ପଞ୍ଚଭୂତରେ ବିଲୀନ ହେଲା ସକାଳ ବ୍ରହ୍ମପୁର ସାମ୍ବାଦିକ ଚିରଞ୍ଜିତଙ୍କ ମରଶରୀର

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଆଞ୍ଚଳିକ ସ୍ତରରେ ଜଣାଶୁଣା ଏକ ଚେହେରା ଆଉ ଦେଖିବାକୁ ମିଳିବନି। କାରଣ ବ୍ରହ୍ମପୁରର ଜଣାଶୁଣା ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ବୁଧବାର ଭୋରରେ ପରଲୋକ ଘଟିଛି। ଏକାଧାରରେ ଅପରାଧ ଓ ଅଦାଲତ କାର୍ଯ୍ୟର ଖବର ରିପୋର୍ଟିଂରେ ପାରଙ୍ଗମ ଥିବା ସହ ଜଣେ ଯୁବ ଆଇନଜୀବୀ, ସମାଜସେବୀ ଓ ସଙ୍ଗଠକ ଭାବେ ସେ ବେଶ୍ ସକ୍ରିୟ ରହି ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଅଚାନକ ହୃଦଘାତ ହେବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଥିଲା ଓ ବୁଧବାର ଭୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା।

୨୦୦୨-୦୩ ମସିହାରେ ଧରିତ୍ରୀ ଖବରକାଗଜରୁ ଆରମ୍ଭ ହୋଇଥିଲା ତାଙ୍କ ସାମ୍ବାଦିକତା ଜୀବନ। ପରବର୍ତ୍ତୀ ସମୟରେ ନିତିଦିନ ଓ ବର୍ତ୍ତମାନ ଦୈନିକ ଖବରକାଗଜ ‘ସକାଳ’ ବ୍ରହ୍ମପୁର ସଂସ୍କରଣରେ ସେ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ବ୍ରହ୍ମପୁର ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି। ବହୁ ଶୁଭେଚ୍ଛୁ, ସହକର୍ମୀ, ସହଯୋଗୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ମରଶରୀରକୁ ଜୟପ୍ରକାଶ ନଗରସ୍ଥିତ ବାସଭବନରୁ ଗଜପତି ନଗରସ୍ଥିତ ସକାଳ ଅଫିସ୍, ବ୍ରହ୍ମପୁର ପ୍ରେସ୍ କ୍ଲବ୍, ବ୍ରହ୍ମପୁର କୋର୍ଟ ନିଆଯାଇ ଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାସୁମନ ଜଣାଇବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ଶେଷରେ ହରିଡ଼ାଖଣ୍ଡି ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ଭାଇ ଶକ୍ତିଧର ରାଜଗୁରୁ ମଧ୍ୟ ଜଣେ ନାଁ କରା ସାମ୍ବାଦିକ।

Share

Leave a Reply

Your email address will not be published. Required fields are marked *

six − four =