ଓଡ଼ିଶାର ବିକାଶ ଯାତ୍ରାରେ ନୂଆପଡ଼ା: ମୁଖ୍ୟମନ୍ତ୍ରୀ

ନୂଆପଡ଼ା: କଳାହାଣ୍ଡି ସୁନ୍ଦରଗଡ଼ ପରେ ବିକାଶର ଧାରାରେ ଆଗକୁ ବଢିବ ନୂଆପଡ଼ା | ନୂଆପଡ଼ା ପହଞ୍ଚିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରୁ ନୂଆପଡ଼ା ତିଖାଲିରେ ପହଞ୍ଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତିଖାଲି ଡ୍ୟାମ ସାଇଡ଼ରେ ପହଞ୍ଚି ଡ୍ୟାକମୁ ଲୋକାର୍ପଣ କରିଛନ୍ତି। ଡ୍ୟାମ ସୁଇଚ ଦବାଇ ମୁଖ୍ୟମନ୍ତ୍ରୀ ତିଖାଲି ଡ୍ୟାମ୍‌ ଲୋକାର୍ପଣ କରିଥିଲେ। ତିଖାଲିଠାରେ ୨୦୨୦ ମେ ୭ ତାରିଖରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା।

ତେବେ ନୂଆପଡାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି | ନୂଆପଡା ଆସି ମୁଁ ବହୁତ ଖୁସି। ଏହି ଅବସରରେ ଆପଣମାନଙ୍କୁ ମୋର ଜୁହାର । ସ୍ଵାଧୀନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା । ବିଶେଷ କରି ଆମର ମା ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ।ନୂଆପଡା ଭେଲା ଗାଁ ର ମା ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି । ଏହି ଅବସରରେ ସେହି ସଂଗ୍ରାମୀ ମା ମାନଙ୍କୁ ମୋର ପ୍ରଣାମ ଜଣାଉଛି । ଆପଣ ଜାଣନ୍ତି ୨୦୨୨ ରେ ଆମେ ସ୍ଵାଧୀନତାର ୭୫ ବର୍ଷ ପାଳନ କରୁଛୁ । ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ୍ କରାଯିବ। ୧୯୯୩ ରେ ବିଜୁବାବୁ ନୁଆପଡାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି” ।

ଆଜି ନୂଆପଡାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି । ନୂଆପଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ । ସେହିପରି ଗତ ଦଶ ବର୍ଷ ଭିତରେ ଆମେ ହଜାର ହଜାର ଶିଶୁଙ୍କ ଜୀବନ ବଞ୍ଚାଇ ପାରିଛୁ । ନୂଆପଡା ରେ ଶିଶୁ ମୃତ୍ୟୁ ହାର ବହୁତ କମିଛି । ମା ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି । ନୂଆପଡାର ପାଣିରେ ରହିଛି ଫ୍ଲୋରିଡ଼ ସମସ୍ୟା । ଏହା ହେଉଛି ଜିଲ୍ଲା ବାସୀଙ୍କ ବଡ ସମସ୍ଯା ।ଫ୍ଲୋରିଡ଼ ପାଣି ଦ୍ଵାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଭଲ ପିଇବା ପାଣି ପାଇଁ ମା ମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା । ଏଥିପାଇଁ ମୋତେ ବହୁତ ଦୁଃଖ ଲାଗୁଥିଲା । ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ ।୧୦୦୦ରୁ ଅଧିକ ଫ୍ଲୋରାଇଡ୍ ଅପସାରଣ କାରଖାନା ସଂସ୍ଥାପନ କରାଯାଇଛି । ୯୦୦ ରୁ ଅଧିକ ଗାଁ କୁ ଫ୍ଲୋରିଡ଼ ସମସ୍ୟା ରୁ ୧୦୦ ପ୍ରତିଶତ ମୁକ୍ତ କରାଯାଇ ପାରିଛି ।

କେବଳ ସେତିକି ନୁହେଁ ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣି ର ସୁବିଧା ମଧ୍ୟ ଦିଆ ଯାଇଛି । ୨୦୨୨ ସୁଧା ନୂଆପଡା ର ସବୁ ପରିବାରକୁ ୧୦୦ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି । ଏବେ ମୁଁ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପକୁ ଆସିବି । ଏ ପ୍ରକଳ୍ପ ସାରା ରାଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କ ତ୍ୟାଗ ପାଇଁ ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗିର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ । ଆପଣ ଜାଣନ୍ତି ନୂଆପଡାରେ ୨୨୦ କୋଟି ଟଙ୍କାର ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ବାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମିକୁ ପାଣି ମିଳିପାରିବ ।

ଲୋୟର ଇନ୍ଦ୍ର ପ୍ରକଳ୍ପ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ ଟେକ୍ନୋଲୋଜିରେ ହୋଇଛି । ତେଣୁ ଏହି ପ୍ରକଳ୍ପ ରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଁ ଘୋଷଣା କରୁଛି । ନୂଆପଡା ଥିଲା ଚିର ମରୁଡି ଅଞ୍ଚଳ । ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି । । ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି । ବିକାଶର ଏ ଯାତ୍ରାରେ ଆପଣମାନଙ୍କ ଅବଦାନ ରହିଛି ।ନୂଆପଡାରେ ଜଳସେଚନ ସୁବିଧା ବଢିଛି । ନୂଆପଡାରେ ଜଳସେଚନ ସୁବିଧା ୫୪ ପ୍ରତିଶତ ବଢିଛି ଜିଲ୍ଲା ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି । ଧାନ ଉତ୍ପାଦନ ବଢିଛି । କପା ଚାଷ , ମକା ଚାଷ ମଧ୍ୟ ବଢିଛି । ଲୋୟର ଇନ୍ଦ୍ର ଡ୍ୟାମ୍ ସାଇଟ୍ ରେ ଏକ ସାଇନ୍ସ ପାର୍କ ଓ ସଂଗ୍ରହାଳୟ କରାଯିବ ବୋଲି ମୁଁ ଘୋଷଣା କରୁଛି । ଏଥିରେ ୩ କୋଟି ଟଙ୍କା ଖର୍ଚ୍ଚ ହେବ । ପିଲାମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ବଢିବ । ଜଳ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି ହେବ । ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି । ରାଜ୍ୟରେ କ୍ରୀଡା କାର୍ଯ୍ୟକଳାପ ସହିତ ନୂଆପଡା ଯୋଡି ହେବ ।

ସେହିପରି ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି ଇନଡୋର ଷ୍ଟାଡିୟମ୍ କରାଯିବ । ଖଡିଆଳ ସ୍ୱୟଂଶାସିତ କଲେଜ ରେ କ୍ରୀଡା ସୁବିଧାର ବିକାଶ କରାଯିବ । ଏହା ଜିଲ୍ଲାର ଖେଳ ଭିତ୍ତିଭୂମିକୁ ମଜଭୁତ କରିବ ଓ ଯୁବକ ଯୁବତୀ ମାନଙ୍କ ପ୍ରତିଭାର ବିକାଶରେ ସହାୟକ ହେବ। ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ।

 

Share

Leave a Reply

Your email address will not be published. Required fields are marked *

two + seven =