ଖସୁଛି ପାରଦ

ରାଜ୍ୟର କୌଣସି ଗୋଟିଏ ବି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ନାହିଁ। କିନ୍ତୁ ଥରୁଛି ସାରା ରାଜ୍ୟ। ଦକ୍ଷିଣରୁ ପଶ୍ଚିମ, ଉପକୂଳ, ଉତ୍ତର ଓଡ଼ିଶାକୁ ଦୁଇ ଦିନ ହେଲା ଏମିତି ଅସ୍ତବ୍ୟସ୍ତ କଲାଣି କୋହଲା ପାଗ। ଭୀଷଣ ଜାଡ଼ ମାଡ଼ି ଆସିବା ଭଳି ସଙ୍କେତ ଦେଉଛି। ମନାଲି, ସିମଲା, ଚଣ୍ଡୀଗଡ଼ର ଭ୍ରମ ସୃଷ୍ଟି କରୁଛି। ତା ସାଙ୍ଗକୁ କେଉଁଠି ଝିପି ଝିପି, ଆଉ କେଉଁଠି ମଧ୍ୟମ ଧରଣର ବର୍ଷା ପରିସ୍ଥିତିକୁ ଅଧିକ ସଙ୍ଗିନ କରିଦେଲାଣି। ବାତ୍ୟା ‘ପେଥାଇ’ର ପ୍ରଭାବ ଓଡ଼ିଶାରେ ଏଭଳି ଅନୁଭୂତ ହୋଇଛି। ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି, ଆଜିଠାରୁ ବାତ୍ୟାର ପ୍ରଭାବ ଆଦୌ ରହିବ ନାହିଁ। କିନ୍ତୁ ରାତିର ତାପମାତ୍ରା କମିବା ଆରମ୍ଭ କରିବ। ୨୨ ତାରିଖ ବେଳକୁ ପ୍ରବଳ ଶୀତରେ ଥରିବେ ରାଜ୍ୟବାସୀ।
ଅନ୍ୟପକ୍ଷରେ କୋହଲା ପାଗର ପ୍ରକୋପ ଏବେ ରାସ୍ତାକଡରେ ବାସ କରୁଥିବା ଏବଂ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନକୁ ଦୁର୍ବିସହ କରିପକାଇଲାଣି। ପାଣିପାଗ ବିଜ୍ଞାନୀଙ୍କର କହିବା କଥା ହେଉଛି, ଦିନର ତାପମାତ୍ରା ୮ରୁ ୧୦ ଡିଗ୍ରି ପର୍ୟ୍ୟନ୍ତ କମିଥିବାରୁ ଲୋକେ ଜାଡ଼ରେ ଥରୁଛନ୍ତି। ଦିନରେ ଭୁବନେଶ୍ବର, କଟକ, ଗୋପାଳପୁର, ପୁରୀ ଆଦି ସହରର ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସିଥିବା ଦେଖିବାକୁ ମିଳୁଛି। ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଲା ବୁଧବାରଠାରୁ ଆଉ ବର୍ଷା ହେବାର ସମ୍ଭାବନା ନାହିଁ।ତେବେ ବର୍ଷାଛାଡିବା ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

5 × five =