ସପ୍ତମ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବ ଭୁବନେଶ୍ୱର କ୍ଲବ୍‌ରେ ଫେବ୍ରୁଆରି ୩-୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

ଭୁବନେଶ୍ୱର: ବିଶିଷ୍ଟ ଲେଖକ ଓ ଆଲୋଚନାର ବିବିଧ ପ୍ରଦର୍ଶନ ଜରିଆରେ ପୁସ୍ତକପ୍ରେମୀମାନଙ୍କୁ ରୋମାଂଚିତ କରିବା ଲାଗି ସମ୍ବାଦ ସହଯୋଗିତାରେ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବ ପ୍ରତ୍ୟାବର୍ତନ କରିଛି ।
ଏହି ଉତ୍ସବକୁ ବିଶିଷ୍ଟ ସାହିତ୍ୟିକ ଅମିତାଭ ଘୋଷ ଉଦ୍‌ଘାଟନ କରିବେ ଏବଂ ଏଥିରେ ଅନେକ ବିଶିଷ୍ଟ ଲେଖକ ଓ ପ୍ରସିଦ୍ଧ କଳାକାରମାନେ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର କ୍ଲବ୍‌ରେ ଅନୁଷ୍ଠିତ ହେବ ଏବଂ ଏଥିରେ ଯୋଗଦେବା ପାଇଁ କୌଣସି ପ୍ରବେଶିକା ଦେୟ ରହିବ ନାହିଁ ।
ଏହି ଉତ୍ସବର ଉଦ୍‌ଘାଟନୀ ଦିବସର ପରବର୍ତୀ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟ ଶିଳ୍ପୀ ମଲ୍ଲିକା ସରାଭାଇ ଅଂଶଗ୍ରହଣ କରି ତାଙ୍କ ପୁସ୍ତକ ‘ଇନ୍ ଫ୍ରି ଫଲ୍‌’ ବିଷୟରେ ଆଲୋଚନା କରିବେ । ଓଡ଼ିଆ ଉତ୍ସବରେ ଓଡ଼ିଆ ଥିଏଟର ଓ ସିନେମାରେ ବର୍ଦ୍ଧିତ ରୁଚି ଉପରେ ଆଲୋଚନା ହେବ । ସୋଫିଆ ଆଲମ ଓ ତନୟା ପଟ୍ଟନାୟକ ଆହେ ନୀଳ ଶଇଳର ଜବରଦସ୍ତ ସଫଳତା ସମ୍ପର୍କରେ ଆଲୋଚନା କରିବେ ଏବଂ ଅନୁପମ ପଟ୍ଟନାୟକ ଓ ଗୌରହରି ଦାସ ଓଡ଼ିଆ ସିନେମାର ପୁନର୍ବିନ୍ୟାସ ବିଷୟରେ ଆଲୋଚନା କରିବେ ଯେଉଁଥିରେ ସେମାନେ ଶ୍ରୀ ଦାସଙ୍କ ‘ବାପା’ ଉପରେ ପର୍ଯ୍ୟବେସିତ ସିନେମା “ପ୍ରତୀକ୍ଷା’ ଉପରେ ଗୁରୁତ୍ୱ ଦେବେ ।
ଉତ୍ସବର ଦ୍ୱିତୀୟ ଦିନରେ ଯୁବ କବି ସୁଜିତ କୁମାର ଶତପଥୀ, ଶ୍ରୀମା ଶତପଥୀ, ନିଖିଳେଶ ମିଶ୍ର ଓ ସ୍ୱାଗତିକା ମିଶ୍ର ସେମାନଙ୍କ ନିଜ କବିତା ପାଠ କରିବେ । ଏକ ଅଧିବେଶନରେ ପ୍ରଖ୍ୟାତ ସାହିତ୍ୟିକ ଗୋପୀନାଥ ମହାନ୍ତି ଓ ଜଗଦ୍ଦିଶ ମହାନ୍ତି ଙ୍କ ଉପରେ ଆଲୋଚନା ହେବ ଯେଉଁ ଅବସରରେ ଦୁଇଟି ଇଂରାଜି ଅନୁବାଦକୁ ଉନ୍ମୋଚନ କରାଯିବ ।
ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ଓଡ଼ିଆ ସାହିତ୍ୟକୁ କେଉଁ ଦୃଷ୍ଟିରେ ଦେଖାଯାଉଛି ସେ ବିଷୟରେ ପୁରସ୍କାର ବିଜେତା ଲେଖିକା ପାରମିତା ଶତପଥୀ, ଗାୟତ୍ରୀବାଳା ପଣ୍ଡା ଓ ମୋନାଲିସା ଜେନା ଆଲୋଚନା କରିବେ । ଓଡ଼ିଆ ଅଧିବେଶନ ବ୍ୟତିତ ଇଂରାଜିରେ ବିଭିନ୍ନ ପୁସ୍ତକ ଯଥା କିଶୋର କୁମାରଙ୍କ ଜୀବନୀ ଏବଂ ଆଙ୍ଗ୍‌ଲୋ-ଇଣ୍ଡିଆନ୍ ଗୋଷ୍ଠୀର ଇତିହାସ ଏବଂ ବେରି ଓ’ବ୍ରାଏନଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରାଯିବ । ଉପାଦାନ ଜରିଆରେ ଭାରତର ଇତିହାସକୁ ଉପସ୍ଥାନ କରିଥିବା ପୂର୍ବତନ ବ୍ରିଟିଶ ସଂଗ୍ରହାଳୟ ନିର୍ଦେଶକ ରିଚାର୍ଡ ବ୍ଲୁଟର୍ନ ନିଜ ପୁସ୍ତକ ଉପରେ ଆଲୋଚନା କରିବେ ଏବଂ ବୋଷ୍ଟନର ଲେଖିକା ଚିତ୍ରିତା ବାନାର୍ଜୀ ଚୈତନ୍ୟ ମହାପ୍ରଭୁଙ୍କ ଉପରେ ନିଜ ପୁସ୍ତକ ସମେତ ଭାରତର ଖାଦ୍ୟ ଇତିହାସ ଉପରେ ତାଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ଉପରେ କହିବେ । ନନ୍‌ସେନ୍‌ସ ଭର୍ସ ଉପରେ ସୁମନ୍ୟୁ ଶତପଥୀଙ୍କ ପୁସ୍ତକ ମଧ୍ୟ ଏହି ଅଧିବେଶନର ଏକ ଅଂଶ ହେବ ।
ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବର ଏକ ସ୍ୱତନ୍ତ୍ର ବିଶେଷତ୍ୱ ଭାବେ ଉତ୍ସବ ଶେଷ ଦିନ ସପ୍ତାହନ୍ତରେ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିବ । ଫେବ୍ରୁଆରି ୪ ତାରିଖ ଶନିବାର ଦିନ ଉସ୍ତାଦ ସୁଜାତ ଖାନ୍ ପ୍ରଦର୍ଶନ କରିବେ ଏବଂ ଫେବ୍ରୁଆରି ୫ରେ ‘ରେଳ ଅଡିଟୋରିୟମ୍‌’ରେ ବିଶିଷ୍ଟ ଅଭିନେତା ପଙ୍କଜ କପୁର ‘ଦୋପେହରି’ ଉପରେ ଏକ ଏକକ ଅଭିନୟ ଉପସ୍ଥାପନ କରିବେ । ସେଥିପାଇଁ ପାସ୍ ଭୁବନେଶ୍ୱର କ୍ଲବ୍‌ରେ ଉତ୍ସବ ସମୟରେ ଉପଲବ୍ଧ ରହିବ । ସୁପ୍ରିୟା ପାଠକ କପୁରଙ୍କ ସହ ମିଶି ଶନିବାର ଦିନ ଏହି ବର୍ଷୀୟାନ ଅଭିନେତା ଆଲୋଚନା କରିବେ ।
ଟାଟା ଷ୍ଟିଲ୍ କର୍ପୋରେଟ୍ ସେବା ବିଭାଗର ଉପସଭାପତି ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବ ସହ ଏହି ସହରକୁ ପ୍ରତ୍ୟାବର୍ତନ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । ଏହି ଅଂଚଳର ସାହିତ୍ୟ ଓ କଳାର ପ୍ରସାର କରିବା ପାଇଁ ଏକ ମଂଚ ଭାବେ ୨୦୧୬ରେ ଯାହା ଆରମ୍ଭ ହୋଇଥିଲା ତାହା ତିନି ଦିନିଆ ମହୋତ୍ସବରେ ପରିଣତ ହୋଇଛି ଯେଉଁଥିରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ବିତର୍କକୁ ଉତ୍ସାହିତ କରାଯାଉଛି । ଚଳିତ ବର୍ଷ ଏହି ଉତ୍ସବରେ ବିବିଧ ବର୍ଗର ବିଶିଷ୍ଟ ଲେଖକ, ଚିନ୍ତା ନାୟକ, ପ୍ରଭାବ ସୃଷ୍ଟିକାରୀ (ଇନଫ୍ଲୁଏନ୍‌ସର) ଏବଂ କଳା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଭାଗ ନେବେ । ଏହି ଉତ୍ସବକୁ ଆସିି ଉପଭୋଗ କରିବା ଲାଗି ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରୁଛୁ ।’’
“ଚଳିତ ବର୍ଷ ଭୁବନେଶ୍ୱର ସାହିତ୍ୟ ଉତ୍ସବର ଆୟୋଜନ ହେବା ଖୁସିର ବିଷୟ । ମୁଁ ଭାବୁଛି ବର୍ତମାନ ସୁଦ୍ଧା ଏହା ହେଉଛି ଆମର ଶ୍ରେଷ୍ଠ ଉପସ୍ଥାପନା । ଆଶା କରୁଛି ଯେ ସହରର ପୁସ୍ତକ ପ୍ରେମୀମାନେ ଆସନ୍ତା ସପ୍ତାହନ୍ତରେ ବସି କିଛି ଚମତ୍କାର ଆଲୋଚନାକୁ ଉପଭୋଗ କରିବେ ବୋଲି ଉତ୍ସବର ନିର୍ଦେଶିକା ମାଲବିକା ବାନାର୍ଜୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 5 =