ବ୍ରାହ୍ମଣୀ ନଦୀ ପଠାରେ ବିଜେ ଶ୍ରୀବିଷ୍ଣୁଙ୍କ ସୁଦୀର୍ଘ ଐତିହାସିକ ଅନନ୍ତଶୟନ ମୂର୍ତ୍ତି

ଚରମ ଉତ୍କର୍ଷର ରାଜ୍ୟ ଉତ୍କଳ। ଏହାର ପ୍ରତ୍ୟେକଟି ପାଣି ପବନରେ ଭରି ରହିଛି ପ୍ରକୃତିର ଅନୁପମ ଅବଦାନ। ସମଗ୍ର ପୃଥିବୀରେ ଯେପରି ଦେବଭୂମି ହେଉଛି ଭାରତ। ଠିକ ସେହିପରି ପ୍ରଦେଶ ଭିତରେ ସ୍ବର୍ଗୀୟ ଭୂମି ହେଉଛି ଉତ୍କଳ ବା ଆଧୁନିକ ଓଡ଼ିଶା। ପ୍ରକୃତିର ଗନ୍ତାଘର ଏ ଓଡ଼ିଶାର ପ୍ରତ୍ୟେକଟି ପୁରପଲ୍ଲୀରେ ଦେଖିବାକୁ ମିଳେ କିଛି ସ୍ୱତନ୍ତ୍ରତା, କିଛି କଳା ନୈପୁଣ୍ୟତାର ଝଲକ। କେବଳ ଯେ କୋଣାର୍କ ସୂର୍ଯ୍ୟମନ୍ଦିର ହେଉ ଅବା ମନ୍ଦିର ମାଳିନୀ ଭୁବନେଶ୍ୱର ଅବା ଅନ୍ୟ କେତେକ ପ୍ରସିଦ୍ଧସ୍ଥଳ ବ୍ୟତୀତ ଆହୁରି ଏପରି କିଛିସ୍ଥାନ ରହିଛି ଯାହା ନିଶ୍ଚିତ ଦର୍ଶନୀୟ ଏବଂ ଆଶ୍ଚର୍ଯ୍ୟନ୍ବିତ ମଧ୍ୟ। ଏହିପରି ଏକ ସ୍ଥାନ ହେଉଛି ସରାଙ୍ଗ ଗ୍ରାମ ।

ତାଳଚେର ସହରଠାରୁ ମାତ୍ର ୯କି.ମି. ଦୂରରେ ରହିଛି ସରାଙ୍ଗ ଗ୍ରାମ । ଗ୍ରାମରେ ଥିବା ସୁଦୀର୍ଘ ଐତିହାସିକ ଅନନ୍ତଶାୟୀ ବିଷ୍ଣୁଙ୍କ ମୂର୍ତ୍ତି ପାଇଁ ଏହି ଗ୍ରାମଟି ପ୍ରସିଦ୍ଧ। ତାଳଚେର ବ୍ଳକ ସରାଙ୍ଗ ଗ୍ରାମର ଏକ ପାର୍ଶ୍ୱଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ ପଠାର ମୁଗୁନି ପଥର ଚଟାଣରେ ଶାୟିତ ହୋଇ ରହିଛନ୍ତି ଏହି ସୁଦୀର୍ଘ ଅନନ୍ତଶୟନ ମୂର୍ତ୍ତି। ନଦୀ ପଠାର ମୁଗୁନି ପଥର ଚଟାଣ ପଥରକୁ କଟାଯାଇ ନିର୍ମିତ ହୋଇଛି ଭଗବାନଙ୍କ ବିଷ୍ଣୁଙ୍କ ଅନନ୍ତଶୟନ ମୂର୍ତ୍ତି। ।

ବ୍ରାହ୍ମଣୀ ନଦୀଗର୍ଭର ଜଳସ୍ରୋତ ମଧ୍ୟରେ ବୁଡ଼ି ରହିଥିବା ଏହି ଅନନ୍ତ ଶୟନ ମୂର୍ତ୍ତି କାଳକ୍ରମେ ବ୍ରାହ୍ମଣୀ ନଦୀର ଜଳପତ୍ତନ କମିବା ପରେ ଲୋକଲୋଚନକୁ ଆସିଥିଲା । ଐତିହାସିକ ତଥ୍ୟ ଅନୁସାରେ ନବମ ଶତାବ୍ଦୀରେ ଭୌମକର ବଂଶର ରାଜତ୍ୱ ସମୟରେ ଏହି ପ୍ରତିକୃତି ଖୋଦେଇ କରାଯାଇଥିବା ମନେ କରାଯାଏ ।

ବିଷ୍ଣୁଙ୍କ ଏହି ଅନନ୍ୟ ପ୍ରତିକୃତିର ଲମ୍ବ ୫୧ଫୁଟ ଥିବାବେଳେ ଚଉଡା ହେଉଛି ୨୩ଫୁଟ। ଏହାର ମୋଟେଇ ପ୍ରାୟ ୨ଫୁଟ ୪ଇଞ୍ଚ ହେବ। ଅନନ୍ତଶାୟୀ ବିଷ୍ଣୁଙ୍କ ଚାରିହାତରେ ଧାରଣ କରିଛନ୍ତି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ଅନନ୍ତ ନାଗ ଉପରେ ଶୟନ ମୁଦ୍ରାରେ ଏହି ବିଷ୍ଣୁ ରହିଥିବା ବେଳେ ତାଙ୍କ ମସ୍ତକ ଉପରେ ଶୋଭା ପାଉଛି ସପ୍ତଫେଣି ନାଗର ମସ୍ତକ।

ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ “ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ” ଉପରେ ନ୍ୟସ୍ତ କରାଯାଇଛି। ଏତେ ସୁନ୍ଦର ଐତିହ୍ୟର ବ୍ୟାପକ ପ୍ରଚାର ପ୍ରସାର ହୋଇ ପାରିଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ଏହା ନିଶ୍ଚିତ ସହାୟ ହୋଇ ପାରନ୍ତା।

Share

Leave a Reply

Your email address will not be published. Required fields are marked *

1 × one =