କ୍ଷେତ୍ରୀୟ ଦଳ ୪୫୦ ଆସନରେ ମେଣ୍ଟ କରିବ କଂଗ୍ରେସ

ନୂଆଦିଲ୍ଲୀ () ୪ଟି ଲୋକସଭା ଆସନ ସମେତ ଦେଶର ବିଭିନ୍ନ ରାଜ୍ୟରେ ୧୦ ବିଧାନସଭାକୁ ନେଇ ହୋଇଥିବା ଉପନିର୍ବାଚନରେ ବିଜେପି ବିରୋଧୀ ମେଣ୍ଟକୁ ସଫଳତା ମିଳିଛି । ଏହି ସଫଳତା ଏବେ ବିରୋଧୀଙ୍କୁ ମହାମେଣ୍ଟ କରିବା ଦିଗରେ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇଛି । ଉତ୍ତର ପ୍ରଦେଶରେ ହୋଇଥିବା ମହାମେଣ୍ଟ ଓ ୨୦୧୫ରେ ବିହାରରେ ହୋଇଥିବା ମହାମେଣ୍ଟକୁ ଭଲ ସଫଳତା ଏବେ କଂଗ୍ରେସକୁ ମେଣ୍ଟ ରାଜନୀତି ପ୍ରତି ଆହୁରି ଗମ୍ଭୀର କରାଇଛି । ପାର୍ଟି ସୂତ୍ର ମୁତାବକ ଲୋକସଭା ନିର୍ବାଚନ ୨୦୧୯ରେ କଂଗ୍ରେସ ବିଭିନ୍ନ କ୍ଷେତ୍ରୀୟ ଦଳ ସହିତ ମିଶି ୪୦୦ ରୁ ୪୫୦ ଲୋକସଭା ସିଟ୍ ଉପରେ ମେଣ୍ଟ କରିପାରେ । କଂଗ୍ରେସର ଶୀର୍ଷ ନେତୃତ୍ବ ଏହି ବିଷୟରେ ଏବେ ଗମ୍ଭୀରତାର ସହ କାମ ଆରମ୍ଭ କରି ଦେଇଛନ୍ତି । ପାର୍ଟି ଚଳିତ ମାସରେ ଭିନ୍ନ ଭିନ୍ନ ଦଳ ସହିତ ଆଲୋଚନା ପାଇଁ ବରିଷ୍ଠ ନେତାଙ୍କ ନେତୃତ୍ବରେ କମିଟି ଗଠନ କରିବାକୁ ଯାଉଛି । ରାହୁଲ ଗାନ୍ଧୀ ବିଦେଶରୁ ଫେରିବା ପରେ ଏହି ଦିଗ  ପ୍ରତି କାମକୁ ଜୋରଦାର କରାଯିବ ।

ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପରିସ୍ଥିତି ସହିତ ରାହୁଲ ଗାନ୍ଧୀ ନିଜର ନୀତିରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ରାହୁଲ ଗାନ୍ଧୀ ଆଜିଠୁ ୫ ବର୍ଷ ପୂର୍ବେ ମେଣ୍ଟକୁ କଂଗ୍ରେସର ସବୁଠୁ ବଡ଼ ଭୁଲ ଦର୍ଶାଉଥିଲେ । ଏବେ ସେ  ହିଁ ଏହି ମହାମେଣ୍ଟର ସବୁଠୁ ବଡ଼ ସମର୍ଥକ ହୋଇ ଯାଇଛନ୍ତି । ପାର୍ଟିର ଉଦ୍ୟମ ଏହା ରହିବ ଯେ ଉତ୍ତର ପ୍ରଦେଶରେ ଯେମିତି ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ରାଷ୍ଟ୍ରୀୟ ଲୋକଦଳକୁ ନେଇ  କଂଗ୍ରେସ ନିର୍ବାଚନ ଲଢିଛି ସେମିତି ବିହାରରେ ଲାଲୁଙ୍କ ରାଷ୍ଟ୍ରୀୟ ଦଳ, ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନସିପି ସହିତ ୨୦୧୯ ନିର୍ବାଚନ ଲଢିବ ।

ପାର୍ଟି କର୍ଣ୍ଣାଟକରେ ଜେଡିଏସ ସହିତ ମିଶି ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ବେଳେ ୨୦୧୯ରେ ମଧ୍ୟ ଉଭୟ ଦଳ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିପରି ଆସାମ, ହରିୟାଣା, ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ ପରି ବଡ଼ ରାଜ୍ୟରେ ପାର୍ଟି ସ୍ଥାନୀୟ ଦଳ ସହିତ ତାଳମେଳ ରଖିବାକୁ ଚାହୁଁଛି । ଏହା ବ୍ୟତୀତ ରାଜସ୍ଥାନ, ଛତିଶଗଡ଼, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ପରି ରାଜ୍ୟରେ ପାର୍ଟି ବସପା ସହିତ ସର୍ତ୍ତ ଆଧାରରେ ମେଣ୍ଟ କରିବାକୁ ପ୍ରସ୍ତୁତ ରହିଛି ।

୪୫୦ ସିଟରେ କ୍ଷେତ୍ରୀୟ ଦଳକୁ ନେଇ ମେଣ୍ଟ କରିବା ପରେ କଣ କଂଗ୍ରେସ ୨୦୦ ରୁ ୨୫୦ ସିଟରେ ନିିର୍ବାଚନ ଲଢିବ? କାନକୁ ଏହା ଶୁଣିବାକୁ ଭଲ ଲାଗୁନଥିଲେ ମଧ୍ୟ ପରିସ୍ଥିତି ହିସାବରେ ଏହାକୁ ସ୍ବୀକାର କରିବାକୁ ପଡ଼ିବ ବୋଲି ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି । ମହତ୍ବ ଏହା ନୁହେଁ ଯେ ଆପଣ କେତୋଟି ସିଟରେ ନିର୍ବାଚନ ଲଢିବେ ପ୍ରଶ୍ନ ହେଉଛି ଆପଣ ଅଧିକରୁ ଅଧିକ କେତେ ସିଟ୍ ଜିତିବେ ।

ଏହି ବିଷୟରେ ପାର୍ଟିର ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଘଭି କହିଛନ୍ତି ଯେ ଏହା ସ୍ଥିର ହୋଇନାହିଁ ଯେ କେତୋଟି ସିଟରେ ମେଣ୍ଟ ହେବ । ମାତ୍ର ସୈଦ୍ଧାନ୍ତିକ ରୂପେ ପାର୍ଟି ଏହାକୁ ନେଇ ପ୍ରସ୍ତୁତ ଯେ ପୁରା ଦେଶର ରାଜ୍ୟରେ ଆବଶ୍ୟକ ଏବଂ ସ୍ଥାନୀୟ ସମୀକରଣକୁ ଦେଖି  କଂଗ୍ରେସ କ୍ଷେତ୍ରୀୟ ଦଳ ସହିତ ମେଣ୍ଟ କରିବ । ଯଦି କଂଗ୍ରେସ ସମସ୍ତ ରାଜ୍ୟର ସମସ୍ତ କ୍ଷେତ୍ରୀୟ ଦଳକୁ ନେଇ ମେଣ୍ଟ କରିବାରେ ସକ୍ଷମ ହୁଏ ତେବେ ବିଜେପି ପାଇଁ ୨୦୧୯ ଲୋକସଭା ନିର୍ବାଚନ କଷ୍ଟକର ହୋଇ ପଡିବ । ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ରାସ୍ତା କଠିନ ହୋଇଯିବ ।

Share

Leave a Reply

Your email address will not be published. Required fields are marked *

2 × two =