ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ: ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଏତଲା

ତୁଳସୀଦାସଙ୍କ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ବରିଷ୍ଠ ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଚିତ୍ରକୁଟ ଜିଲ୍ଲାର ରାଜପୁର ଥାନାରେ ଏତଲା ଦିଆଯାଇଛି । ଅନୁଜ ହନୁମନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ମୌର୍ଯ୍ୟଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି |

ଅନୁଜ ହନୁମନ୍ତ କହିଛନ୍ତି “ଏସପି ନେତାଙ୍କ ନାମରେ ସ୍ୱାମୀ ଏବଂ ପ୍ରସାଦ ଭଳି ଶବ୍ଦ ଲାଗିଛି ଯାହା ରାମଚରିତମାନସର ଦୋହା ଏବଂ ଚଉପଦୀରେ ବ୍ୟବହୃତ ହୋଇଛି । ତଥାପି ସେ ରାମଚରିତମାନସ ଉପରେ ଭୁଲ ଟିପ୍ପଣୀ କରିଛନ୍ତି ।

“ଚିତ୍ରକୁଟ ଗୋସ୍ୱାମୀ ତୁଳସୀଦାସଙ୍କ ଜନ୍ମସ୍ଥାନ । ରାମଚରିତମାନସ ଉପରେ ମନ୍ତବ୍ୟ ଯୋଗୁଁ ଆମ ସମସ୍ତ ଚିତ୍ରକୁଟ ବାସିନ୍ଦାଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଛି । ତେଣୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ମୁଁ ଏତଲା ଦେଇଛି ।

ଅନୁଜ କହିଛନ୍ତି ଯେ “ଏହିପରି ନେତାମାନେ ବାରମ୍ବାର ଏଭଳି ବୟାନ ଦେଇ ଧାର୍ମିକ ଭାବନାକୁ ଆଘାତ କରୁଛନ୍ତି ଓ ସମାଜକୁ ଜାତି ଆଧାରରେ ବିଭାଜନ କରୁଛନ୍ତି।”

ଜାନୁୟାରୀ ୨୨ରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏକ ଘରୋଇ ଚ୍ୟାନେଲରେ କହିଥିଲେ, “ରାମଚରିତମାନସରେ ସମାଜର କିଛି ବର୍ଗର ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି ଅଂଶ ରହିଛି । ସରକାର ଏଭଳି ଆପତ୍ତିଜନକ ଅଂଶକୁ ବାଦ୍ ଦେବା ଉଚିତ ନହେଲେ ଏହି ଗ୍ରନ୍ଥକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ଆବଶ୍ୟକ ।”

ଏହାପୂର୍ବରୁ ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ମଧ୍ୟ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ଜାନୁୟାରୀ ୧୨ରେ କହିଥିଲେ, “ମନୁସ୍ମୃତି ସମାଜରେ ଘୃଣାର ବୀଜ ବୁଣିଥିଲା । ତା’ପରେ ରାମଚରିତମାନସ ସମାଜରେ ଘୃଣା ସୃଷ୍ଟି କରିଥିଲା । 

Share

Leave a Reply

Your email address will not be published. Required fields are marked *

1 × five =