ଜାଗା ମିଶନକୁ ବିଶ୍ବସ୍ତରୀୟ ମାନ୍ୟତା – ୱାର୍ଲଡ ହାବିଟାଟ ଆୱାର୍ଡ

ଭୁବନେଶ୍ବର () ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ବା ରାଜ୍ୟ ସରକାରଙ୍କ ଜାଗା ମିଶନକୁ ମିଳିଛି ବିଶ୍ବସ୍ତରୀୟ ମାନ୍ୟତା । ଓଡିଶାର ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ୱାର୍ଲଡ ହାବିଟାଟ ଓ ୟୁନ-ହାବିଟାଟ ପକ୍ଷରୁ ମିଳିତ ଭାବେ ତାମ୍ର ପଦକ ମିଳିଛି । ବିଶ୍ବସ୍ତରରେ ଅଭିନବ ବାସଗୃହ ଯୋଜନା ବା କାର୍ଯ୍ୟକ୍ରମକୁ ପ୍ରତିବର୍ଷ ଏହିଭଳି ପୁରସ୍କାର ମିଳିଥାଏ । ଚଳିତ ବର୍ଷ ଓଡିଶାକୁ ପ୍ରଥମ ଥର ପାଇଁ ଏହି ମାନ୍ୟତା ମିଳିଛି ।

ଜାଗା ମିଶନକୁ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଦିଗରେ ବିଶ୍ବର ସର୍ବବୃହତ ଯୋଜନା ଭାବେ ସ୍ବୀକୃତି ମିଳିଛି । ଏହି ଯୋଜନାରେ ବସ୍ତିରେ ରହୁଥିବା ଲକ୍ଷାଧିକ ସହରୀ ଗରିବଙ୍କୁ ସାମାଜିକ ସୁରକ୍ଷା ଦିଆଯିବ । ଏହି ଯୋଜନାରେ ଏଣିକି ଆଉ ବସ୍ତିବାସିନ୍ଦାଙ୍କୁ ପ୍ରତିଦିନ ଉଚ୍ଛେଦ ହେବାର ଭୟ ରହିବ ନାହିଁ । ସେମାନଙ୍କୁ ସରକାର ଆତ୍ମସମ୍ମାନ ଓ ସ୍ବାଧିନତା ପ୍ରଦାନ କରିଛନ୍ତି । 2018 ମେ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଟାଟା ଟ୍ରଷ୍ଟ ଓ ନର୍ମାନ ଫାଉଣ୍ଡେସନ ଦ୍ବାରା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ ସହରାଞ୍ଚଳର ସବୁ ବସ୍ତିକୁ ରହିବା ଉପଯୋଗୀ ବାସଗୃହରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବର୍ତ୍ତମାନ ସୁଦ୍ଧା ଜାଗା ମିଶନରେ 52ହଜାର 682 ପରିବାରକୁ ଜମି ଅଧିକାର ମିଳିସାରିଛି । 1725ଟି ବସ୍ତିକୁ ଡ୍ରୋନ ଓ ଜିଆଇଏସ ଜ୍ଞାନକୌଶଳରେ ସର୍ଭେ କରାଯାଇଛି । ନିଜସ୍ବ ଜ୍ଞାନକୌଶଳରେ ଗୋଷ୍ଠି ସହଯୋଗରେ ବିନା ବାଦବିବାଦରେ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏବେ 255ଟି ବସ୍ତିକୁ ରହିବା ଉପଯୋଗୀ ବାସସ୍ଥଳୀରେ ରୂପାନ୍ତରିତ କରାଯାଉଛି ।

ଏହି ପୁରସ୍କାର ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଟ୍ରଷ୍ଟ ଏବଂ ନର୍ମାନ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇବା ସହ 17 ଲକ୍ଷ ସହରୀ ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ।

ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୂରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ୱାର୍ଲଡ ହାବିଟାଟ ପୁରସ୍କାର ଦ୍ବାରା ସହରୀ ଗରିବଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତିବଦ୍ଧତାକୁ ସ୍ବୀକୃତି ମିଳିଛି । ରାଜ୍ୟ ସରକାରଙ୍କ ଏହି ମହତ ଅଭିଯାନରେ ସାମିଲ ହୋଇଥିବାରୁ ଟାଟା ଟ୍ରଷ୍ଟ ନିଜକୁ ଗୌରବାନ୍ବିତ ମନେକରୁଛି ।

ସହରୀ ଗରିବଙ୍କ ଜୀବନ ଧାରଣର ମାନରେ ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ଏହି ଅଭିନବ ଅଭିଯାନ ପାଇଁ ନିକଟରେ ଭାରତୀୟ ଜିଓ ସ୍ପାସିଆଲ ଏକ୍ସିଲେନ୍ସି ଆୱାର୍ଡ ମିଳିଥିଲା । ବିଶ୍ବ ସ୍ତରରେ ପ୍ରଥମ ଥର ପାଇଁ ବସ୍ତିର ବିକାଶ ପାଇଁ ଡ୍ରୋନର ବ୍ୟବହାର କରି ଏକ ନିର୍ଦ୍ଧିଷ୍ଟ ସ୍ଥାନର ତଥ୍ୟ ପ୍ରସ୍ତୁତ କରାଯାଉଛି । ନିଜସ୍ବ ଜ୍ଞାନ କୌଶଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମରୁ ବିଭିନ୍ନ ସ୍ତରରେ ନୀତି ନିର୍ଦ୍ଧାରକ, ପ୍ରଶାସକ ଓ ବିଶେଷଜ୍ଞମାନେ ପ୍ରଶଂସା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − fourteen =