ଆସନ୍ତାକାଲି ଆୟାର ହାଜର ହେବେ ତ?

ଭୁବନେଶ୍ୱର () ଓଡ଼ିଶାର ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଶିକ୍ଷାବିତ ଅଭିଜିତ ଆୟାର ମିତ୍ର ଆସନ୍ତାକାଲି ବିଧାନସଭାର ଗୃହ କମିଟି ଆଗରେ ଉପସ୍ଥିତ ହେବେ ତ ? ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶ୍ନବାଚୀ ଆୟାରଙ୍କ ଉଦ୍ଦେଶ୍ୟକୁ ନେଇ ନୁହଁ । ପ୍ରଶ୍ନ ବ୍ୟବସ୍ଥା ଉପରେ ।

ଗୃହ କମିଟିର ଗତ ବୈଠକରେ ଆସନ୍ତାକାଲି ଅର୍ଥାତ ନଭେମ୍ବର 2 ତାରିଖରେ ହାଜର ହୋଇ ସତ୍ୟପାଠ ଜରିଆରେ ନିଜ ମତ ରଖିବାକୁ ନିର୍ଦେଶ ଦୁଆଯାଇଥିଲା । ଯଦିଓ ପୂର୍ବ ବୈଠକରେ ଆୟାର ବିଧାୟକଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି, କମିଟି ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ନିଜ ପକ୍ଷକୁ ଅଧିକ ନ୍ୟାୟ ଓ ଆଇନ ସମ୍ମତ କରିବାକୁ ସତ୍ୟପାଠ ଜରିଆରେ ଆୟରଙ୍କୁ ନିଜ ପକ୍ଷ ରଖିବାକୁ ନିର୍ଦେଶ ଦେଇଥିଲେ ।

ଆୟାର ଏବେ ଝରପଡା ଜେଲରେ । ଏହାପୂର୍ବରୁ ତାଙ୍କୁ କୋଣାର୍କ ପୋଲିସ ଓଡ଼ିଶାର କଳା, ସଂସ୍କୃତି ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦୁଇଦିନ ପାଇଁ ରିମାଣ୍ଡରେ ନେଇଥିଲା । ଆୟାର କୋଣାର୍କ ଜେଏମଏଫସି କୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ କିନ୍ତୁ ଜାମିନ ନାମଞ୍ଜୁର କରିଥିଲେ । ଗତ ଅକ୍ଟୋବର 23 ତାରିଖରେ ସେ ବିଧାନସଭା ଗୃହ କମିଟି ଆଗରେ ହଜାର ହୋଇ ବିଧାନସଭାରୁ ବାହାରିବା ପରେ ସନ୍ଧ୍ୟାରେ ସହୀଦ ନଗର ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲେ । କୋର୍ଟ ଆୟରଙ୍କୁ 14 ଦିନ ପାଇଁ ଜେଲକୁ ରିମାଣ୍ଡରେ ପଠାଇଛନ୍ତି ।

ତେଣୁ ଏବେ ଆୟାର ବିଧାନସଭା ଗୃହ କମିଟି ଆଗରେ ଉପସ୍ଥିତ ହେବେ କେମିତି ? ତାଙ୍କୁ କମିଟି ଆଗରେ ଉପସ୍ଥିତ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦେଶ ଦିଆଯାଇଛି କି? ନା ଆୟାର କମିଟି ଆଗରେ ଉପସ୍ଥିତ ହେବାକୁ ଜେଲର କି କୋର୍ଟକୁ ଆବେଦନ କରିଛନ୍ତି କି ? ଯଦି ଏହି ଦୁଇଟି ମଧ୍ୟରୁ କୌଣସି ଗୋଟେବି ହୋଇନି ତେବେ ଆୟାର କମିଟିରେ ଉପସ୍ଥିତ ହେବେ କେମିତି ? କମିଟିରେ ଆୟାର ସତ୍ୟପାଠ ଦାଖଲ କରିବେ ନା ଜାମିନ ପାଇବା ପର୍ଯ୍ୟନ୍ତ କମିଟି ଅପେକ୍ଷା କରିବ ?

Share

Leave a Reply

Your email address will not be published. Required fields are marked *

one × one =