ଯୁବକମାନେ ସୁନ୍ଦର ବିଶ୍ୱ ଗଠନର ଦେବଦୂତ : ନବୀନ

ଭୁବନେଶ୍ୱର (): ସପ୍ତାହେ ତଳେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଭଉଣୀ ପୂର୍ଣ୍ଣିମା ଓ ସବିତା ନିଜ ଜୀବନକୁ ପାଣି ଛଡ଼ାଇ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିଲେ । କୁମ୍ଭୀରକୁ ଭୟ ନକରି ବୁଡିଯାଉଥିବା କିଛି ଯାତ୍ରୀଙ୍କୁ ବଞ୍ଚାଇଥିଲେ । ସେହିଭଳି ପ୍ରାୟ ୬ ମାସ ତଳେ ଗତ ଜୁନ୍ ମାସରେ ମାଲକାନଗିରିର ଏକ ଆଦିବାସୀ ମହିଳା ମମତା ପଢିଆମୀ ମହିଳାଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମହିଳାଙ୍କ ସ୍ୱତନ୍ତ୍ର ଆବଶ୍ୟକ ସଂପର୍କରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାଫଳରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ସୁନ୍ଦରଗଡ ଜିଲ୍ଲାର ଆଉ ଜଣେ ଆଦିବାସୀ ମହିଳା ଜୟନ୍ତୀ ଏକ୍କା । ଏକ ସ୍ୱୟଂସହାୟକ ଗୋଷ୍ଠୀର ଉଦ୍ୟୋଗୀ ମହିଳା । ସେ ନିଜ ଇଛାଶକ୍ତି ବଳରେ ନେତୃତ୍ୱ ଓ ଉଦ୍ୟୋଗୀକରଣର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସେ ନିଜ ଅଞ୍ଚଳରେ ଶତାଧିକ ମହିଳାଙ୍କୁ ସଶକ୍ତ କରିଛନ୍ତି ।
ଇଣ୍ଡିଆ ଟୁଡେ୍ ଗ୍ରୁପ୍ ପକ୍ଷରୁ ଆୟୋଜିତ ମାଇଣ୍ଡ ରକ୍ସ କାର୍ଯ୍ୟକ୍ରମରେ ଏହିସବୁ ସାହସୀ ଓ ଉଦ୍ୟୋଗୀ ମହିଳାଙ୍କ ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଉଦାହରଣ ଗୁଡିକ ହିଁ ରାଜ୍ୟ ପରିବର୍ତ୍ତନର ସଂକେତ ଦେଉଛି । ଏହି ଉଦାହରଣଗୁଡିକ ସାହସ, ମାନବିକତା, ସେବା, ଅଧିକାର, ନେତୃତ୍ୱ, ସଶକ୍ତିକରଣ, କରୁଣାର ଦୃଷ୍ଟାନ୍ତ । ଏହା ହିିଁ ସ୍ପଷ୍ଟ ସଂକେତ ଦେଉଛି ଯେ, ଓଡିଶା ପରିବର୍ତ୍ତନ ଆଡକୁ ଦ୍ରୁତଗତିରେ ଅଗ୍ରସର ହେଉଛି । ମହିଳା ଓ ଯୁବକମାନେ ସମାଜସେବା ଓ ପରିବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ଆଗେଇ ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଉପସ୍ଥିତ ଶିକ୍ଷିତ ଯୁବକଯୁବତୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏବେ ଯୁବକମାନେ  କ୍ରୀଡ଼ା, ଉଦ୍ୟୋଗୀକରଣ ଓ ଅନ୍ୟାନ୍ୟ ବିଭିନ୍ନକ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ କରୁଛନ୍ତି । ଯୁବକମାନେ ଏବେ ଅନୁପ୍ରାଣିତ ହୋଇ ସାମାଜିକ ପ୍ରତିବନ୍ଧକକୁ ଦୂରେଇ ସମାଜ ଏବଂ ଦେଶ ପାଇଁ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି ।
ଓଡ଼ିଶାର ମୋଟ ଜନସଂଖ୍ୟାର ୪୦% ରୁ ଅଧିକ ଯୁବକ ଅର୍ଥାତ୍ ୧୫ ରୁ ୨୫ ବର୍ଷ ବୟସର । ଜାତୀୟସ୍ତରରେ ମଧ୍ୟ ମୋଟ ଜନସଂଖ୍ୟାର ଅଧା ୨୫ ବର୍ଷରୁ କମ୍ ଯୁବକ । ଏହି ଯୁବକମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ । ଆମ ଯୁବକଙ୍କଠାରେ ଅନେକ ଦକ୍ଷତା ରହିଛି ଏବଂ ସେମାନେ ନିଜ ଇଚ୍ଛା ମୁତାବକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇପାରିବେ ବୋଲି ସେ କହିଛନ୍ତି ।
ଯୁବକମାନଙ୍କୁ ନିଜ ଭବିଷ୍ୟତ ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୁମର ପ୍ରକୃତ ପରିଚୟ ସେତେବେଳେ ଆସିବ ଯେତେବେଳେ ତୁମେ ଜଣେ ଉତ୍ତମ ବ୍ୟକ୍ତିତ୍ୱ ହୋଇ ଛିଡ଼ା ହେବ । ସମାଜର ପରିବର୍ତ୍ତନ ହେବା ପାଇଁ ପ୍ରତିବଦ୍ଧତା ଏବଂ ନିଜ ଚତୁପାଶ୍ୱର୍ରେ ପରିବର୍ତ୍ତନ ପାଇଁ ପ୍ରତିଜ୍ଞାବଦ୍ଧତା ଏବେ ଯୁବପୀଢିର ଆଦର୍ଶ ହେବା ଉଚିତ୍ । ଆମେ ଜନ୍ମ ହୋଇଛେ ସମାଜର ସେବା ପାଇଁ । ଆମେ ସମସ୍ତେ ଏକ ସୁନ୍ଦର ବିଶ୍ୱ ଗଠନ ସାଙ୍ଗକୁ ନିୟମିତ ଉଦ୍ୟମ ଦ୍ୱାରା ଏହାକୁ ଏକ ଅଧିକ ରହିବାଯୋଗ୍ୟ କରିବାରେ ଦେବଦୂତ ସଦୃଶ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବକମାନେ ହିଁ ଏହା କରିପାରିବେ ଏବଂ ଏହାଦ୍ୱାରା ଆମେ ସମସ୍ତେ ଗୋଟିଏ ସୂତାରେ ଯୋଡ଼ି ହୋଇ ରହିବା ।
Share

Leave a Reply

Your email address will not be published. Required fields are marked *

sixteen + four =