ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘ଏକ ସବୁଜ ଗ୍ରହ ପାଇଁ ଦୌଡ’ ବିଷୟବସ୍ତୁକୁ ନେଇ ରନ୍‌-ଏ-ଥନ୍‌ର ତୃତୀୟ ସଂସ୍କରଣ ଘୋଷଣା

ଭୁବନେଶ୍ୱର: ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗର୍ବର ସହ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ର ତୃତୀୟ ସଂସ୍କରଣ ବିଷୟରେ ଘୋଷଣା କରାଯାଇଛି ଯାହାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ୨୦୨୩ ଫେବ୍ରୁଆରି ୫ ତାରିଖରେ ଆୟୋଜନ କରାଯିବ । ‘ଏକ ସବୁଜ ଗ୍ରହ ପାଇଁ ଦୌଡ଼’ ବିଷୟବସ୍ତୁକୁ ନେଇ ଏହି ରନ୍‌-ଏ-ଥନ୍ ଆୟୋଜନ କରାଯିବ । ଦୌଡାଳିଙ୍କ ତରଫରୁ ପ୍ରତି ପଞ୍ଜୀକରଣ ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗୋଟିଏ ଚାରା ରୋପଣ କରାଯିବ ।
ଢେଙ୍କାନାଳରେ ଆୟୋଜିତ ଶୁଭାରମ୍ଭ ସମାରୋହ ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୨୦୨୩ ରନ୍‌-ଏ-ଥନ୍‌ର ବିବରଣୀ ଘୋଷଣା କରାଯାଇଥିଲା । ୨୦୧୯ ଓ ୨୦୨୦ର ପ୍ରଥମ ଦୁଇଟି ସଂସ୍କରଣର ସଫଳତା ପରେ କୋଭିଡ୍‌-୧୯ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।
ଆଜି ଢେଙ୍କାନାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦ୍ୱାରା ରନ୍‌-ଏ-ଥନ୍ ୨୦୨୩ର ଅଫିସିଆଲ ଟି-ସାର୍ଟକୁ ଉନ୍ମୋଚନ କରାଯାଇଥିଲା ଓ ଏହି ଅବସରରେ ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ପୋରେଟ୍ ସେବା ମୁଖ୍ୟ ମୋହିତ ଦାସ, ଏମ୍‌ଜିଏମ୍ ମିନେରାଲ୍‌ସ ଲିମିଟେଡ୍‌ର ଭିପି, କର୍ପୋରେଟ୍ ବ୍ୟାପାର ଓ ପ୍ରଶାସନ ଜିଭି ଧନଞ୍ଜୟ କୁମାର ଏବଂ ବିଆର୍‌ଜି ଆଇରନ୍ ଆଣ୍ଡ୍ ଷ୍ଟିଲ୍‌ର ପ୍ରଶାସନ ଓ ଏଚଆର୍ ମୁଖ୍ୟ ଏମ୍ ପି ସିଂହ ଉପସ୍ଥିତ ଥିଲେ ।
ଋନ୍‌-ଏ-ଥନ୍ ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ପ୍ରଶଂସା କରି ସରୋଜ ସେଠୀ କହିଛନ୍ତି ଯେ, ‘ଏକ ସବୁଜ ଗ୍ରହ ପାଇଁ ଦୌଡ’଼ ଭଳି ଏକ ସୁନ୍ଦର ବିଷୟବସ୍ତୁକୁ ନେଇ ଆୟୋଜନ କରାଯାଉଥିବା ଏହି ଦୌଡ଼ କେବଳ ଫିଟନେସ୍ ଓ କ୍ରୀଡ଼ା ପ୍ରତି ଭଲ ପାଇବା ବୃଦ୍ଧି କରିବ ନାହିଁ ବରଂ ପରିବେଶ ପାଇଁ ସଚେତନତା ସୃଷ୍ଟି କରିବ । ମୁଁ ରନ୍‌-ଏ-ଥନ୍‌ର ସଫଳତା କାମନା କରୁଛି ।
ଏହି ଅବସରରେ ମୋହିତ ଦାସ କହିଛନ୍ତି ଯେ, “ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଢେଙ୍କାନାଳ-ଅନୁଗୁଳ-ତାଳଚେର ଅଂଚଳର ଲୋକମାନଙ୍କୁ ଏକ ବିଶ୍ୱ ସ୍ତରୀୟ କ୍ରୀଡ଼ା ଅନୁଭୂତି ପ୍ରଦାନ କରିବା । ଏହା କ୍ରୀଡ଼ାର ପ୍ରସାର କରିବା, ଫିଟନେସ୍‌, ଉତମ ସ୍ୱାସ୍ଥ୍ୟ ଏବଂ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଭାବନାକୁ ନେଇ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ।’’
ଏହି ଦୌଡ଼ କାରଖାନାର ହାଉସିଂ କଲୋନିରେ ଥିବା ପଡ଼ିଆରେ ଆରମ୍ଭ ହୋଇ ଶେଷ ହେବ ଏବଂ ତାହା ଏନ୍‌ଏଚ୍‌-୫୫ର ସର୍ଭିସ୍ ରୋଡ୍‌ରୁ ନିକଟସ୍ଥ ଶିବପୁର ଗ୍ରାମ ସଡ଼କ ଦେଇ ଗତି କରିବ । ଏହି କାର୍ଯ୍ୟକ୍ରମରେ ଦୁଇଟି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଦୌଡ଼ ହେବ: ଗୋଟିଏ ୧୯ ବର୍ଷରୁ ଅଧିକ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଦୌଡ଼ ଏବଂ ୧୪ରୁ ୧୯ ବର୍ଷ ବୟସର ବାଳକ ଓ ବାଳିକାମାନଙ୍କ ପାଇଁ ୫ କିମିର ଦୌଡ଼ ।
ଆଜିଠାରୁ ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି ଓ ତାହା ୨୦୨୩ ଜାନୁଆରି ୩୦ରେ ଶେଷ ହେବ । ଉଭୟ ୧୦ କିମି ଏବଂ ୫ କିମି ଦୌଡ଼ ପାଇଁ ସର୍ବାଧିକ ୩୫୦୦ ପଞ୍ଜୀକରଣ ହୋଇପାରିବ ଏବଂ ଫାଷ୍ଟ୍ କମ୍‌, ଫାଷ୍ଟ୍ ସର୍ଭ ଭିତିରେ ନାମ ପଞ୍ଜୀକରଣ ହେବ । ୧୦ କିମି ଦୌଡ଼ ପାଇଁ ପଞ୍ଜୀକରଣ ଫି’ ହେଉଛି ୨୦୦ ଟଙ୍କା ଏବଂ ୫ କିମି ଦୌଡ଼ ପାଇଁ ପଞ୍ଜୀକରଣ ଫି’ ହେଉଛି ୧୫୦ ଟଙ୍କା । ସମସ୍ତ ପ୍ରତିଯୋଗୀ ଏକ ଟି-ସାର୍ଟ, ବିଆଇବି ଚିପ୍ ଏବଂ ନମ୍ବର ଥିବା ଏକ ଗୁଡି ବ୍ୟାଗ୍ ପାଇବେ । ଫିନିସର୍‌ଙ୍କୁ ମେଡାଲ୍ ମିଳିବ ଏବଂ ୧୦ କିମି ଦୌଡ଼ରେ ପରୁଷ ଓ ମହିଳା ବର୍ଗରେ ସର୍ବାଧିକ ପୁରସ୍କାର ରାଶି ଭାବେ ୫୧ ହଜାର ଟଙ୍କା ପ୍ରଦାନ କରାଯିବ । ବିଜେତାମାନଙ୍କୁ ମୋଟ ୪.୨ ଲକ୍ଷ ଟଙ୍କାର ମୋଟ ୨୦ ପୁରସ୍କାର ପ୍ରଦାନ କରାଯିବ ।
ଏହି କାର୍ଯ୍ୟକ୍ରମର ଆନ୍ତର୍ଜାତିକ ମାନକୁ ନିଶ୍ଚିତ କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି, ଟାଇମିଂ ମ୍ୟାଟ୍‌, ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଟିଂଫିକେସନ୍ (ଆର୍‌ଏଫ୍‌ଆଇଡି) ଚିପ୍‌, ରୁଟ୍‌ରେ ସ୍ପ୍ଲିଟ୍ ଟାଇମିଂ ମ୍ୟାଟ୍‌, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟ୍‌ୱର୍କ ବ୍ୟବହାର କରାଯିବ । ସୁବିଧା ସୁଯୋଗ ପ୍ରଦାନ କରିବା ଲାଗି ସାରା ଦେଶରେ ଏଭଳି ଧରଣର ଦୌଡ଼ ଆୟୋଜନ କରିବାର ଅଭିଜ୍ଞତା ଥିବା ମୁମ୍ବାଇର ଏକ ଏଜେନ୍ସି ସହିତ ଟାଟା ଷ୍ଟିଲ୍ ସହଯୋଗିତା ସ୍ଥାପନ କରିଛି ।
ଦୌଡ଼କୁ ଅଧିକ ଅନ୍ତର୍ଭୁକ୍ତୀକରଣ ଓ ବ୍ୟାପକ କରିବା ଲାଗି ସହଯୋଗୀ ହେବା ଲାଗି ଟିଏସ୍‌ଏମ୍ ସ୍ଥାନୀୟ ଶିଳ୍ପ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରିଥିଲା । ଏମ୍‌ଜିଏମ୍ ମିନେରାଲ୍‌ସ ଲିମିଟେଡ୍‌, ବିଆର୍‌ଜି ଆଇରନ୍ ଆଣ୍ଡ୍ ଷ୍ଟିଲ୍‌, ଟାଟା ଷ୍ଟିଲ୍‌ର ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ଏବଂ ଟାଟା ଷ୍ଟିଲ ୟୁଟିଲିଟିଜ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକଚର ସର୍ଭିସେସ୍ ଲିମିଟେଡ୍ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଗେଇ ଆସିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − eight =