ଦେଖନ୍ତୁ ଐତିହ୍ୟ ନଗରୀର ପରିକଳ୍ପନା

ଐତିହ୍ୟ ଜୋନ, ରଘୁନନ୍ଦନ ପାଠାଗାର ଓ ବାସଗୃହ ଯୋଜନାକୁ ମଂଜୁରୀ

ଭୁବନେଶ୍ବର () ପୁରୀର ରୂପାନ୍ତରଣକୁ ନେଇ ବିଭିନ୍ନ ବର୍ଗର ଲୋକ, ନେତା, ପ୍ରଶାସକ ଏପରିକି ସାଧୁ ସନ୍ଥଙ୍କ ମନରେ ବି ନାନା ପ୍ରଶ୍ନ ରହିଛି । କି ପ୍ରକାର ଐତିହ୍ୟ ସହରର ପରିକଳ୍ପନା କରାଯାଇଛି । କିଭଳି ଭାବେ ଶ୍ରୀମନ୍ଦିରକୁ ସୁରକ୍ଷିତ ରଖାଯିବ । କିଭଳି ଭକ୍ତଙ୍କ ଯାତ୍ରାକୁ ସୁଗମ କରାଯିବ । ସର୍ବୋପରି ଉଚ୍ଛେଦ ହୋଇଥିବା ରଘୁନନ୍ଦନ ପାଠାଗାର, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଭକ୍ତ କେନ୍ଦ୍ର ଓ ପୁନର୍ବାସ କଲୋନୀକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ପୁରୀ ବିଶ୍ବ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ 3ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ତିନୋଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ପ୍ରକଳ୍ପଟି ଐତିହ୍ୟ ଅଂଚଳର ସୁରକ୍ଷା ଅଞ୍ଚଳ । ଶ୍ରୀମନ୍ଦିରର 75 ମିଟର ଅଂଚଳ ମଧ୍ୟରେ ଏହାର ପବିତ୍ର ଭୌଗଳିକ ଅପସ୍ଥିତି, ବିଭିନ୍ନ ପ୍ରାଚୀନ ଦେବାଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଲିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଂଚଳର ପୁନର୍ବିନ୍ୟାସ କରାଯିବ ।

ଜଗନ୍ନାଥ ସଂସ୍କୃତି, ମନ୍ଦିରର କଳା, ଭାସ୍କର୍ଯ୍ୟ, ଐତିହ୍ୟ, କଳା ଇତିହାସ ତଥା ଜଗନ୍ନାଥ ସଂସ୍କୃତି ସହିତ ସଂଶ୍ଲିଷ୍ଟ ବୃକ୍ଷଲତାକୁ ଭିତ୍ତିକରି ଯେଉଁ ପୁନର୍ବିନ୍ୟାସ କାର୍ଯ୍ୟକ୍ରମ କରାଯିବା ତାହର ତଦାରଖ ପାଇଁ ଏକ ବିଶେଷଜ୍ଞ ପ୍ୟାନେକ ଗଠନ କରାଯିବ । ମେଘନାଦ ପାଚେରୀ ଠାରୁ 75 ମିଟର ଅଂଚଳ ମଧ୍ୟରେ ଚଳାଚଳ ପାଇଁ 15 ମିଟର ଅଂଚଳରେ ରାସ୍ତା କରାଯିବ । ଏବଂ ବାକି 60 ମିଟର ଅଂଚଳର ପୁନର୍ବିନ୍ୟାସ କରାଯିବ ।

ସେହିପରି ଏମଆର ମଠ ଜମିର କିଛି ଅଂଶରେ ରଘୁନନ୍ଦନ ପାଠାଗାର ପୁନର୍ନିମାଣ କରାଯିବ । ଏହି ପାଠାଗାରକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ର ଭାବେ ବିକଶିତ କରାଯିବ । ଏଥିପାଇଁ 25 କୋଟି ଟଙ୍କା ବିନୋଯୋଗ କରାଯିବ । ସେହିପରି ବିସ୍ଥାପିତ ପରିବାର ପାଇଁ ମନ୍ଦିର ଠାରୁ ଦେଢ କିଲୋମିଟର ମଧ୍ୟରେ ବିଭିନ୍ନ ସ୍ଥାନରେ 600ଟି ଗୃହ ନିର୍ମାଣ କରାଯିବ । ପ୍ରତ୍ୟେକ ଘରର ବିଲ୍ଟଅପ ଅଂଚଳ 520 ବର୍ଗଫୁଟ ହେବ । ଏଥିପାଇଁ 95 କୋଟି ଟଙ୍କା ବିନିଯୋଗ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଅବଢା ଯୋଜନାରେ 265 କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ 595 କୋଟି ଟଙ୍କା ବନିଯୋଗରେ ଶ୍ରୀସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀର ପୁନରୁଦ୍ଧାର, ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ, ଅଠରନଳାର ବିକାଶ ଓ ମଠ ବିକାଶ କାର୍ଯ୍ୟକ୍ରମ ପାିଁ ନିଷ୍ପତ୍ତି କରାଯାଇଥିଲା । ଦ୍ବିତୀୟ ର୍ଯ୍ୟାୟରେ ଏହିସବୁ ପ୍ରକଳ୍ପ ପାଇଁ ଡିଜାଇନ ପ୍ରସ୍ତୁତ ହୋଇସାରିଛି । ଖୁବଶୀଘ୍ର ଟେଣ୍ଡର କରାଯାଇ ଏସବୁ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

seven − 6 =