କୃଷି ଓ ସହରାଞ୍ଚଳ ବିକାଶରେ ଓଡ଼ିଶା ସବୁଠୁ ଆଗରେ

ଭୁବନେଶ୍ୱର () : ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଏବଂ ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ଯୋଗୁଁ ଓଡିଶା ପୁଣି ଥରେ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି । ଅର୍ଥ ବ୍ୟବସ୍ଥାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଏବଂ ମାନବସମ୍ବଳ ସୂଚକାଙ୍କରେ ବୃଦ୍ଧି ଯୋଗୁଁ ଓଡିଶା ଉଭୟ ସହରାଞ୍ଚଳ ଓ କୃଷିକ୍ଷେତ୍ରରେ ପ୍ରମୁଖ ସଂସ୍କାରକ ହୋଇଛି । ଏଭଳି ମତ ଦେଇଛି ବିଶ୍ୱବ୍ୟାଙ୍କ । ଏହି ଆନ୍ତର୍ଜାତିକ ବ୍ୟାଙ୍କର ର‌୍ୟାପିଡ୍ ଟେଷ୍ଟ ଡାଇଗ୍ନୋଷ୍ଟିକ୍ ରିପୋର୍ଟ ଅନୁଯାୟୀ, ୨୦୦୫ ପରଠାରୁ ଓଡ଼ିଶାରେ ଦାରିଦ୍ର‌୍ୟ ଦ୍ରୁତ ଭାବେ ହ୍ରାସ ପାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟର ଚାଷୀ ପରିବାରର ହାରାହାରି ମାସିକ ଆୟ ପ୍ରାୟ ଦ୍ୱିଗୁଣିତ ହୋଇଛି । ଓଡିଶାର ସାମଗ୍ରିକ ବାର୍ଷିକ ବିକାଶ ହାର୨୦୧୬-୧୭ ରେ ୧୧.୬ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହି ହାର ୮.୬ ପ୍ରତିଶତ ରହିଥିଲା । ଓଡିଶା ପାଇଁ ଏଭଳି ଆହ୍ୱାନ ସଂକ୍ରାନ୍ତରେ ବିଶ୍ୱବ୍ୟାଙ୍କ୍‍ କହିଛନ୍ତି ଯେ ରାଜ୍ୟ ଅର୍ଥନୀତି ପ୍ରାଥମିକ କ୍ଷେତ୍ର ଉପରେ ନିର୍ଭର କରୁଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ଏହାର ପ୍ରତିବନ୍ଧକ ସାଜିଛି । ଉଦାହାରଣ ସ୍ୱରୂପ ରାଜ୍ୟ ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ବାତ୍ୟା, ଝଡ ଏବଂ ବନ୍ୟା ରାଜ୍ୟ ଅର୍ଥନୀତିକୁ କ୍ଷତିଗ୍ରସ୍ତ କରୁଛି ।

ରାଜ୍ୟ ପାଇଁ ଏଭଳି ବିପର୍ଯ୍ୟୟ ଗୁରତର କ୍ଷତି ଘଟାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଉଛି । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ଏହି କ୍ଷେତ୍ରକୁ ବ୍ୟାପକ ଭାବେ ପ୍ରଭାବିତ କରୁଛି । କୃଷି ସଂକ୍ରାନ୍ତରେ ରିପୋର୍ଟରେ ଦର୍ଶାଯାଇଛି ଯେ କମ୍‍ ଉତ୍ପାଦନ ଓ ଉଚ୍ଚ ହାର ମଜୁରୀ ସହିତ ଅର୍ଦ୍ଧାଧିକ ମାନବସମ୍ବଳ ଏବେ ବି କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଏଥିସହିତ ଭଲ ନିଯୁକ୍ତି ଓ ମହିଳା ନିଯୁକ୍ତି ହାର କମିବାରେ ଲାଗିଛି । ଏଥିଯୋଗୁଁ ଦାରିଦ୍ର‌୍ୟ ଅଧିକ ରହିବା ସହିତ କେତେକ ସ୍ଥାନରେ ମାନବ ସମ୍ବଳ ସୂଚକାଙ୍କରେ ବିକାଶ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ସାମାଜିକ ସୁରକ୍ଷା ଏବଂ ହ୍ୟୁମାନ କ୍ୟାପିଟାଲ ଇନ୍‍ଭେଷ୍ଟମେଣ୍ଟ କମ୍‍ ରହିଥିବା ଆର୍ନ୍ତଜାତୀୟ ବ୍ୟାଙ୍କ୍‍ ଦର୍ଶାଇଛି । ଏଭଳି ସ୍ଥିତିରେ ଓଡିଶାକୁ ପରାମର୍ଶ ଦେଇ ଆର୍ଥିକ ପୁର୍ନବିନ୍ୟାସକୁ ତ୍ୱରାନ୍ୱିତ କରିବା ସହିତ ଦାରିଦ୍ର‌୍ୟ ହ୍ରାସ ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱବ୍ୟାଙ୍କ୍‍ କହିଛି ।

ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଦୃଢ ପଦକ୍ଷେପ ନେବାକୁ ବିଶ୍ୱବ୍ୟାଙ୍କ୍‍ କହିଛନ୍ତି । ବିପର୍ଯ୍ୟୟ ନିରୋଧ ବାସଗୃହ, ଭିତ୍ତିଭୂମି ସହିତ ବିଦ୍ୟୁତ୍‍ ଭିତ୍ତିଭୂମି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି । ବିଦ୍ୟୁତ୍‍ ବିତରଣ ବ୍ୟବସ୍ଥାର ଉନ୍ନତି ଲାଗି ବିପର୍ଯ୍ୟୟ ମୁକାବିଲା କରିପାରୁଥିବା ପରିବହନ ଓ ବିତରଣ ଭିତ୍ତିଭୂମି ପ୍ରତିଷ୍ଠା ଉପରେ ଆର୍ନ୍ତଜାତିକ ବ୍ୟାଙ୍କ ଗୁରୁତ୍ୱଆରୋପ କରିଛି ।

Share

Leave a Reply

Your email address will not be published. Required fields are marked *

sixteen + 13 =