚାର୍ଜ ଲାଗୁ କରାଯାଇଥାଏ।
ଏ ସମ୍ପର୍କରେ ଟାଟା ପାୱାର ର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ, ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ପ୍ରାୟ ୧ କୋଟି ଉପଭୋକ୍ତାଙ୍କୁ ସେବା ଯୋଗାଇବା ସହ ଆମର ଉପଭୋକ୍ତା ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ଷର ୩୬୫ ଦିନ ୨୪ଘଣ୍ଟା ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟାଟା ପାୱାର ଏକ ସୁଦୃଢ଼ ନିୟାମକ ବ୍ୟବସ୍ଥା ଅନୁସରଣ କରୁଛି। ସିକ୍ୟୁରିଟି ଡିପୋଜିଟ୍ର ବାର୍ଷିକ ସମୀକ୍ଷା ହେଉଛି ନିୟାମକଙ୍କ ଦ୍ୱାରା ନିର୍ଦ୍ଧାରିତ ଏକ ଆଇନଗତ ପ୍ରକ୍ରିୟା, ଯାହା ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରିବା ସହ ବ୍ୟବସାୟିକ ନିରନ୍ତରତା ବଜାୟ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସିକ୍ୟୁରିଟି ଜମା ଉପରେ ବାର୍ଷିକ ୬.୫୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ଯାହାକୁ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ନିୟମିତ ବିଲ୍ରେ ଆଡଜଷ୍ଟ୍ କରାଯାଉଛି। କମ୍ ବିଦ୍ୟୁତ ବ୍ୟବହାର ଭଳି ମାମଲାରେ ଅତିରିକ୍ତ ସିକ୍ୟୁରିଟି ଜମାକୁ ଉପଭୋକ୍ତାଙ୍କ ନିୟମିତ ବିଦ୍ୟୁତ ବିଲ୍ରେ ଆଡଜଷ୍ଟ୍ କରାଯାଉଛି। ସିକ୍ୟୁରିଟି ଜମାକୁ ଫିକ୍ସଡ ଡିପୋଜିଟ୍ ଭାବେ ରଖାଯାଉଛି ଏବଂ ଅନ୍ୟ କୌଣସି ପରିଚାଳନା କାର୍ଯ୍ୟରେ ତାହାକୁ ବ୍ୟବହାର କରାଯାଉନାହିଁ।”
