ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବରେ ଓଡ଼ିଆ ସାହିତ୍ୟର ସମୃଦ୍ଧ ପରମ୍ପରା ପ୍ରତିଫଳିତ ହୋଇଛି

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବର ସପ୍ତମ ସଂସ୍କରଣର ଦ୍ୱିତୀୟ ଦିନରେ ସାହିତ୍ୟ ଓ କଳା ଜଗତର ବିଭିନ୍ନ କ୍ଷେତ୍ରର ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କ ଗୋଟିଏ ମଂଚ ତଳେ ସମାଗମ ହୋଇଥିଲା । ଏଥିରେ ଓଡ଼ିଆ ଉପାନ୍ୟାସରେ ନୂତନ ଧାରା ସୃଷ୍ଟି କରିବା ଲାଗି ପରିଚିତ ବିଶିଷ୍ଟ ଓଡ଼ିଆ ଲେଖକ ଜଗଦ୍ଦୀଶ ମହାନ୍ତିଙ୍କ ସାହିତ୍ୟ କୃତି ବିଷୟରେ ଏକ ଆଲୋଚନାରେ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଜଗଦ୍ଦୀଶ ମହାନ୍ତିଙ୍କ ପରମ୍ପରା ସମ୍ପର୍କରେ ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ସରୋଜିନୀ ସାହୁ ଓ ଓଡ଼ିଆ ଔପନ୍ୟାସିକ ତଥା ଉପନ୍ୟାସ ଲେଖକ ପରେଶ ପଟ୍ଟନାୟକଙ୍କ ସହ ଡକ୍ଟର ହିମାଂଶୁ ମହାପାତ୍ର ଆଲୋଚନା କରିଥିଲେ ଏବଂ ତାଙ୍କ ପୁସ୍ତକ “ନିଜ ନିଜ ପାଣିପଥ‘ର ଇଂରାଜି ଅନୁବାଦକୁ ଉନ୍ମୋଚନ କରିଥିଲେ ।
ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସେବା ବିଭାଗ ଉପସଭାପତି ଚାଣକ୍ୟ ଚୌଧୁରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବର ସପ୍ତମ ସଂସ୍କରଣକୁ ଫେବ୍ରୁଆରି ୩ ତାରିଖରେ ଜ୍ଞାନପୀଠ ପୁରସ୍କାର ବିଜେତା ଅମିତାଭ ଘୋଷ ଉଦ୍‌ଘାଟନ କରିଥିଲେ ।
କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ଜୀବନୀ “ଦି ମ୍ୟାଜିକ୍ ଅଫ୍ କିଶୋର କୁମାର’ ରଚନା କରିଥିବା ଅନିରୁଦ୍ଧ ଭଟ୍ଟାଚାର୍ଜୀ ଓ ପାର୍ଥିଭ ଧରଙ୍କ ଦ୍ୱାରା ଏହି ମହାନ ଗାୟକଙ୍କ ସମ୍ପର୍କରେ ବହୁ ଅଜଣା କାହାଣୀ ଆଲୋଚନା କରିବା ସହ ସାହିତ୍ୟ ଉତ୍ସବର ଦ୍ୱିତୀୟ ଦିନର ଶୁଭାରମ୍ଭ ହୋଇଥିଲା । ଜୀବନୀ ଲେଖିବା ବେଳେ କେଉଁ ବିଷୟରୁ ପ୍ରେରଣା ମିଳେ ସେ ସମ୍ପର୍କରେ ଚମତ୍କାର ଜୀବନୀ ରଚନା କରିବା ଲାଗି ପରିଚିତ ବିଶିଷ୍ଟ ଲେଖକ ଖୁସ୍‌ୱନ୍ତ ସିଂହ ଦର୍ଶକଙ୍କ ସହ ଅନୁଭୂତି ବାଂଟିଥିଲେ । ଉଦୀୟମାନ ଯୁବ ଓଡ଼ିଆ କବି-ସୁଜିତ କୁମାର ଶତପଥୀ, ଶ୍ରୀମା ଶତପଥୀ, ନିଖିଳେଶ ମିଶ୍ର ଏବଂ ସ୍ୱାଗତିକା ମିଶ୍ର ସାହିତ୍ୟ ପ୍ରତି ରହିଥିବା ସେମାନଙ୍କ ଅଭିଳାଷ ବିଷୟରେ କହିଥିଲେ ଏବଂ ନିଜ ନିଜ କବିତା ପାଠ କରିଥିଲେ ।
ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ଗୌରହରି ଦାସ, ଚଳଚ୍ଚିତ୍ର ନିର୍ମାତା ଅନୁପମ ପଟ୍ଟନାୟକ ଓ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ତଥା ସଙ୍ଗୀତକାର ରତିକାନ୍ତ ଶତପଥୀ, ଗୌରହରୀ ଦାସଙ୍କ ଦ୍ୱାରା ରଚିତ ପୁସ୍ତକ “ବାପା’ ଉପରେ ପର୍ଯ୍ୟବେସିତ ସିନେମା ପ୍ରତୀକ୍ଷା ଉପରେ ଗୁରୁତ୍ୱାରୋପ କରି ଓଡ଼ିଆ ସିନେମାର ପୁନଃ ଅଭ୍ୟୁଦୟ ବିଷୟରେ ଆଲୋଚନା କରିଥିଲେ ।
ସିନେମାରେ ସାହିତ୍ୟ ଚରିତ୍ରଗୁଡ଼ିକରେ ଅଭିନୟ କରିବାର ଅନୁଭୂତିକୁ ବିଶିଷ୍ଟ ଚଳଚ୍ଚିତ୍ର କଳାକାର ପଙ୍କଜ କପୁର ଓ ସୁପ୍ରିୟା ପାଠକ କପୁର ଦର୍ଶକଙ୍କ ସହ ବାଂଟିଥିଲେ । ଦିବସ ଶେଷରେ ଉସ୍ତାଦ ସୁଜାତ ଖାନଙ୍କ ଶାସ୍ତ୍ରୀୟ ଶିତାର ବାଦନ ଭୁବନେଶ୍ୱର କ୍ଲବ୍‌ର ଦର୍ଶକଙ୍କୁ ରୋମାଂଚିତ କରିଥିଲା ।
ସାହିତ୍ୟ ଉତ୍ସବର ଶେଷ ଦିବସରେ ଅନ୍ୟତମ ବିଶିଷ୍ଟ ଓଡ଼ିଆ ଲେଖକ ଗୋପୀନାଥ ମହାନ୍ତିଙ୍କ ସାହିତ୍ୟ କୃତି ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଙ୍ଗଲୋ-ଇଣ୍ଡିଆନଙ୍କ ଇତିହାସ ଉପରେ ବେରି ଓ’ବ୍ରାଏନ୍ କହିବେ । ଓଡ଼ିଆ ସାହିତ୍ୟର ଯାତ୍ରା ବିଷୟରେ ପାରମିତା ଶତପଥୀ, ଗାୟତ୍ରୀବାଳା ପଣ୍ଡା ଓ ଶକ୍ତି ମହାନ୍ତିଙ୍କ ସହିତ ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ମୋନା ଲିସା ଜେନା ଆଲୋଚନା କରିବେ । ଜୀବନୀ ରଚନାର ପ୍ରଭାବ ସମ୍ପର୍କରେ ବିଶିଷ୍ଟ ସ୍ତମ୍ଭକାର ବଚି କରକାରିଆ ଓ ଜତିନ୍ଦ୍ର କୁମାର ନାୟକ ଆଲୋଚନା କରିବେ । ରେଳ ଅଡିଟୋରିୟମ୍‌ରେ ‘ଦୋପେହରି’ଶୀର୍ଷକ ଉପରେ ଆଧାରିତ ପଙ୍କଜ କପୁରଙ୍କ ଏକକ ଅଭିନୟ ସହ ଉତ୍ସବର ସମାପନ ହେବ ଯାହାକୁ ସେ ନିଜେ ରଚନା କରିଛନ୍ତି ଓ ତାହାର ପ୍ରାୟୋଜକ ହେଉଛନ୍ତି ସୁପ୍ରିୟା ପାଠକ କପୁର ।

Share

Leave a Reply

Your email address will not be published. Required fields are marked *

2 × 4 =