ମଦ ଦୋକାନ ହଟାଅ ଦାବିକୁ ଶୁଣୁନି ପ୍ରଶାସନ

ଆନନ୍ଦପୁର (ନିପ୍ର): ଆନନ୍ଦପୁର ପୌରପରିଷଦ ସୁଡୁସୁଡିଆ ବାଇପାସ୍ ଛକଠାରୁ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ସ୍ଥାନୀୟ ବାସିନ୍ଧା, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ବାରା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ପ୍ରତୀକ ଧାରଣା ୧୫ ଦିନରେ ପହଂଚିଲାଣି । ଅସହ୍ୟ ତାତି ସାଙ୍ଗକୁ କାଳବୈଶାଖିର ତାଣ୍ଡବ ସତ୍ତ୍ବେ ଧାରଣାକାରୀମାନେ ଦିନ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇଥିବା ଦୃଷ୍ଟିକୁ ଆସିନାହିଁ ।

ଏପରିକି ଧାରଣାରତ ଆନ୍ଦୋଳନକାରୀମାନେ ଅସହ୍ୟ ତାତିରେ ଅଂଶୁଘାତର ଶିକାର ହେବା ଭଳି ପରିସ୍ଥିତି ପ୍ରଶାସନକୁ ଅଡୁଆରେ ପକାଇପାରେ ବୋଲି ଆଲୋଚନା ହେଉଥିବାବେଳେ ପ୍ରଶାସନର ନୀଦ ଭାଙ୍ଗୁନାହିଁ । ପ୍ରଶାସନ ଜନସାଧାରଣଙ୍କ ସମୂହ ସ୍ବାର୍ଥକୁ ଜଳାଞ୍ଜଳୀ ଦେଇ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଦାବି ପୁରୁଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଜିଦ୍ ଧରିଥିବା ବେଳେ ୨୫ ତାରିଖ ଠାରୁ ଆମରଣ ଅନଶନ ନିଷ୍ପତି ନେଇଥିବା ଜଣାପଡିଛି । ଏନେଇ ଚଳିତ ମାସ ୨୦.୬.୧୮ ରେ ଆନନ୍ଦପୁର ଉପଜିଲାପାଳଙ୍କ ନିକଟରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସଂପୃକ୍ତ ମଦ ବ୍ୟବସାୟୀଙ୍କ ପ୍ରତି ପ୍ରଶାସନର କାର୍ଯ୍ୟାନୁଷ୍ଠାନ କଚ୍ଛପ ଗତିରେ ଚାଲୁଥିବାରୁ ଆଗକୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ ବୋଲି ଆଲୋଚନାର ମୁଖ୍ୟ ବିଷୟ ସାଜିଛି । ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ସଂପୃକ୍ତ ବିଦେଶୀ ମଦ ଦୋକାନକୁ ବନ୍ଦ କରାଯାଇଥିଲେ ସୁଦ୍ଧା ସ୍ଥାନାନ୍ତର କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇଥିବା ଦୃଷ୍ଟିକୁ ଆସିନାହିଁ ।

ସୂଚନାଯୋଗ୍ୟ, ସୁଡୁସୁଡିଆ ବାଇପାସ୍ ଛକ ଠାରେ ଥିବା ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ସ୍ଥାନୀୟ ବାସିନ୍ଧା ମାନେ ମେ ମାସ ୨୯ ତାରିଖରୁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ପ୍ରତୀକ ଧାରଣା ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷେରୁ ଅଧିକ ଦିନ ଧରି ଏହି ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ନିମନ୍ତେ ପୂର୍ବରୁ ସ୍ଥାନୀୟ ପ୍ରଶାସନ, ଜିଲାପ୍ରଶାସନ, ଅବକାରୀ ବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଅବକାରୀ ବିଭାଗ ସଚିବଙ୍କ ନିକଟରେ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ସ୍ଥାନୀୟ ବାସିନ୍ଦାମାନେ ଏଭଳି ଚରମ ନିଷ୍ପତ୍ତିି ଗ୍ରହଣ କରିଥିଲେ । ପରବର୍ତୀ ସମୟରେ ଘଟଣାର ଗୁରୁତ୍ବକୁ ଅନୁଭବ କରି ଆନନ୍ଦପୁର ଓକିଲ ସଂଘର ସଭାପତି ସଞ୍ଜୟ କୁମାର ମିଶ୍ର  ଓ ଆନନ୍ଦପୁର ପ୍ରେସ୍ କ୍ଲବର ସଭାପତି ଲୋକନାଥ ସିଂହ, ସମ୍ପାଦକ ସନ୍ତୋଷ ରାଉତ ସମର୍ଥନ ଜଣାଇଥିଲେ ଏବଂ ନିଜର ସଦସ୍ୟମାନଙ୍କ ସହିତ ଧାରଣାରେ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

14 + 15 =